ଖାକି ଛାଡ଼ି କୋଟିପତି : ଅଭିଜିତଙ୍କ ସହ ବିଚାର ବିଭାଗୀୟ ହାଜତକୁ ଗଲେ ୩ଅଭିଯୁକ୍ତ

ବିଦାୟୀ ତହସିଲଦାରଙ୍କ ସହିତ ମୋରମ ଚାଲାଣ ବେପାରୀ ବିବାଦ ଘଟଣା

ବଡ଼ସାହି/ବେତନଟୀ: ବେତନଟୀ ବଡ଼ସାହି ତହସିଲ ଅଞ୍ଚଳରୁ ବ୍ୟାପକ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଘଟଣାରେ ବ୍ୟବସାୟୀ ଓ ବିଦାୟୀ ତହସିଲଦାରଙ୍କ ବିବାଦ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ବୈଶିଙ୍ଗା ପୁଲିସ ଶନିବାର ଅପରାହ୍ଣରେ କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବାଲେଶ୍ୱର ସଦର ଥାନା ଅଧୀନ ଦୁମଦା ଗ୍ରାମର ଅଭିଜିତ ମହଲ(୩୫), ବେତନଟୀର ବାପୁନ ଓରଫ ପ୍ରିୟବ୍ରତ ପଟ୍ଟନାୟକ(୩୬) ଓ ରିଣ୍ଟୁ ଓରଫ ଶିବାଶିଷ ନାଥ(୩୬)। ବେତନଟୀ କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ବଡ଼ସାହିର ମୋରମ ବ୍ୟବସାୟୀ ଶ୍ରକାନ୍ତ ଦାସଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏହି ୩ଜଣଙ୍କ ବ୍ୟତୀତ ବେତନଟୀ ତହସିଲଦାର ଅନିଶା ଦାସ, ବେତନଟୀର ଜଗା ଓରଫ ଖଗେଶ୍ୱର ବେହେରା ଓ ଅନ୍ୟ ଜଣେ ମହିଳା(ନାମ ବିହୀନ)ଙ୍କ ନାମରେ ମାମଲା ରୁଜୁ କରିଥିଲା । ୨୦ତାରିଖ ଭୋର ସମୟରେ ଶ୍ରୀକାନ୍ତଙ୍କ ହାଇୱା ମୋରମ ବୋଝେଇ କରି ଚାନ୍ଦିପୁର ଆଟିଆର ଅଭିମୁଖେ ଯାଉଥିବା ବେଳେ ତହସିଲଦାର ଉପରୋକ୍ତ ଅଭିଯୁକ୍ତଙ୍କ ସହିତ ବୈଶିଙ୍ଗାରେ ଅଟକାଇ କୁଆଡ଼େ ଡ୍ରାଇଭର ନିକଟରୁ ଟଙ୍କା ଛଡ଼ାଇନେବା ସହିତ ଗାଡ଼ି ଚାଳକକୁ ମାଡ଼ ମାରିଥିଲେ।  ତହସିଲଦାର ଏକ ଘରୋଇ କାରରେ ଆସିଥିବା ବେଳେ ଭିତରେ ବସିଥିବା ମହିଳାଙ୍କୁ ଉପଜିଲାପାଳ ଭାବେ ଚିତ୍ରଣ କରି ମୋରମ ଗାଡ଼ିକୁ ଥାନାରେ ଜିମା ଦେଇଥିଲେ। ୨୨ତାରିଖ ଦିନ ଉକ୍ତ ଗାଡ଼ି ବିରୋଧରେ ତହସିଲଦାର ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ଏକ ମାମଲା ରୁଜୁ କରିଥିଲା । ତେବେ ତା’ପୂର୍ବରୁ ଶ୍ରୀକାନ୍ତ-ଅଭିଜିତ ଓ ତହସିଲଦାରଙ୍କ ଭିତରେ ମାମଲା ରଫାଦଫା ପାଇଁ ହୋଇଥିବା ଡ଼ିଲର କଥାବର୍ତ୍ତା ୪ଟି ଅଡ଼ିଓ ଭାଇରାଲ ହେବା ପରେ ରାଜନୈତିକ ମହଲ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ହଇଚଇ ହୋଇଥିଲା। ଫଳରେ ମୟୁରଭଞ୍ଜ ଏସପି ଓ ଜିଲାପାଳ ଘଟଣାକୁ ଗୁରୁତ୍ୱର ସହିତ ନେଇଥିଲେ।

ଘଟଣାର ତଦନ୍ତ ପାଇଁ ବାଲେଶ୍ୱର କ୍ରାଇମ ଡ଼ିଏସପି ମନୋଜ ରାଉତଙ୍କ ନେତୃତ୍ୱରେ ବେତନଟୀ ଏସଡ଼ିପିଓ ଲଳିତ ମୋହନ ପଟ୍ଟନାୟକ ଆଇଆଇସି ଆଶୋକ କୁମାର ନାୟକ, ବୈଶିଙ୍ଗା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଓ ବଡ଼ସାହି ଆଇଆଇସି ମିଳିତ ଭାବେ ବୈଶିଙ୍ଗା ଥାନାରେ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଥିଲେ। ତହସିଲଦାରଙ୍କ ସହିତ ୩ଅଭିଯୁକ୍ତ ଓ ଅନ୍ୟ ଅଟକ ମହିଳାଙ୍କ ବୟାନ ରେକର୍ଡ଼ ପରେ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ବୈଶିଙ୍ଗା ରାଜସ୍ୱ ନୀରିକ୍ଷକା ଅହଲ୍ୟା ବେହେରା କୌଣସି ଗାଡ଼ି ଯାଞ୍ଚ କିମ୍ବା ଜବତ କରିନଥିବା ବେଳେ ରାଜସ୍ୱ ନୀରିକ୍ଷକ କିଏ(?) ବୋଲି ପ୍ରଶ୍ନ ଉଠିଛି।

ତେବେ ତହସିଲଦାର ତାଙ୍କ ତହସିଲଦାରଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ା ଯାଇଥିବା ବେଳେ କ୍ଷମତାର ଅପବ୍ୟବହାର ପାଇଁ ପ୍ରଶାସନିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ କଳାହାଣ୍ଡି ଡ଼େପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ସେ ଶୁକ୍ରବାର ରିଲିଫ ହେବା ପରେ ଅତିରିକ୍ତ ତହସିଲଦାର ନମିତା ଧଳ ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉପଜିଲାପାଳ ଚିତ୍ରଣ କରାଯାଇଥିବା ମହିଳା ଭାବେ ଅଭିଯୁକ୍ତ ପ୍ରିୟବ୍ରତଙ୍କ ପତ୍ନୀ ଅମ୍ରିତା ସୁମନ ମହାନ୍ତିଙ୍କ ଠାରୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ଼ ପରେ ତାଙ୍କୁ ସରକାରୀ ସାକ୍ଷୀ ଭାବେ ଗ୍ରହଣ କରାଯାଇ ଛାଡ଼ି ଦିଆଯାଇଛି । ଅଭିଯୁକ୍ତ ଅଭିଜିତଙ୍କ ମାଧ୍ୟମରେ ବେତନଟୀ/ବଡ଼ସାହି ତହସିଲ ଅଞ୍ଚଳରୁୁ ଲଘୁଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଅଭିଜିତ ବ୍ୟବହାର କରୁଥିବା ନାଲିରଙ୍ଗର ଏସୟୂଭି କାରକୁ ପୁଲିସ୍‍ ଜବତ କରିଛି । ଗାଡ଼ିରୁ ତହସିଲଦାରଙ୍କ ସ୍ୱାକ୍ଷର ଥିବା ଟ୍ରାନଜିଟ ଓ ଚାଲାଣ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଯାହାର ଠିକ କି ନୁହେଁ ତଦନ୍ତ ପାଇଁ ପଠାଯାଇଛି । ଭାଇରାଲ ଅଡ଼ିଓର ବର୍ତ୍ତାଳାପର ଫରେନସିକ ପରୀକ୍ଷା ପାଇଁ କଲକାତା ପଠାଯାଇଛି ।

ଅନ୍ୟ ପକ୍ଷରେ ଅଭିଜିତ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ନିଜକୁ ଓଡ଼ିଶା ପୁଲିସର କର୍ମଚାରୀ ଉଲ୍ଲେଖ ରହିଛି । ଫ୍ରେଣ୍ଡଲିଷ୍ଟରେ ବିଭିନ୍ନ ରାଜନୈତିକ ନେତାଙ୍କ ତାଲିକା ରହିଛି । ଅନୁସନ୍ଧାନରୁ ଜଣାପଡ଼େ ଯେ ସେ ବାଲେଶ୍ୱର ଫୁଲଆଡ଼ି ଫାଣ୍ଡି ଅଧୀନରେ ୧୩/୧୪ବର୍ଷ ପୂର୍ବେ ହୋମଗାର୍ଡ଼ ଭାବେ କାର୍ଯ୍ୟ କରିବା ସମୟରେ ଚୋରା ବେପାରୀଙ୍କ ସଂସ୍ପର୍ଶରେ ଆସି ନିଜର ବ୍ୟବସାୟ ଆରମ୍ଭ କରିଥିଲା । ଖାକି ଚାକିରୀ ଛାଡ଼ି ସେ ବର୍ତ୍ତମାନ କୋଟିପତି। ତାଙ୍କର ଦୁମଦାରେ ନିଜର ଦ୍ୱିମହଲା ପ୍ରାସାଦ ଦେଖିଲେ ପ୍ରମାଣ ମିଳୁଛି । ପୁଲିସ ଏହି ଘରେ ଶୁକ୍ରବାର ଚଢ଼ାଉ କରିଥିଲେ ହେଁ ସେପରି ପ୍ରମାଣମୂଳକ କୌଣସି ସାମଗ୍ରୀ ଜବତ କରିପାରିନାହିଁ । ଅଭିଜିତ ଜରିଆରେ ବେତନଟୀ ତହସିଲ ଅଧୀନ ଚୁଆପଦା, ମୋହନପୁର, ଭାଲିଆଡ଼ିହ ଓ ଭିତରଶୋଳ ଓ ଭୁଡ଼ୁରବଣିର ସଂରକ୍ଷିତ ଜଙ୍ଗଲ ଓ ଗୋଚର ଜମିରୁ ବ୍ୟାପକ ବେଆଇନ ଖନନ ପୂର୍ବକ ମୋରମ ଚୋରାଚାଲାଣ ହୋଇଛି । ଯାହାର କ୍ରାଇମବ୍ରାଞ୍ଜ ତଦନ୍ତ ହେଲେ ବେତନଟୀର ପୂର୍ବ ତହସିଲଦାର ରବିନାରାୟଣ ଶତପଥିଙ୍କ ଭଳି ବିଦାୟୀ ତହସିଲଦାର ଅଢ଼ୁଆରେ ପଡ଼ିବେ। ପୂର୍ବତନ ତହସିଲଦାର ଅତୀତରେ କଳମା-ଜୟପୁରିଆ ଅଞ୍ଚଳରେ ଚୋରା ମୋମ ଚାଲାଣ ପାଇଁ ଜେଲ ଯିବା ସହିତ ରାଜସ୍ୱ ହାନୀ ବାବଦରେ ଅର୍ଥ ଭରଣା ମାମଲାରେ ଛନ୍ଦି ହୋଇଥିଲେ।

ରାଜନୈତିକ ଚତ୍ରଛାୟା ତଳେ ବେତନଟୀର କେତେକ ଅସାମାଜିକ ଗୋଷ୍ଠୀ ଏପରି କାର୍ଯ୍ୟରେ ଲିପ୍ତ ଥିବାରୁ ସମସ୍ତଙ୍କୁ ତଦନ୍ତ ପରିସରକୁ ଆଣିବାପାଇଁ ବିକାଶମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ ଦାବି କରିଛନ୍ତି। ସେହିପରି ବୈଶିଙ୍ଗା ଜିଲାପରିଷଦ ସଦସ୍ୟ ବ୍ରଜମୋହନ ବେହେରା ୨୦୧୯ ମସିହାରେ ଚୋରାଚାଲାଣ ସମ୍ପର୍କରେ ଅଭିଯୋଗ ଲିଖିତ ଭାବରେ ପ୍ରଦାନ କରିଥିଲେ ହେଁ ପ୍ରଶାସନ କିମ୍ବା ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ ପାଇଁ ସରକାର ବିପୁଳ ରାଜସ୍ୱହାନୀ ଘଟିଛି ବୋଲି କହିଛନ୍ତି।

Comments are closed.