କୂଅରୁ ମିଳିଲା ବିଜେପି ମଣ୍ଡଳ ସମ୍ପାଦକଙ୍କ ମୃତଦେହ  

0

ବଡ଼ସାହି : ଶନିବାର ସକାଳେ ବିଜେପି ବଡ଼ସାହି ମଣ୍ଡଳର ସାଧାରଣ ସମ୍ପାଦକ ତଥା ଚାନ୍ଦଡିହା ଗ୍ରାମର ସୁଜିତ ମହାନ୍ତି(୪୦)ଙ୍କର ମୃତଦେହକୁ ଦମକଳ ବାହିନୀ ତାଙ୍କ କୂଅରୁ ଉଦ୍ଧାର କରିଥିବା ଜଣାପଡିଛି। ବଡ଼ସାହି ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଖବର ଅନୁସାରେ, ଶୁକ୍ରବାର ରାତିରେ ପାରିବାରିକ କଳହରୁ ସୁଜିତ ଘର ବାଡି କୂଅକୁ ଡ଼େଇଁ ପଡିଥିଲେ। ଡେଇବା ପରେ କୂଅ ମଧ୍ୟରେ ଥିବା ଏକ ଲୁହା ରଡ଼ରେ ଲାଗି ରହି ଯାଇଥିଲୋ ପରିବାର ଲୋକଙ୍କ ପାଟି ଶୁଣି ପଡ଼ୋଶୀ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର ପାଇଁ ବିଫଳ ହୋଇଥିଲେ। ଆତ୍ମହତ୍ୟା ପାଇଁ ଜିଦି ଥିବା ସୁଜିତଙ୍କୁ ବାନ୍ଧି ସେମାନେ ଉପରକୁ ଆଣିବା ସମୟରେ ସେ ପୁନଶ୍ଚ ପାଣିକୁ ଡ଼େଇଁଥିଲେ। ଖବର ପାଇ ପ୍ରଥମେ ବଡ଼ସାହି ପରେ ଉଦଳା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ବିଫଳ ହେବାରୁ ବେତନଟୀ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା। ସେମାନେ ପହଞ୍ଚି କୂଅରୁ ପାଣି ଶୁଖାଇ ଉଦ୍ଧାର କରିବା ପରେ ସଙ୍ଗେ ସଙ୍ଗେ ବଡ଼ସାହି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାକୁ ନେଇ ଅନ୍ୟ କଥା ମଧ୍ୟ ଆଲୋଚନା ହେଉଛି। ବିଜେପି ବଡ଼ସାହି ମଣ୍ଡଳର ସଭାପତି ବିଭୂତୀ ଭୂଷଣ ମହାନ୍ତଙ୍କ କହିବାନୁସାରେ ସୁଜିତ ଦୁରାରୋଗ୍ୟ ଚର୍ମରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ସେ ଏପରି କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ସେ ଆଶା କରିଛନ୍ତି। ଅପରାହ୍ନରେ ବିଜେପି ପକ୍ଷରୁ ଜିଲା ଉପସଭାପତି ସୁନୀଲ କୁମାର ଦାଶଙ୍କ ନେତୃତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଶ୍ରୀ ମହାନ୍ତଙ୍କ ସମେତ ରାଜେନ୍ଦ୍ର କୁମାର ଜେନା, ଯାମିନୀକାନ୍ତ ନାଏକ ଓ ଭବାନୀ ଶଙ୍କର ସାହୁ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନ କରିଥଲେ। ଅନ୍ୟପକ୍ଷରେ ବିଧାୟକ ଗଣେଶ୍ୱର ପାତ୍ର, କଂଗ୍ରେସ ନେତା ପ୍ରକାଶ କରମହାପାତ୍ର, ଶଶାଙ୍କ ଶେଖର କର, ସରୋଜ ଦାଶ ଓ କାଂଚନ ପ୍ରଧାନ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି।

 

Leave A Reply