୪୦ତମ ‘ବାଣୀପୀଠ ମହୋତ୍ସବ’ : ରାଜ୍ୟସ୍ତରୀୟ କବିତା ମହାଯଜ୍ଞ ଓ ପ୍ରତିଭା ସମ୍ମାନ ସମାରୋହ

ବଡ଼ସାହି : ସ୍ଥାନୀୟ ବିବେକାନନ୍ଦ ବିହାର ଠାରେ ଚାଲିଥିବା ୪୦ତମ ‘ବାଣୀପୀଠ ମହୋତ୍ସବ-୨୦୨୦’ର ଦ୍ୱିତୀୟ ଦିନରେ ରାଜ୍ୟସ୍ତରୀୟ କବିତା ମହାଯଜ୍ଞ ସହିତ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଅକ୍ଷୟ କୁମାର ବେହେରା ଓ ଶିବଶଙ୍କର ଭୂୟାଁଙ୍କ ତତ୍ତ୍ୱାବଧାନରେ କଳାହାଣ୍ଡିର କବି ଅରୁଣ ପ୍ରଧାନୀ ସାରସ୍ୱତ ପତାକା ଉତ୍ତୋଳନ କରିଥିଲେ। ଏଥି ସହିତ ସ୍ୱାମୀ ବିବେକାନ୍ଦଙ୍କ ଜୟନ୍ତୀ ଅବସରରେ ଛାତ୍ରଛାତ୍ରୀ ତଥା କବି, ଲେଖକ ଓ କଳାକାର ମାନେ ଏକ ସ୍ୱତନ୍ତ୍ର ପଦଯାତ୍ରାରେ ବଜାର ପରିକ୍ରମା କରିଥିଲେ। ପରେ ଅନୁଷ୍ଠାନର ଉପସଭାପତି ରତ୍ନାକର ପୁହାଣଙ୍କ ପୌରହିତ୍ୟରେ ଅନୁଷ୍ଠିତ କବିତା ମହାଯଜ୍ଞର ପ୍ରଥମ ଆହୁତିରେ ମୁଖ୍ୟଅତିଥି ଭାବେ ଡକ୍ଟର ବନଲତା ଦେବୀ ଯୋଗଦେଇଥିଲେ। ଦ୍ୱିତୀୟ ଆହୁତିରେ ମୁଖ୍ୟକର୍ତ୍ତା ଭାବେ ଡକ୍ଟର ପଦ୍ମଲୋଚନ ମହାକୁଡ, ତୃତୀୟ ଆହୁତିରେ ମୁଖ୍ୟକର୍ତ୍ତା ଭାବେ ଡକ୍ଟର ବେଣୁଧର ଦାସ, ଚତୁର୍ଥ ଆହୁତିରେ ମୁଖ୍ୟକର୍ତ୍ତା ଭାବେ କଲକାତାର ଆଲୋକେଶ ରାୟମହାଶୟ ଓ ପଞ୍ଚମ ଆହୁତିରେ ନୂଆପଡାର ହୃଦାନନ୍ଦ ମେହେର ଯୋଗ ଦେଇଥିଲେ। ସ୍ନେହାଶିଷ ମହାନ୍ତି, ନମିତା ରାଉତ, ନିରଞ୍ଜନ ବରାଳ, ପ୍ରଜ୍ଞା ରାଉତ ଓ ରାଜଲକ୍ଷ୍ମୀ ମହାଳିକ କବିତା ଗୁଡିକର ସଂଯୋଜନା କରିଥିଲେ।

ସେହିପରି ବାଣୀପୀଠର ପ୍ରତିଷ୍ଠାତା ଅଧ୍ୟକ୍ଷ ପଣ୍ଡିତ ଲକ୍ଷ୍ମୀଧର ରାଉତଙ୍କ ସଭାପତିତ୍ୱରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟକୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଯୋଗଦେଇ ମୟୂରଭଞ୍ଜର କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ କରିବାରେ ବାଣୀପୀଠର ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଅପସରପ୍ରାପ୍ତ ପ୍ରଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ସିଂହଭୂମିର କବି ବିଷ୍ଣୁପଦ ସିଂଦେବ, ଡକ୍ଟର ଶ୍ରୀକାନ୍ତ ମହାନ୍ତ, ଡକ୍ଟର ସ୍ମୃତି ପଟ୍ଟନାୟକ, ଏଏସ୍‍ପି ଯଶୋବନ୍ତ ସେଠୀ, କଲକାତାର ଭୂପେଶ୍‍ ମିଶ୍ର, କବି କୁଳମଣି ସାମଲ ଓ ଅଧ୍ୟାପକ ତାପସ କୁମାର ପଣ୍ଡା ଆଦି ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପରେ ପରେ ରାଜ୍ୟସ୍ତରୀୟ ସମ୍ବାର୍ଦ୍ଧନା ସମାରୋହରେ ପ୍ରତି ଜିଲାରୁ ୬ଜଣ ଲେଖାଏଁ କୃତ୍ତି ସାରସ୍ୱତ ସାଧକଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ବିବେକାନନ୍ଦ ଇଂଲିସ୍‍ ମିଡିୟମ ସ୍କୁଲକୁ ଉଦ୍‍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଶ୍ରୀ ସେଠୀ ମାନବୀୟ ଗୁଣାତ୍ମକ ଶିକ୍ଷା ବିଷୟକ ମୁକ୍ତ ବିଦ୍ୟାଳୟକୁ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ୪ଟି ପତ୍ରିକା ଓ ୪ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା ସମୟଚକ୍ରର ସମ୍ପାଦକ ସର୍ବେଶ୍ୱର ଜେନା ଓ ବଙ୍କିମ୍‍ ବାରିକ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହ-ସମ୍ପାଦକ ସମ୍ବିତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.