ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସକୁ ବର୍ଷେ ପୂରିଲା : କାର୍ଯ୍ୟାରମ୍ଭ କେବେ ?

ମୟୂରଭଞ୍ଜ ଇତିହାସର ମୂକସାକ୍ଷୀ ହରିପୁରଗଡ଼ ପୁନରୁଦ୍ଧାର ଓ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାରମ୍ଭ କେବେ ?

ବଡ଼ସାହି : ମୟୂରଭଞ୍ଜ ଇତିହାସର ମୂକସାକ୍ଷୀ ହରିପୁରଗଡ଼ର ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ ପ୍ରକଳ୍ପର ଶିଳାନ୍ୟାସକୁ ବର୍ଷେ ପୂରିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଜାନୁଆରୀ ୫ତାରିଖରେ ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ବାରିପଦା ଆସି ପୂର୍ବୋଦୟ ବିକାଶ ପାଇଁ ୪ ହଜାର ୫୦୦କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ମଧ୍ୟରେ ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହରିପୁରଗଡ଼ ଓ ରସିକରାୟ ମନ୍ଦିରରର ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ ପ୍ରକଳ୍ପକୁ ରିମୋଟ ଦ୍ୱାରା ପ୍ରଥମେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ତାଙ୍କ ସହିତ ରାଜ୍ୟପାଳ ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟ ତଥା ମୟୂରଭଞ୍ଜର ପ୍ରାଚୀନ କୀର୍ତ୍ତି ଓ ଐତିହ୍ୟର ସୁରକ୍ଷା ସାଙ୍ଗକୁ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଜାତୀୟସ୍ତରର ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇବା ପରେ ପାରିପାର୍ଶ୍ବିକ ଉନ୍ନତି ସାଙ୍ଗକୁ ଅଞ୍ଚଳର ଉନ୍ନତି ହେବ। ଅନେକ ରୋଜଗାରକ୍ଷମ ହେବେ। ଗଡ଼ ନିକଟବର୍ତ୍ତୀ ପର୍ଯ୍ୟଟନ ସ୍ଥଳ ଯଥା ହରିହର ପୀଠ ମାଣତ୍ରୀ, ଦେବକୁଣ୍ଡ, ଲୁଲୁଙ୍ଗ, ସୀତାକୁଣ୍ଡ, କ୍ଷୀରଚୋରା ଗୋପୀନାଥ, ପଞ୍ଚଲିଙ୍ଗେଶ୍ୱର, ନୀଳଗିରି ଓ ବାରିପଦା ଜଗନ୍ନାଥ ମନ୍ଦିର ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। ପରନ୍ତୁ ଶିଳାନ୍ୟାଶକୁ ଏକ ବର୍ଷ ବିତିଥିଲେ ହେଁ ହରିପୁରଗଡ଼ ଯେମିତିକୁ ସେମିତି। ପ୍ରତ୍ନତତ୍ତ୍ବ ବିଭାଗର ଏକ ମାତ୍ର କର୍ମଚାରୀ ତା’ର ରକ୍ଷଣାବେକ୍ଷଣରେ ରହିଛନ୍ତି। ସବୁବର୍ଷ ଭଳି ସୀମିତ ବଜେଟରେ ନାମକୁମାତ୍ର କାର୍ଯ୍ୟ ହେଉଛି। ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ ପୂର୍ବରୁ ଓ ପରେ ଭୁବନେଶ୍ୱର କାର୍ଯ୍ୟାଳୟରୁ କିଛି ଅଧିକାରୀ ତୋଫାନୀ ଗସ୍ତ କରି ଫେରିଛନ୍ତି। ସର୍ଭେ କାର୍ଯ୍ୟ ସମ୍ପନ୍ନ ସହିତ ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ ପାଇଁ ପ୍ରସ୍ତାବ ବିଭାଗ ପକ୍ଷରୁ ଚିଠା ବା ଏଷ୍ଟିମେଟ ଯାଇଥିଲେ ହେଁ ଅର୍ଥ ଅନୁମୋଦନ ହୋଇ ନ ଥିବାରୁ କାର୍ଯ୍ୟର ଅଗ୍ରଗତି ହୋଇ ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ ନ ହୋଇ ଶିଳାନ୍ୟାସ ନାମରେ ସରକାରୀ ଅର୍ଥରେ ବିଶାଳ ଆୟୋଜନ ବିଜେପିର ନିର୍ବାଚନ ଚାଲ ଥିଲା ବୋଲି ପୂର୍ବତନ ଜିଲା କଂଗ୍ରେସ ଉପସଭାପତି ପ୍ରକାଶ କରମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ହରିପୁରଗଡ଼ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ ନହେଲେ ଜେଏମଏମ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗକେଶରୀ ଜେନା ଚେତାବନୀ ଦେଇଛନ୍ତି।
ସୂଚନାଥାଉକି,  ବିଲୁପ୍ତ ହେବାକୁ ବସିଥିବା ଏହି ଗଡ଼ ଏକଦା ଥିଲା ଗଡ଼ଜାତ ମୟୂରଭଞ୍ଜର ରାଜଧାନୀ। ମୟୂରଭଞ୍ଜ ରାଜତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଗଡ଼ ବଡ଼ସାହିଠାରୁ ପଶ୍ଚିମକୁ ୧୦ କିମି ଓ ବାରିପଦାରୁ ଦକ୍ଷିଣକୁ ୨୭ କିମି ଦୂରରେ ଅବସ୍ଥିତ। କିଛି ଭଙ୍ଗା ଇଟା, ପଥର ଓ ଗଡ଼ର ଧ୍ୱସାଂବଶେଷ ଦୃଶ୍ୟମାନ ହେଉଥିବା ୨୫ ଏକର ବିଶିଷ୍ଟ ଖୋଲା ସ୍ଥାନ ଏକଦା ମୟୂରଭଞ୍ଜର ରାଜଧାନୀ ଥିଲା। ପ୍ରତ୍ନତତ୍ତ୍ୱବିତଙ୍କ ଉଦ୍ୟମରେ ୧୩୨୨ ଶକାବ୍ଦରେ ନିର୍ମିତ ଏହି ଗଡ଼ର ସାମାନ୍ୟତମ ଅଂଶ ଖୋଳାଯାଇଥିବା ବେଳେ କିଛି ବିରଳ କୀର୍ତ୍ତିରାଜି ବିଭାଗ ପକ୍ଷରୁ ସଂଗୃହୀତ ହୋଇଛି। ଇତିହାସରୁ ଜଣାପଡ଼େ ଯେ, ୧୩୬୧ ଶକାବ୍ଦରେ ମୋଗଲ ରାଜା ଫିରୋଜ ଶାହ ତୋଗଲ ରାଜଧାନୀ ଖିଚିଂକୋଟ ଆକ୍ରମଣ କରିବା ପରେ ମୟୂରଭଞ୍ଜ ଗଡ଼ଜାତର ତତ୍‍କାଳୀନ ମହାରାଜା ହରିହର ଭଞ୍ଜ ୧୩୨୨ ଶକାବ୍ଦ ଅର୍ଥାତ ୧୪୦୦ ଖ୍ରୀଷ୍ଟାବ୍ଦରେ ଏହି ଗଡ଼କୁ ନିର୍ମାଣ କରିଥିଲେ। ଗଡ଼ ନିର୍ମାଣ ପରେ ଏହାର ଭୌ​‌େ​‌ଗାଳିକ ସ୍ଥିତି ଓ ରମଣୀୟ ପାରିପାର୍ଶ୍ବିକ ଅବସ୍ଥିତିକୁ ଲକ୍ଷ୍ୟ କରି ସେ ଏହାକୁ ମୟୂରଭଞ୍ଜର ରାଜଧାନୀ ଭାବେ ଘୋଷଣା କରିଥିଲେ। ମହାରାଜା ହରିହର ଭଞ୍ଜଙ୍କ ନାମ ଅନୁଯାୟୀ ଏହାକୁ ହରିହରଗଡ଼ ଭାବେ ନାମିତ କରାଯାଇଥିଲେ ମଧ୍ୟ କାଳକ୍ରମେ ହରିପୁରଗଡ଼ ନାମରେ ପରିଚିତ ହେଲା। ଗଡ଼ର ଉଭୟ ପାର୍ଶ୍ବରେ ପ୍ରବାହିତ ମାଧବୀ ନାଳ ଓ ଗଙ୍ଗାହାର ନଦୀ ରାଜପରିବାର ଓ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ତତ୍‌କାଳୀନ ବଙ୍ଗୀୟ ମୁସଲମାନ ସୁଲେମାନ ଦାଉଦଖାନ ରାଜଦରବାରର କେତେକ ବିଶ୍ୱାସଘାତୀଙ୍କ ସାହାଯ୍ୟରେ ଏହି ଗଡ଼ ଦଖଲ କରିଥିଲେ।
ମୋଗଲଙ୍କ ହରିପୁରଗଡ଼ ଦଖଲ ପରେ ରାଜରାଜେଶ୍ୱରୀ ସୁମିତ୍ରାଦେବୀ ଭଞ୍ଜ ମୟୂରଭଞ୍ଜର ରାଜଧାନୀକୁ ବାରିପଦା ସ୍ଥାନାନ୍ତର କରିଥିଲେ; ଫଳରେ ମୁସଲମାନଙ୍କ ଦଖଲରେ ଥିବା ଏହି ଗଡ ଯତ୍ନ ଅଭାବରୁ ନଷ୍ଟ ହେବାକୁ ଲାଗିଲା। ଗଡ଼ର ମୁଖ୍ୟଦ୍ୱାର ପୂର୍ବଦିଗକୁ ଥିବା ବେଳେ ଚତୁଃପାର୍ଶ୍ବରେ ୪ଟି ବିକଳ୍ପ ଦ୍ୱାର ଥିଲା। ମହାରାଜା ବୈଦ୍ୟନାଥ ଭଞ୍ଜ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ଗଡ଼ର ବାମପାର୍ଶ୍ବରେ ସ୍ୱତନ୍ତ୍ର ଇଟାରେ ଏକ ରସିକରାୟ ମନ୍ଦିର ନିର୍ମାଣ କରିଥିଲେ, ଯେଉଁ ଇଟା ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ। ସେହିପରି ଧର୍ମ ବିଶ୍ୱାସୀ ଭଞ୍ଜ ପରିବାର ଗଡ଼ ପରିସରରେ ଜଗନ୍ନାଥ ତଥା ବିଭିନ୍ନ ଦେବଦେବୀଙ୍କ ମନ୍ଦିର ନିର୍ମାଣ କରିଥିଲେ। ରସିକରାୟ ମନ୍ଦିରର ଉତ୍ତରକୁ ରାଜଦରବାର ଅବସ୍ଥିତ। ସେଠାରୁ ଗଡ଼ ଭିତରକୁ ସ୍ୱତନ୍ତ୍ର ରାସ୍ତା ସାଙ୍ଗକୁ ଦୁଇ ପାର୍ଶ୍ବରେ କର୍ମଚାରୀ ରହିବା ପାଇଁ ଗୃହ ଥିଲା। ଗଡ଼ର ମଧ୍ୟଭାଗରେ ଆମୋଦପ୍ରମୋଦ ପାଇଁ ଏକ ସ୍ୱତନ୍ତ୍ର ଗୃହ ନିର୍ମାଣ କରାଯାଇଥିଲା। ପଶ୍ଚିମ-ଉତ୍ତର ଦିଗରେ ମହାରାଜାଙ୍କ ଶୟନ କକ୍ଷ ଥିବା ବେଳେ ଦକ୍ଷିଣ-ପଶ୍ଚିମ ଦିଗରେ ମହାରାଣୀଙ୍କ କକ୍ଷ ଥିଲା। ଗଡ଼ଭିତରେ ଥିବା ସମସ୍ତ ଗୃହକୁ ସ୍ୱତନ୍ତ୍ର ଭାବେ ନିର୍ମିତ ମାଟି ପାଇପ ମାଧ୍ୟମରେ ପାଣି ଯୋଗାଣର ସୁବିଧା ସେ ସମୟରେ ଉପଲବ୍ଧ ଥିଲା, ଯାହାକି ପ୍ରତ୍ନତାତ୍ତ୍ୱିକ ବିଭାଗ ଉତ୍‍ଖନନରୁ ଜଣାଯାଏ। ଉତ୍‍ଖନନରୁ ଗଡ଼ରେ ଏକ ଗୁପ୍ତ ଗୃହର ସନ୍ଧାନ ମିଳିବା ପରେ ଭୂମିତଳେ ଅନେକ ଗୃହ ତଥା କିମ୍ବଦନ୍ତୀ ରହିଥିବା କୁହାଯାଉଛି। ନବେ ଦଶକର ପ୍ରଥମାର୍ଦ୍ଧରେ ବିଭାଗ ପକ୍ଷରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ କିଛି ଅଳ୍ପ ସ୍ୱଳ୍ପ କାର୍ଯ୍ୟ ହେଉଥିଲେ ହେଁ ଗଡ଼ର ପୁନରୁଦ୍ଧାର ସମ୍ଭବ ହୋଇ ନ ଥିଲା। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ ମଇ ମାସରେ ହରିପୁର ଗସ୍ତରେ ଆସି ରାତ୍ରିଯାପନ କରିବା ପରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଅନୁରୋଧ ପରେ ସେ ପୁନରୁଦ୍ଧାର ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ପ୍ରସ୍ତାବ ଦେଇଥିଲେ।

Comments are closed.