ବଡସାହି ଅଞ୍ଚଳର ବିକାଶ ପାଇଁ ପଞ୍ଚାୟତସ୍ତରରୁ ଜନଜାଗରଣ ସୃଷ୍ଟି ପାଇଁ ଉଠିଲା ସ୍ୱର

ବିକାଶ ମଞ୍ଚରେ ସାମିଲ ହେଲେ ପିଆରଆଇ ପ୍ରତିନିଧି

ବଡ଼ସାହି: ଅଞ୍ଚଳର ବିକାଶ ପାଇଁ ତୃଣମୂଳ ସ୍ତରରୁ ଜନଜାଗରଣ ଆବଶ୍ୟକ। ପଞ୍ଚାୟତ ସ୍ତରରୁ ସମସ୍ତଙ୍କୁ ସାମିଲ ପାଇଁ ରବିବାର କୋଚିଳାଖୁଣ୍ଟା ପଞ୍ଚାୟତ ପାଉଁଶିଆ ବନ୍ଧ ନିକଟରେ ଅନୁଷ୍ଠିତ ବଡ଼ସାହି-ବେତନଟୀ ବିକାଶମଞ୍ଚର ୧୧ତମ ବୈଠକରେ ମତପ୍ରକାଶ ପାଇଛି। ମଞ୍ଚର ଆବାହକ ତଥା ୨୪ ଗୁଣନ ୭ ପ୍ରେସ କ୍ଲବର ସଭାପତି ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବେତନଟୀ ଓ ବଡ଼ସାହି ବ୍ଲକର ଅଧ୍ୟକ୍ଷା, ଜିଲାପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଅଂଶଗ୍ରହଣ କରିଥିଲେ। ସଭାପତି ପ୍ରାକ୍ ସୂଚନା ପ୍ରଦାନ କରି ବେତନଟୀକୁ ସବ୍ଡ଼ିଭିଜନ ମାନ୍ୟତା, ବଡ଼ସାହିରେ ସବ୍ରେଜିଷ୍ଟାର ଓ ସବ୍ଟେଜେରୀ କାର୍ୟ୍ୟାଳୟ ସ୍ଥାପନ, ଉଭୟ ବ୍ଳକ ସଦର ମହକୁମା ଓ ବୈଶିଙ୍ଗାରେ ବସଷ୍ଟାଣ୍ଡ ନିର୍ମାଣ, ସାନକେରକୋ ଓ ଅଁଳାରେ ଫାଣ୍ଡି ସ୍ଥାପନ ଏବଂ ବୈଶିଙ୍ଗାରେ ଏକ କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ନେଇ ମଞ୍ଚ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ।

ବିଧାୟକ ସନାତନ ବିଜୁଳି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଜିଲାପରିଷଦ ସଦସ୍ୟ ବ୍ରଜମୋହନ ବେହେରା, କୁମେନ୍ଦ୍ର ସେଠୀ, ବଡ଼ସାହି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ସିଭିଲ ସୋସାଇଟି ସଭାପତି ଚୁଡ଼ାମଣୀ ମହାପାତ୍ର, ପ୍ରକାଶ କରମହାପାତ୍ର, ରାଜକିଶୋର ଆଚାର୍ୟ୍ୟ, ରାଜେନ୍ଦ୍ର ଜେନା, ସୁବୋଧ ଦଣ୍ଡପାଟ, ଅର୍ଜୁନ ଦଳେଇ କେସବ ଚନ୍ଦ୍ର ସାହୁ ଓ ନରେନ୍ଦ୍ର ସିଂ ପ୍ରମୁଖ ଆଲୋଚନାରେ ନିଜର ମତ ରଖିଥିଲେ। ଦୁଇଟି ବ୍ଳକର ପିଆରଆଇ ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ପୂର୍ଣ୍ଣଚନ୍ଦ୍ର ହାଁସଦାଃ, କାହ୍ନୁଚରଣ ମାରାଣ୍ଡି, କାହ୍ମୁ ହେମ୍ବ୍ରମ, ବୈଦନାଥ ସିଂ, ସୁବୋଧ ମିଶ୍ର ଓ ରଜନୀକାନ୍ତ ନାଏକ ମଦମୁକ୍ତ ପଞ୍ଚାୟତ ଅଭିଯାନ, ବୃଦ୍ଧାଶ୍ରମ ଖୋଲିବା ଓ ଦୁସ୍ଥ ଲୋକଙ୍କ ବିକାଶ ଭଳି ଭିନ୍ନ ପ୍ରସ୍ତାବ ରଖିଥିବା ବେଳେ ମଞ୍ଚର କାର୍ୟ୍ୟକ୍ରମକୁ ପ୍ରଶଂସା କରି ନିଜେ ସାମିଲ ପୂର୍ବକ ଜନଜାଗରଣ ସୃଷ୍ଟିର ନେତୃତ୍ୱ ନେବା ପାଇଁ ଆଗଭର ହୋଇଥିଲେ। ପ୍ରତି ପଞ୍ଚାୟତରୁ ୧୦ଜଣ ଲେଖାଏଁ ସଭ୍ୟସଭ୍ୟାଙ୍କୁ ନେଇ ଜନଜାଗରଣ କାର୍ୟ୍ୟକୁ ତୀବ୍ର କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରାରମ୍ଭରେ ସଦସ୍ୟ ଅରୁଣ ଓତା ସ୍ୱାଗତ ସୂଚନା ପ୍ରଦାନ ଓ ଶଚ୍ଚୀନ୍ଦ୍ର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ମୁରଲୀଧର ନାଏକ, ପ୍ରକାଶ ଚନ୍ଦ୍ର ବେହେରା, ସନ୍ତୋଷ କୁମାର ଖଣ୍ଡା, ଜ୍ୟୋତିଲାଲ ବିଶ୍ୱାଳ, ଶାନ୍ତନୁ ପଣ୍ଡା, ନୀଳାଦ୍ରି ବିହାରୀ ଦଣ୍ଡପାଟ, ଭବାନୀ ଶଙ୍କର ମିଶ୍ର, ସଞ୍ଜୟ ଜେନା ଓ ଯୋଗେଶ୍ୱର ମହାନ୍ତ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.