ବିକାଶ ରାଲିକୁ ମିଳିଲା ବିପୁଳ ଜନ ସମର୍ଥନ

ବଡ଼ସାହି, ତାଳପଦା,ମାଣତ୍ରୀ ଦାରିହା, ପାଟଳୀପୁରା ଓ ବୈଶିଙ୍ଗାରେ ସମ୍ବର୍ଦ୍ଧନା

ବେତନଟୀ/ବଡ଼ସାହି : ବେତନଟୀ, ବଡ଼ସାହି, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକକୁ ନେଇ ଗଠିତ ପ୍ରେସକ୍ଲବ ୨୪ ଗୁଣନ ୭ର ଆବାହକତ୍ୱରେ ଗଠିତ ‘ବିକାଶ ମଞ୍ଚ’ ପକ୍ଷରୁ ରବିବାର ଅନୁଷ୍ଠିତ ‘ବିକାଶ ରାଲି’କୁ ବିପୁଳ ଜନସମର୍ଥନ ମିଳିଛି। ଆର୍ନ୍ତଜାତୀୟ ମହିଳା ଦିବସ ପୂର୍ବାହ୍ଣରେ ବେତନଟୀ ଜାତୀୟ ରାଜପଥ ବଙ୍ଗଳାରୁ ଆରମ୍ଭ ରାଲିକୁ ବେତନଟୀ ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ ଓ ମିନତୀ ସିଂହ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସମେତ ଚୁଡ଼ାମଣି ମହାପାତ୍ର, ପ୍ରକାଶ କରମହାପାତ୍ର, ସିଦ୍ଧାର୍ଥ ଅଗ୍ରୱାଲ, ରାକେଶ ସିଂ, ଶଶାଙ୍କ ଶେଖର କର, ନରେନ୍ଦ୍ର ସିଂ, ଚୈତନ୍ୟ ବେଶ୍ରା, ପୁରୁଷତ୍ତୋମ ପଣ୍ଡା, ଅର୍ଜୁନ ଦଳେଇ, ଅରବିନ୍ଦ ସାହୁ, ଊଦୟ କୁମାର ମହାନ୍ତ, ଜ୍ଞାନରଞ୍ଜନ ଜେନା, ରାଜେନ୍ଦ୍ର ଜେନା, ଚକ୍ରଧର ଆଚାର୍ଯ୍ୟ, ରଣଜିତ ଦାସ, ସଚ୍ଚିଦାନନ୍ଦ ମହାନ୍ତି, ବସନ୍ତ ମହାନ୍ତ, ଶିରିଷଚନ୍ଦ୍ର ମହାନ୍ତ, କେସବ ଚନ୍ଦ୍ର ସାହୁ, ପ୍ରଭାତ ଜେନା, ପଞ୍ଚାନନ ଦାସ, ପ୍ରଦୀପ ପରିଡ଼ା, ଶଶୀଶେଖର ପଣ୍ଡା, ଗୋବିନ୍ଦ ମହାନ୍ତ, ପ୍ରଶାନ୍ତ ମହାରଣା ଓ ଆବାହକ ପ୍ରେସକ୍ଲବର ସଭାପତି ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ରାଲିର ନେତୃତ୍ୱ ନେଇଥିଲେ।

ଏକ ଅଣରାଜନୈତିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶାସକ ଓ ବିରୋଧୀ ଦଳର ନିର୍ବାଚିତ ପ୍ରତିନିଧି ଓ ପ୍ରାକ୍ତନ ପ୍ରତିନିଧିଙ୍କ ସହିତ ରାଜନୈତିକ ନେତୃବୃନ୍ଦ, ବୁଦ୍ଧିଜୀବୀ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ଜନସାଧାରଣ ୩୦୦ରୁ ଊର୍ଦ୍ଧ୍ବ ବାଇକ ଓ ଚାରିଚକିଆ ଯାନରେ ସ୍ୱତ୍ତପ୍ରବୃତ୍ତ ଭାବରେ ସାମିଲ ହୋଇଥିଲେ। ୪ଟି ବ୍ଲକର ପ୍ରମୁଖ ଦାବି, ବେତନଟୀକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା, ବେତନଟୀ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ, ରାସଗୋବିନ୍ଦପୁର ବିମାନବନ୍ଦରର ପୁର୍ନଉଦ୍ଧାର, ବଡ଼ସାହି ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ପଶୁ ଓ ମତ୍ସ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ବଡ଼ସାହି ଓ ମୋରଡ଼ାରେ ଉପ-ନିବନ୍ଧକ କାର୍ଯ୍ୟାଳୟ, ବଡ଼ସାହିରେ ଉପ-କୋଷାଗାର, ବୈଶିଙ୍ଗାରେ କୃଷିବିଜ୍ଞାନ କେନ୍ଦ୍ର ସ୍ଥାପନ, ବଡ଼ସାହି, ବୈଶିଙ୍ଗା ଓ ବେତନଟୀରେ ବସଷ୍ଟାଣ୍ଡ, ବେତନଟୀରେ ଶୀତଳଭଣ୍ଡାର, ସାନକେରୋକ ଓ ହରିପୁରରେ ଫାଣ୍ଡି ପ୍ରତିଷ୍ଠା ଆଦି ଦାବି ଆଦି ରାଲିର ପ୍ରସଙ୍ଗ ହୋଇଥିଲା। ବିଶାଳ ବାଇକ ରାଲି ବେତନଟୀରୁ ବାହାରି ବଡ଼ସାହିରେ ପହଞ୍ଚିଲା।

ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ପରେ ତାଳପଦା ଠାରେ ଅପେକ୍ଷାରତ ମହିଳାଗଣ ରାଲିକୁ ବନ୍ଦାପନା ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ମାଣତ୍ରୀରେ ବାବା କଖାରୁଆ ବୈଦନାଥ ଯୁବକ ସଂଘ ପକ୍ଷରୁ ଆୟୋଜିତ ପଥପ୍ରାନ୍ତ ସଭା ପରେ ରାଲି ଦାରିହାରେ ପହଞ୍ଚିଥିଲା। ସେଠାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଓ ଧାନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ପରେ ପାଟଳୀପୁରା ଠାରେ ଦୁଗ୍ଧଚାଷୀ ସମବାୟ ସମିତି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ବୈଶିଙ୍ଗା ଠାରେ ଏକ ପଥପ୍ରାନ୍ତ ସଭା ସାଙ୍ଗକୁ ଶିବାଜୀ ୟୂଥ କ୍ଲବ ପକ୍ଷରୁ ରାଲିକୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅପରାହ୍ଣ ୨ଟା ୩୦ମିନିଟରେ ରାଲି ବେତନଟୀରେ ପହଞ୍ଚିବା ପରେ ଉଦଯାପନୀ ସଭା ଅନୁଷ୍ଠିିତ ହୋଇଥିଲା। ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ ଏଥିରେ ଯୋଗଦେଇ ମଞ୍ଚର ପଦକ୍ଷେପ ଓ ଉପସ୍ଥାପିତ ଦାବିକୁ ପ୍ରଶଂସା କରିଥିଲେ। ରାଲିରେ ମୋଟରଯାନ ଆଇନକୁ ସମ୍ମାନ ଜଣାଇ ସମସ୍ତେ ହେଲମେଣ୍ଟ ବ୍ୟବହାର କରିଥିଲେ। ସେହିପରି ରାଲି ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱେଚ୍ଛାସେବୀ ସଙ୍ଗଠନ ସାଥୀ ଫାଉଣ୍ଡେସନ ଓ ଫୋର୍ଡ଼ ପକ୍ଷରୁ ନିଶୁଳ୍କ କୋରନା ପ୍ରତିଷେଧକ ଦିଆଯାଇଥିଲା। ତପନ ପତି ରାଲି ଓ ସଭା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରାକେଶ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବେତନଟୀ, ବଡ଼ସାହି ଓ ବୈଶିଙ୍ଗା ପୁଲିସ୍‍ କାର୍ଯ୍ୟକ୍ରମ ଶୃଙ୍ଖଳାରେ ସମାପନ ପାଇଁ ସହଯୋଗ କରିଥିଲେ।

Comments are closed.