ଅବକାରୀ ଓ ପୁଲିସ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ : ମାଲାମାଲ ହେଉଛନ୍ତି ଅଭିଯୁକ୍ତ

ବଡ଼ସାହି : ମୟୂରଭଞ୍ଜ ଜିଲା ଅବକାରୀ ଓ ବନବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ (ବୁଧବାର ୨୩ତାରିଖ)ରେ ବଡ଼ସାହି ଥାନା ଅଧୀନ ଉଠାଣୀନୂଆଗାଁ ଗ୍ରାମରୁ ବିପୁଳ ପରିମାଣର ଗଞ୍ଜେଇ ଓ ନକଲି ମଦ ସମେତ ମଦତିଆରି ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ଜବତ କରିଥିଲେ। ଏହି ଘଟଣାକୁ ୫ଦିନ ବିତିଥିଲେ ହେଁ ଅଭିଯୁକ୍ତ ୨ଭାଇ ଉଠାଣୀନୂଆଗାଁ ଗ୍ରାମର ସୁନୀଲ ପୃଷ୍ଟି ଓ ସୁବାସ ପୃଷ୍ଟିଙ୍କୁ ଗିରଫ କରିବାରେ ଅବକାରୀ ବିଭାଗ ବିଫଳ ରହିଛି। ଅନ୍ୟ ପକ୍ଷରେ ଘଟଣା ଦିନ ଅବକାରୀ ବିଭାଗ ବନବିଭାଗ ସହିତ ଚଢ଼ାଉ କରିଥିବା ବେଳେ ପୁଲିସ ସହାୟତା ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠାରୁ ଚିନ୍ତାର ବିଷୟ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ଜଣାପଡ଼ିବା ଓ ଅଭିଯୁକ୍ତ ୨ଭାଇ ଫେରାର ଥିଲେ ହେଁ ବେତନଟୀ ଅବକାରୀ ବିଭାଗ ବଡ଼ସାହି ଥାନା ସହିତ ଆଲୋଚନା ମଧ୍ୟ କରିନାହିଁ। ଅନ୍ୟପକ୍ଷରେ ଅବକାରୀ ବିଭାଗ କାର୍ଯ୍ୟରେ ହସ୍ତକ୍ଷେପ ନକରି ବଡ଼ସାହି ପୁଲିସ୍‍ ମଧ୍ୟ ଘଟଣାର ଛାନ୍‍ଭିନ କରୁନାହିଁ।

ଘଟଣା ଦିନ ଅଭିଯୁକ୍ତ ୨ଭାଇ ଘରେ ନଥିବା ବେଳେ ସାନ ଭାଇ ସୁବାସଙ୍କ କୋଠରୀ ତାଲା ଭଙ୍ଗାଯିବାରୁ ତା’ ଭିତରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର ପ୍ରସ୍ତୁତ ୧୦୮ଟି ମଦବୋତଲ, ୫୬୦ଟି ଖାଲି ବୋତଲ, ୮୮୯ଟି ଠିପି, ୪୮୦ଟି ସୋଲପ୍ୟାକ୍‍, ଖୋଳ, ଲେବୁଲ, ସିଲ୍‍, ୩ଲିଟର ସ୍ପିରିଟ, ୫ଲିଟର ରମ୍‍, ୪୮ଲିଟର ଥିନର, କାରାମେଲ୍‍ ଓ ୨୦୦ମିଲି ଳିଟର ରଙ୍ଗ ଆଦି ବିଦେଶୀ ମଦ ତିଆରି ସାମଗ୍ରୀ ଜବତ ହୋଇଥିଲା। ସେହିପରି ବଡ଼ଭାଇ ସୁନୀଲଙ୍କ କୋଠରୀ ନିକଟ ପରିତ୍ୟକ୍ତ ସ୍ଥାନରୁ ୫କିଗ୍ରାରୁ ଊର୍ଦ୍ଧ୍ବ ଓଜନର ଗଞ୍ଜେଇ ଜବତ ହୋଇଥିଲା। ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏନେଇ ବେତନଟୀ ଅବକାରୀ ବିଭାଗ ପକ୍ଷରୁ ଉଭୟଙ୍କ ନାମରେ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ବେତନଟୀ ଅବକାରୀ ଇନିସ୍‍ପେକ୍ଟର ଶ୍ରୀନିବାସ ସାହୁ ଓ ଫରେଷ୍ଟର ସୁଶାନ୍ତ ବାଗ୍‍ଙ୍କ ନେତୃତ୍ୱରେ ଉଭୟ ବିଭାଗର କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ। ତେବେ ବିଭିନ୍ନ ବିଦେଶୀ ମଦ କମ୍ପାନୀର ଅବିକଳ ନକଲର ବୋତଲ, ଠିପି, ସିଲ୍‍ ଓ ଖୋଳ ବିପୁଳ ପରିମାଣ ମିଳିଥିବାରୁ ଉକ୍ତ ଘରେ ନକଲି ମଦ ପ୍ରସ୍ତୁତ ହେଉଥିବା ପ୍ରମାଣିତ। ଏହି ମଦ ବଡ଼ସାହି, ବାରିପଦା ଓ ଖୁଣ୍ଟା ଥାନା ସହିତ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାକୁ ମଧ୍ୟ ସପ୍ଲାଏ ହେଉଥିଲା।

ଏକ ସମ୍ବେଦନ ଘଟଣାରେ ପୁଲିସ୍‍ ଓ ଅବକାରୀ ବିଭାଗ ସମନ୍ୱୟ ଅଭାବର ଫାଇଦା ନେଉଛନ୍ତି ଅଭିଯୁକ୍ତ ଦ୍ୱୟ। ଏନେଇ ବଡ଼ସାହି ଥାନାଧିକାରୀ ବିଶ୍ୱଜ ରାଉତରାୟଙ୍କୁ ପଚାରିବାରୁ ଅବକାରୀ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କହିଥିବା ବେଳେ ଅବକାରୀ ଇନ୍ସ୍‍ପେକ୍ଟର ଶ୍ରୀ ସାହୁ ଅଭିଯୁକ୍ତଙ୍କ ଅପରାଧ ପୃଷ୍ଠଭୂମି ସମ୍ବନ୍ଧରେ ଜାଣିବା ପାଇଁ ବଡ଼ସାହି ପୁଲିସକୁ ଚିଠି ଲେଖା ସରିଛି, ଆସନ୍ତା କାଲି ଯିବେ ବୋଲି କହିଛନ୍ତି । ବିଭାଗ-ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ହେତୁ ସେମାନେ ଚକମା ଦେଖାଇ ଫେରାର ହେବା ସହିତ ଆଗୁଆ ଜାମିନ ଆବେଦନ କରିଥିବାନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.