ଜିଲାପାଳଙ୍କ ବଡ଼ସାହି ବ୍ଳକର ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବଡ଼ସାହି : ମୟୁରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ବୁଧବାର ଦିନିକିଆ ବଡ଼ସାହି ବ୍ଳକ ଗସ୍ତରେ ଆସି ସରକାରଙ୍କ ପକ୍ଷରୁ ପ୍ରଣିତ ବିଭିନ୍ନ ଯୋଜନା ତଥା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମିଶନ ଶକ୍ତି, ସମନ୍ୱିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଓ ହଷ୍ଟେଲ ବ୍ୟବସ୍ଥା ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରି ଫେରିଥିବା ଜଣାପଡ଼ିଛି।

ପ୍ରଥମେ ସେ ଯୋଗୀନୂଆଗାଁ ପଥରା ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଶିଶୁମାନଙ୍କ ଖାଦ୍ୟ ଓ ପ୍ରାକ୍‍-ଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ପରେ କୋଚିଲାଖୁଣ୍ଟା ଗ୍ରାମ ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ଲାଖରେ ପ୍ରସ୍ତୁତ ଚୁଡି ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟି ଥିବାରୁ ପ୍ରଂଶସା କରିଥିଲେ। ସେହିପରି ଶିଆଳିଘାଟି ପଞ୍ଚାୟତ କାଉଚି ଗ୍ରାମରେ ଏମ୍‍ଜିଏନ୍‍ଆର୍‍ଇଜିଏସ୍‍ ଯୋଜନାରେ ଚାଲିଥିବା ଖେଳ ପଡିଆ ଉନ୍ନତି କରଣ କାର୍ଯ୍ୟକୁ ତଦାରଖ କରିବା ସହ ପ୍ରତ୍ୟେକ ଶ୍ରମିକଙ୍କୁ ୧୦୦ଦିନର କାର୍ଯ୍ୟ ପୂରଣ ପାଇଁ ପରାମର୍ଶ ଦେଇଛନ୍ତି। ସେଠାରୁ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ୱଚ୍ଛତା ଓ ନିରାମୟ ଔଷଧ ପ୍ରଦାନ ସମ୍ପର୍କରେ ଆଲୋଚନା ସହିତ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହା ପରେ ମାଣତ୍ରୀ ପଞ୍ଚାୟତର ମାଳିହାତୀ ଠାରେ ନବନିର୍ମିତ ଅଙ୍ଗନବାଡିକେନ୍ଦ୍ର, ମାଣତ୍ରୀ ଓ ଭୀମଦାରେ ନବନିର୍ମିତ ପ୍ରଧାନମନ୍ତ୍ରୀ ଆବସ ଗୃହକୁ ଉଦ୍‍ଘାଟନ କରିଥିଲେ। ସେଠାରୁ ଯାଇ ମାଣତ୍ରୀ ଏସ୍‍ଏସ୍‍ଡି ବାଳିକା ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସ୍କୁଲର ସମସ୍ୟା, ଆନୁସଙ୍ଗିକ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ସମ୍ପର୍କରେ ସେ ଆଲୋଚନା କରିଥିଲେ। ଭୀମଦା ପଞ୍ଚାୟତର ରତନପୁର ପ୍ରାଥମିକ ସ୍କୁଲରେ ପହଞ୍ଚି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିଥିଲେ। ଶେଷରେ ଚେଙ୍ଗୁଆ-ମଙ୍ଗଳପୁର ମା’ ମଙ୍ଗଳା ବାଳାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ସହିତ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ବଡ଼ସାହି ବିଡିଓ ଦିଲ୍ଲିପ କୁମାର ମହାରଣା, ଭାରପ୍ରାପ୍ତ ତହସିଲଦାର ପୃଥିରାଜ ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ବେଣୁଧର ସାହୁ, ସିଡ଼ିପିଓ କୁନ୍ତିମଣୀ ପାତ୍ରଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଓ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଗଣ ସହଯୋଗ କରିଥିଲେ।

Comments are closed.