ଅସ୍ୱାସ୍ଥ୍ୟକର ପରିବେଶରେ ଅଙ୍ଗନବାଡ଼ି କେନ୍ଦ୍ର

ବଡ଼ସାହି : ପ୍ରାକ୍‍ ସ୍କୁଲ ଶିକ୍ଷା ସାଙ୍ଗକୁ ଶିଶୁ ଓ ଗର୍ଭବତୀଙ୍କ ଯତ୍ନ ପାଇଁ ସରକାର ପ୍ରତି ଗ୍ରାମ ତଥା ସାହିରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛନ୍ତି। ସୁନ୍ଦର କୋଠାଘର, ବାରଣ୍ଡା ସାଙ୍ଗକୁ ନଳକୂପ ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ସେଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଅଭାବ ପାଇଁ ଅସ୍ୱାସ୍ଥ୍ୟକର ପରିବେଶରେ କେନ୍ଦ୍ର ଗୁଡ଼ିକ ଗନ୍ଧମୟ ହୋଇ ଗୁହାଳଘର ପରି ହୋଇଛି। ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ, କେନ୍ଦୁଡ଼ିହା-୨ ଅଙ୍ଗନବାଡ଼ି କେନ୍ଦ୍ର ଏହାର ଜ୍ୱଳନ୍ତ ଉଦାହରଣ। ଏହି ଗ୍ରାମରେ ୨ୟ ଅଙ୍ଗନବାଡ଼ି କେନ୍ଦ୍ର ଆବଶ୍ୟକତାକୁ ଉପଲବ୍ଧି କରି ତଳସାହିରେ ସରକାରୀ ଜାଗାରେ କେନ୍ଦ୍ରର କୋଠାଘର ନିର୍ମାଣ ହୋଇଥିଲା। ପାନୀୟ ଜଳ ଉତ୍ସ ପାଇଁ ପଞ୍ଚାୟତ ପକ୍ଷରୁ ଏକ ନଳକୂପ ମଧ୍ୟ ସ୍ଥାପନ କରାଯାଇଥିଲା। ତେବେ କେନ୍ଦ୍ର ପାଖରେ ଥିବା ଜନୈକ ବ୍ୟକ୍ତିଙ୍କ ପାଇଁ ପରିବେଶ ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥକୁ ଲାଗି ସେ ଛେଳି ଗୁହାଳ କରିଥିବା ବେଳେ ସମ୍ମୁଖରେ ଖତଖାଣିଆ ଖୋଳି ଘର ତଥା ଗୁହାଳର ଯାବତୀୟ ବର୍ଜ୍ୟବସ୍ତୁ ପକାଉଛନ୍ତି। ବର୍ଷା ଦିନରେ ଏହି ଖାଣିଆରେ ପାଣି ଜମି ପୁଣିିଗନ୍ଧମୟ ହୋଇଥିବା ବେଳେ ମଶାଙ୍କ ଜନ୍ମସ୍ଥଳୀ ସାଜିଛି। ଅନୁରୂପ କେନ୍ଦ୍ର ସମ୍ମୁଖରେ ଘରର ଓଳିଆ ଠାରୁ ଆରମ୍ଭ କରି କାଠ, ପତ୍ର ଓ ଘର ନିର୍ମାଣ ସାମଗ୍ରୀ ଠୁଳ କରିଛନ୍ତି। ନଳକୂପଟି ଅଚଳ ହୋଇଥିବା ବେଳେ ତାକୁ ମଧ୍ୟ ଦଖଲ କରିଛନ୍ତି। ଅଙ୍ଗନବାଡ଼ି କର୍ମୀ ଓ ଗ୍ରାମବାସୀ ଏନେଇ ବାରମ୍ବାର ସରପଞ୍ଚ, ଆଇସିଡ଼ିଏସ୍‍ ସୁପରଭାଇଜର ଓ ସିଡ଼ିପିଓଙ୍କୁ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରତ୍ୟେହ ୨୦ଜଣ ଶିଶୁ ଶିକ୍ଷାଗ୍ରହଣ ସାଙ୍ଗକୁ ଖାଦ୍ୟ ଗ୍ରହଣ କିପରି କରୁଛନ୍ତି ତାହା ଦେଖିବା ଲୋକହିଁ ପ୍ରକାଶ କରିପାରିବ। ଏପରି ପରିବେଶ ପାଇଁ ଅନେକ ଅଭିଭାବକ ତାଙ୍କ ପିଲାଙ୍କୁ କେନ୍ଦ୍ରକୁ ଯିବା ବନ୍ଦ କରିଲେଣି। ଆଗାମୀ ଦିନରେ ଘଟଣାର ସମାଧାନ କରାନଗଲେ ଯୁବକ ସଂଘ ଓ ଗ୍ରାମବାସୀ ମିଳିତ ଭାବେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.