ଶାଳଗାଁ ଦୁଇ ରାସ୍ତାର ପୋଲ ବିପଦ ସଙ୍କୁଳ, ଜରୁରୀକାଳୀନ ସ୍ଥିତି ପାଇଁ ଏବେ ବଚ୍ଛିନ୍ନ ପଞ୍ଚାୟତ ମୁଖ୍ୟାଳୟ

ବଡ଼ସାହି : ମୟୂରଭଞ୍ଜ ଜିଲା ତଥା ବଡ଼ସାହି ବ୍ଲକର ସର୍ବାଧିକ ବନ୍ୟାପ୍ରବଣ ପଞ୍ଚାୟତ ଶାଳଗାଁ ଚଳିତ ବନ୍ୟାରେ ପୂର୍ବ ଭଳି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବୁଢ଼ାବଳଙ୍ଗ ନଦୀ ଓ ଗଙ୍ଗାହାର ନଦୀର ମଧ୍ୟସ୍ଥଳରେ ଅବସ୍ଥିତ ଏହି ପଞ୍ଚାୟତରେ ଉଭୟ ନଦୀର ଉଦବୃତ୍ତ ବନ୍ୟାଜଳ ତାଣ୍ଡବ ମଚାଇ ଥାଆନ୍ତି। ଫଳରେ ପଞ୍ଚାୟତର ଶାଳଗାଁ, ପାଳପାଟଣା, ସୋରିଷକୋଠା, ନରଣଗାଁ, ଗମ୍ଭାରିଆ ଓ ଦେବସ୍ଥଳ ଆଦି ଗ୍ରାମରେ ବସବାସ କରୁଥିବା ୩ହଜାର ୫୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ପ୍ରଭାବିତ ହୋଇଥାନ୍ତି। ୧୯୯୯ ମହାବାତ୍ୟା ଓ ୨୦୧୩ ଫାଇଲିନ ଭଳି ବିପତ୍ତିରେ ଏହି ପଞ୍ଚାୟତର କ୍ଷୟକ୍ଷତି ଜିଲାରେ ସର୍ବକାଳୀନ ସର୍ବାଧିକ ରହିଛି।

ତଦନୁଯାୟୀ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଗ୍ରାମମାନଙ୍କୁ ଏକାଧିକ ପକ୍କା ସଡ଼କ, ପ୍ରଧାନମନ୍ତ୍ର ସଡ଼କ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଯୋଗାଣ ବିଭାଗର ଖାଉଟି ସାମଗ୍ରୀ ଭଣ୍ଡାର ଆଦି ନିର୍ମାଣ କରାଯାଇଛି। ତେବେ ବନ୍ୟାଜଳ ନିୟନ୍ତ୍ରଣ ପାଇଁ ସଠିକ ଅନୁମାନ ଏଯାଏଁ କାର୍ଯ୍ୟକାରୀ ହେଉ ନଥିବାରୁ ପ୍ରତିଥର ମନ୍ୟୁଷକୃତ ବନ୍ୟା ପଞ୍ଚାୟତବାସୀଙ୍କ ଉପରେ ଦାଉ ସାଧୁଛି।

ପ୍ରକାଶ ଯେ, ଚଳିତ ବର୍ଷ ବନ୍ୟାରେ ପଞ୍ଚାୟତଟି ୨ଦିନ ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥିଲା। ଶନିବାର ବନ୍ୟା ଜଳ କମିବା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ପଞ୍ଚାୟତର ମୁଖ୍ୟାଳୟ ଶାଳଗାଁ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗରର ଦୁଇଦୁଇ ସଡ଼କରେ ଥିବା ପୃଥକ ପୋଲ ବନ୍ୟାରେ କ୍ଷତିଗ୍ରସ୍ତ ହେବା ଫଳରେ ବିପଦ ସଙ୍କୁଳ ହୋଇ ପଡ଼ିଛି। ନରଣଗାଁ-ଶାଳଗାଁ ରାସ୍ତାର କଖଡ଼ା ଚଟାଣି ପୋଲର ସ୍ଲାବ ଉଠିଯାଇଥିବାରୁ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି। ପୋଲ ଉପରେ ଏବେ ବି ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଗ୍ରାମବାସୀ ବର୍ତ୍ତମାନ ପୋଲ ଦୁଇମୁଣ୍ଡରେ ବାଉଁଶ ବାନ୍ଧି ଲୋକଙ୍କ ଯା’ଆସ ବନ୍ଦ କରିଛନ୍ତି। କିଛି ବର୍ଷ ପୂର୍ବେ ଏହି ପୋଲ ଉପରେ ପ୍ରବାହିତ ବନ୍ୟାଜଳରେ ଜଣେ ଯୁବକ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ। ସେହି ସମୟରେ ଗ୍ରାମବାସୀଙ୍କ ଆନ୍ଦୋଳନ ତେଜିଥିଲା। ଉଚ୍ଚ ସେତୁ ନିର୍ମାଣ ସହିତ ରାସ୍ତାର ଉଚ୍ଚତା ବୃଦ୍ଧି ଓ ଜଳ ନିଷ୍କାସନ ପାଇଁ ଏକାଧିକ ପୋଲ ନିର୍ମାଣ ପ୍ରତିଶୃତି ପାଇ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ। ପରନ୍ତୁ ପ୍ରତିଶୃତି ପ୍ରତିଶୃତିରେ ରହିଯାଇଛି।

ସେହିପରି ନାଖରା-ଶାଳଗାଁ ରାସ୍ତାର କଳକଳିଆ ପୋଲ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ନିର୍ମିତ ହୋଇଥିଲେ ହେଁ ବନ୍ୟା ସମୟରେ ଜଳ ନିଷ୍କାସନ ସଠିକ ଭାବେ ନହୋଇ କ୍ଷତି ପହଞ୍ଚିଛି। ହ୍ୟୁମପାଇପ ପୋଲ ମଝିରେ ଗର୍ତ୍ତ ସୃଷ୍ଟି ପାଇଁ ବିପଦ ସାଜିଛି। ଗ୍ରାମବାସୀ ଗର୍ତ୍ତଟି ଚିହ୍ନଟ ପାଇଁ ପଥର ପୋତି ଦର୍ଶାଇଛନ୍ତି। ତେବେ ଶାଳଗାଁକୁ ସଂଯୋଗ କରୁଥିବା ଉଭୟ ରାସ୍ତାର ଏପରି ଅବସ୍ଥା ପାଇଁ ୪ଚକିଆ ଯାନ ଆସିବା ବନ୍ଦ ହୋଇପଡ଼ିଛି। କୌଣସି ଅଘଟଣ ଘଟିଲେ ଆମ୍ବୁଲାନ୍ସ ବା ଦମକଳ ବାହିନୀ ପହଞ୍ଚିବା ଅସମ୍ଭବ। ପୁଣି ବର୍ତ୍ତମାନ କରୋନା ସଂକ୍ରମଣ ସମୟ। ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାର ଦୁଇ ପୋଲକୁ ଗମନାଗମନ ଉପଯୋଗୀ କରିବାକୁ ପୂର୍ବତନ ଜିଲାପରିଷଦ ସଦସ୍ୟା ଦମୟନ୍ତୀ ମାସନ୍ତ, ସରପଞ୍ଚ ଲକ୍ଷ୍ମୀ ସିଂ, ପୂର୍ବତନ ସରପଞ୍ଚ କାଳୀଚରଣ ସିଂ, ଶଶୀକାନ୍ତ ସାହୁ, ରବିନାରାୟଣ ସାହୁ, ମନୋରଞ୍ଜନ ନନ୍ଦି, ପାଗଲୁ ବିନ୍ଧାଣୀ, ବିଶ୍ୱମ୍ବର ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.