ଜାତୀୟ ରାଜପଥ ହାତକୁ ଯିବ ପୂର୍ତ୍ତ ବିଭାଗର ୧୦ ସଡକ

ବଡ଼ସାହି(ମନୋଜ ପଣ୍ଡା): ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲାର ପୂର୍ତ୍ତବିଭାଗର ୧୦ଟି ରାଜ୍ୟ ରାଜପଥ ଓ ଏମଡ଼ିଆର ସଡ଼କ ଜାତୀୟ ରାଜପଥ ଅଧୀନକୁ ଯିବ ବୋଲି ଜଣାପଡ଼ିଛି। ଜାତୀୟ ରାଜପଥର ବାରିପଦା ବିଭାଜନ (ଏନଏଚ ଡ଼ିଭିଜନ) ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭାଗର ବାରିପଦାସ୍ଥିତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସୁତ୍ରରୁ ଜଣାପଡ଼ିଥିବା ତଥ୍ୟ ଅନୁଯାୟୀ ଜାତୀୟ ରାଜପଥ ଅଧିନକୁ ଯିବାକୁ ଥିବା ସଡ଼କ ଗୁଡ଼ିକ ହେଲା ତିରିଂ-ରାଇରଙ୍ଗପୁର, ହାଟଗମ୍ଭାରିଆ-ବେନିସାଗର-ସିଙ୍ଗଡ଼ା, ରାଇରଙ୍ଗପୁର ବାଇପାସ, ଯଶୀପୁର-ଚମ୍ପୁଆ, କଳାବାଡ଼ିଆ-ବାଙ୍ଗିରିପୋଷୀ-ବିଶୋଇ-ରାଇରଙ୍ଗପୁର, ବାଲେଶ୍ୱର-ଚାନ୍ଦିପୁର, ଠାକୁରମୁଣ୍ଡା-ଶରତ-କପ୍ତିପଦା-ବାରିପଦା-ପଶ୍ଚିମବଙ୍ଗ ବର୍ଡ଼ର, ଶେରଗଡ଼-ନୀଳଗିରି-କପ୍ତିପଦା-ଉଦଳା-ମାଣତ୍ରୀ-ବୈଶିଙ୍ଗା-ରୁପ୍ସା, ଠାକୁରମୁଣ୍ଡା-କରଞ୍ଜିଆ-ସିଙ୍ଗଡ଼ା ଓ ଜଳୋ୍ବର-ବାଟଗ୍ରାମ-ଚନ୍ଦନେଶ୍ୱର-ପଶ୍ଚିମବଙ୍ଗ ବର୍ଡ଼ର। ଏହି ୧୦ଟି ସଡ଼କ ମଧ୍ୟରୁ ତିରିଂ-ରାଇରଙ୍ଗପୁର ୩୭ କିମି ସଡ଼କ ପାଇଁ ଜାତୀୟ ରାଜପଥ ମନ୍ତ୍ରଣାଳୟ ଅନୁମୋଦନ ମିଳି ସାରିଥିବା ବେଳେ ୧୧୧କୋଟି ୧୧ଲକ୍ଷ ୪୭ହଜାର ଟଙ୍କାର ଅଟକଳ ସମ୍ବନ୍ଧୀୟ ଡ଼ିପିଆର ଦାଖଲ କରାଯାଇଛି। ଆଗାମୀ ୨ରୁ ୩ମାସ ମଧ୍ୟରେ ଟେଣ୍ଡର ଆହ୍ୱାନ କରାଯାଇ କାର୍ୟାରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନା ଥାଉକି, ବର୍ତ୍ତମାନ ବିଭାଗ ପକ୍ଷରୁ ଯଶୀପୁର-ରାଇରଙ୍ଗପୁର ୨୨୦ନଂ ରାଜପଥ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଯଶୀପୁର-ଚମ୍ପୁଆ, କଳାବାଡ଼ିଆ-ବାଙ୍ଗିରିପୋଷୀ-ବିଶୋଇ-ରାଇରଙ୍ଗପୁର, ବାଲେଶ୍ୱର-ଚାନ୍ଦିପୁର, ଠାକୁରମୁଣ୍ଡାରୁ ପଶ୍ଚିମବଙ୍ଗ ବର୍ଡ଼ର, ଶେରଗଡ଼ରୁ ଉଦଳା-ବୈଶିଙ୍ଗା ହୋଇ ରୁପ୍ସା, ଠାକୁରମୁଣ୍ଡାରୁ ସିଙ୍ଗଡ଼ା ଓ ଜଳେଶ୍ୱରରୁ ଚନ୍ଦନେଶ୍ୱର ହୋଇ ପଶ୍ଚିମବଙ୍ଗ ବର୍ଡ଼ର ୭ଟି ସଡ଼କ ଜାତୀୟ ରାଜପଥ ଅଧୀନକୁ ଯିବା ପାଇଁ ପ୍ରସ୍ତାବ ଦିଆଯାଇଛି। କେତେକ ସଡ଼କର ପ୍ରାଥମିକ ସର୍ଭେ କାର୍ୟ୍ୟ ଆରମ୍ଭ ହେବାକୁ ଥିବା ବେଳେ ଆଉ କେତେକ ସର୍ଭେ ସରିଛି। ତେବେ ୩ଜିଲାରୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଏନେଇ ଲୋକସଭା ଓ ରାଜ୍ୟସଭାରେ ଦାବି ଉପସ୍ଥାପନ ସହିତ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଓ ମନ୍ତ୍ରଣାଳୟ ନିକଟରେ ଦାବି ଦୋହରାଇବା ଜରୁରୀ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

Comments are closed.