ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବିରେ ବଡ଼ସାହି ବ୍ଲକରେ କଂଗ୍ରେସର ଧାରଣା

ବଡ଼ସାହି : ମୟୁରଭଞ୍ଜ ଜିଲା ସର୍ବବୃହତ୍ତ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବିରେ ବ୍ଲକ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ନଭେମ୍ବର ୨୭ତାରିଖରେ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସଧୀକାରୀଙ୍କ ଉଦେଶ୍ୟରେ ଏକ ଦାବି ଓ ଚେତାବନୀ ପତ୍ର ସ୍ଥାନୀୟ ଭାରପ୍ରାପ୍ତ ଚିକତ୍ସାଧୀକାରୀଙ୍କୁ ପ୍ରଦାନ କରିଥିଲେ।। ଡ଼ାକ୍ତରଖାନାରେ ଜଣେ କେହି ବିଶେଷଜ୍ଞ ଡାକ୍ତର ନଥିବା ବେଳେ ଗତ ବିଧାନସଭାରେ ପ୍ରଶ୍ନକାଳ ସମୟରେ ବଡ଼ସାହି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପକ୍ଷରୁ ପ୍ରତ୍ତଦ ଉତ୍ତରରେ ୪ଜଣ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ କରୁଛନ୍ତି ବୋଲି ତଥ୍ୟ ପ୍ରଦାନ ପ୍ରତିବାଦରେ ଦଳ ପକ୍ଷରୁ ଚେତାବନୀ ପତ୍ର ଦିଆଯାଇଥିଲା। ସମସ୍ୟା ସମ୍ପର୍କରେ ଦଳ ପକ୍ଷରୁ ଅନେକ ଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ ବାସ୍ତବ ସ୍ଥିତି ସମ୍ପର୍କରେ ମନ୍ତ୍ରୀ ଅଜ୍ଞ ଥିବାରୁ ୭ଦିନ ମଧ୍ୟରେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବା ସହିତ ପ୍ରତୀକ ଧର୍ମଘଟ କରିବ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଥିଲା। ତତ୍‍ନୁଯାୟୀ ଗୁରୁବାର ପୂର୍ବାହ୍ଣରେ ବ୍ଲକ କଂଗ୍ରେସ ପକ୍ଷରୁ ଡ଼ାକ୍ତରଖାନା ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଦଳର ବରିଷ୍ଠ ନେତା ପ୍ରକାଶ କର ମହାପାତ୍ର, ଗୁଣନିଧି ମହାନ୍ତି, ଶଶାଙ୍କ ଶେଖର କର, ମନୋରଞ୍ଜନ ବଳା, ବିରଞ୍ଚି ନାରାୟଣ ମହାପାତ୍ର, ଆନନ୍ଦ ଶଙ୍କର ପାତ୍ର, ହାଡ଼ିବନ୍ଧୁ ମହାପାତ୍ର, ଖଗେଶ୍ୱର ନାୟକ, ଆନନ୍ଦ ପଣ୍ଡା, ବିହାରୀ ଲାଲ ବେହେରା, ଶ୍ରୀଧର ବାରିକ, ଅମୁଲ୍ୟ ବେହେରା, ପ୍ରୀତିଶ ପଣ୍ଡା, ବଳରାମ ଟୁଡୁ, ବାଙ୍କାନିଧି ସିଂ, ସନ୍ତୋଷ ବେହେରା, ବାବି ମିଶ୍ର, ଶାନ୍ତନୁ ଦଣ୍ଡପାଟ ଓ ସୁଶାନ୍ତ ସାହୁ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ତଥା ସମର୍ଥକ ଯୋଗଦେଇ ମନ୍ତ୍ରୀ ଓ ସରକାରଙ୍କୁ କୋଟି ସମାଲୋଚନା କରିଥିଲେ।

ବ୍ଲକର ୩୦ଗୋଟି ପଞ୍ଚାୟତର ୨ଲକ୍ଷ ଊର୍ଦ୍ଧ୍ବ ଜନସାଧାରଣଙ୍କ ପାଇଁ ବଡସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ୩ଜଣ ଡ଼ାକ୍ତର କାର୍ଯ୍ୟ କରୁଛନ୍ତି। ସମସ୍ତେ ନବାଗତ ଏମ୍‍ବିବିଏସ୍‍ ଡାକ୍ତର ଏଠାରେ କାର୍ଯ୍ୟକରୁଥିବା ବେଳେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ୱରେ ଥିବା ଡାକ୍ତର ସଞ୍ଜିବ କୁମାର ବଇତାଇ ଶାକୁଆ ପିଏଚସିରୁ ଡେପୁଟେସନରେ ଆସି ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

ସରକାରଙ୍କ ନିୟମ ଅନୁଯାୟୀ, ଏଠାରେ ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ମିଶାଇ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ରୋଗ, ଭେଷଜ ଏବଂ ଶଲ୍ୟ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ୬ଜଣ ଡାକ୍ତର ରହିବା କଥା। ପରନ୍ତୁ ଏଠାରେ ଜୁନ ୨୦୧୩ରୁ ଭେଷଜ, ଏପ୍ରିଲ ୨୦୧୫ରୁ ଶିଶୁ ରୋଗ, ଜୁନ ୨୦୧୫ରୁ ଶଲ୍ୟ ବିଶେଷଜ୍ଞ ଓ ଅଗଷ୍ଟ ୨୦୧୬ରୁ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡ଼ାକ୍ତର ପଦବୀ ଖାଲି ରହିଛି। ବିଶେଷଜ୍ଞ ଡାକ୍ତର ନଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏପରି ସ୍ଥିତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସ ଦେଇଥିବା ଉତ୍ତରରେ ସେ ଏଠାରେ ୪ଜଣ ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ କରୁଥିବା ଦର୍ଶାଇବା ସ୍ୱାସ୍ଥ୍ୟ ବିଭାଗର ବଡ଼ସାହି ଡ଼ାକ୍ତରଖାନାକୁ ଅଣ ଦେଖା କରିବା ବର୍ତ୍ତମାନ ଚିନ୍ତାର କାରଣ। ବିଭାଗ ପାଖରେ ଯଦି ବାସ୍ତବ ସ୍ଥିତି ନାହିଁ ତେବେ ଅଭାବ ବିଶେଷଜ୍ଞ ଡ଼ାକ୍ତର ପଦବୀ ପୂରଣ କିପରି ହେବ। ଆଗାମୀ ଦିନରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରାନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସମସ୍ତେ ଚେତାବନୀ ଦେଇଥିଲେ।

Comments are closed.