ପ୍ରବାସୀ ଓଡ଼ିଆଙ୍କ ମିଳିତ ସହଯୋଗରେ ସ୍ୱତନ୍ତ୍ର ବିମାନରେ ଓମାନରୁ ଫେରିଲେ ୧୮୦ ଶ୍ରମିକ

ବଡ଼ସାହି : ମହାମାରୀ କୋରନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ପାଇଁ ସମଗ୍ର ପୃଥିବୀ କବଳିତ। ବିଭିନ୍ନ କଳକାରଖାନା, ଉଦ୍ୟୋଗ ଭଳି କର୍ମ ସଂସ୍ଥାନ ପ୍ରଭାବିତ। ବର୍ତ୍ତମାନ ସେଗୁଡ଼ିକ ବନ୍ଦ ଅବା ସ୍ୱାଭାବିକ କାର୍ଯ୍ୟ କରୁ ନଥିବାରୁ ସେଠାରେ ନିଯୁକ୍ତ କର୍ମଚାରୀ ଓ ଶ୍ରମିକ ଘରମୁହାଁ। ଦେଶ ଭିତରେ ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରେନ ଓ ବସ୍ ଦ୍ୱାରା ଏପରି ପ୍ରବାସୀଙ୍କୁ ସେମାନଙ୍କ ଜନ୍ମମାଟିରେ ପହଞ୍ଚାଇବାରେ ସହଯୋଗ କରିଥିବା ଅନେକ ଉଦାହରଣ ରହିଛି। ସେହିପରି ବିଦେଶରେ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ସରକାର ବନ୍ଦେ ଭାରତ ଯୋଜନାରେ ଓ ଚଳଚିତ୍ର ତାରାକା ସୋନୁ ସୁଦ ଭଳି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କିଛି ପ୍ରବାସୀ ଫେରିଛନ୍ତି। ତେବେ ପ୍ରଥମ ଥର ପାଇଁ ବିଦେଶରେ ଥିବା ଓଡ଼ିଆ ଭାଇମାନେ ମିଳିତ ଭାବେ ସହଯୋଗର ହାତ ବଢ଼ାଇ ୧୮୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ସ୍ୱତନ୍ତ୍ର ବିମାନରେ ଓଡ଼ିଶା ପଠାଇଛନ୍ତି। ଗଲଫ୍ ଦେଶ ଓମାନର ମସ୍କଟରୁ ସଲାମ ଏୟାର ବିମାନରେ ୧୦ତାରିଖ ସନ୍ଧ୍ୟାରେ ସେମାନେ ଆସି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ନିଜ ଘରକୁ ଯାଇଛନ୍ତି। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁର ଆଦି ଜିଲାର ଏହି ୧୮୦ଜଣ ଶ୍ରମିକ, ଓମାନର ତୈଳ କମ୍ପାନୀ, ନିର୍ମାଣ ସଂସ୍ଥା, ସଫେଇ ସଂସ୍ଥା ଓ ହୋଟେଲ ଶିଳ୍ପରେ ଠିକାସଂସ୍ଥାଙ୍କ ଅଧୀନରେ ସେଠାରେ କାର୍ଯ୍ୟ କରୁଥିଲେ। ତେବେ ସେଠାରେ ବର୍ତ୍ତମାନ କରୋନାର ପ୍ରକୋପ ଭୟଙ୍କର ସ୍ଥିତିରେ ଥିବାରୁ ଉପରୋକ୍ତ ସଂସ୍ଥା ବନ୍ଦ ରହିଛି। କେନ୍ଦ୍ର ସରକାର ବନ୍ଦେ ଭାରତ ଯୋଜନାରେ ସେଠାରୁ ଏୟାର ଇଣ୍ଡିଆର ୨ଟି ସ୍ୱତନ୍ତ୍ର ବିମାନରେ ୩୬୦ଜଣ ପ୍ରବାସୀ ଶ୍ରମିକଙ୍କୁ ଆଣିଥିବା ବେଳେ ଏହି ୧୮୦ଜଣଙ୍କ ଆସିବା ପାଇଁ ସେଠାରେ ଥିବା ଇଣ୍ଡିଆ ସୋସିଆଲ କ୍ଲବର ଓଡ଼ିଆ ୱିଙ୍ଗ୍‍ସ ସହାୟତାର ହାତ ବଢ଼ାଇଥିଲା। ଏହି ୱିଙ୍ଗ୍‍ସର କୋଷାଧ୍ୟକ୍ଷ ଜ୍ୟୋତିପ୍ରକାଶ ପଣ୍ଡାଙ୍କ ଘର ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକର ମାଣତ୍ରୀରେ। ସେ ସେଠାରେ ୫ବର୍ଷ ଧରି ଏକ ଘରୋଇ କମ୍ପାନୀରେ ପ୍ରମୁଖ ପଦରେ କାର୍ଯ୍ୟ କରୁଛନ୍ତି। ତାଙ୍କ ଭଳି ସେଠାରେ କାର୍ଯ୍ୟରତ ଓଡ଼ିଶାର ୫୦୦ଜଣ ସଙ୍ଗଠନରେ ସଦସ୍ୟ ଥିବାବେଳେ ପ୍ରମୁଖ ନେତୃବୃନ୍ଦ ସଙ୍ଗଠନର ଆବାହକ ମନୋଜ ମହାପାତ୍ର, ସହ ଆବାହକ ସଞ୍ଜିତ ସ୍ୱାଇଁ, କ୍ରୀଡ଼ା ସଂପାଦକ ସମ୍ପଦ କୁମାର ବଳ, ସାସ୍କୃତିକ ସମ୍ପାଦକ ଅବଦୁଲ ଜାଭେଦ ଖାନ, ମନୋରଞ୍ଜନ ସମ୍ପାଦକ ସାଗର ମହାପାତ୍ର, ସହ କୋଷାଧ୍ୟକ୍ଷ ବୁଲୁ ପ୍ରଧାନ, ଶିଶୁ ସଙ୍ଗଠନ ସମ୍ପାଦକ ପଦାରବିନ୍ଦ ବେହେରା ଓ ମହିଳା ସଙ୍ଗଠନ ସମ୍ପାଦିକା ସୁଚିସ୍ମିତା ସିଂ ମିଳିତ ହୋଇ ଭାରତ ସରକାର, ଓଡ଼ିଶା ସରକାର, ସଲାମ ଏୟାର ଓ ବିଶ୍ୱ ମାନବାଧିକାର ସଙ୍ଗଠନ (ଭାରତ)ଙ୍କ ସହ ଆଲୋଚନା କରି ଏହି ପ୍ରବାସୀଙ୍କ ଓଡ଼ିଶା ଫେରିବାରେ ସଫଳ ହୋଇଛନ୍ତି। ପ୍ରତି ଯାତ୍ରୀଙ୍କ ପାଇଁ ୧୩୦ ଅମାନ ମୁଦ୍ରା(ଅମାନରିଆଲ) ଯାହାକି ଭାରତୀୟ ମୁଦ୍ରାରେ ୨୫ହଜାର ୩୫୦ଟଙ୍କା ଭଡ଼ା ବାବଦକୁ ଖର୍ଚ୍ଚ ହୋଇଛି। ପ୍ରବାସୀଙ୍କ କମ୍ପାନୀ, କେତେ ଜଣ ନିଜସ୍ୱ ଓ ଆଉ କେତେ ଜଣଙ୍କ ଖର୍ଚ୍ଚ ଏହି ୱିଙ୍ଗ୍‍ସ ବହନ କରିଛି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ ଏହି ୱିଙ୍ଗ୍‍ସ ପକ୍ଷରୁ କରାଯାଇଥିଲା। ଶ୍ରମିକମାନେ ଘରେ ପହଞ୍ଚି ସହଯୋଗର ହାତ ବଢ଼ାଇଥିବା ସମସ୍ତଙ୍କୁ ସାଧୁବାଦ ଜଣାଇଥିବା ବେଳେ ୱିଙ୍ଗ୍‍ସକୁ ସହଯୋଗର ହାତ ବଢ଼ାଇଥିବା ସରକାରୀ ବେସରକାରୀ କର୍ତ୍ତୃପକ୍ଷଙ୍କୁ କମିଟି ପକ୍ଷରୁ କୃୃତଜ୍ଞତା ଜଣାଯାଇଛି।

Comments
Loading...