ବେତନଟୀକୁ ସବଡ଼ିଭିଜନ ମାନ୍ୟତା ନେଇ ସ୍ମାରକପତ୍ର ପ୍ରଦାନ

ବଡ଼ସାହି : ବେତନଟୀକୁ ସବଡ଼ିଭିଜନ ମାନ୍ୟତା ଦାବି ନେଇ ବଡ଼ସାହି-ବେତନଟୀ ବିକାଶମଞ୍ଚ ପକ୍ଷରୁ ବୁଧବାର ତିନିଗୋଟି ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ମଞ୍ଚ ପକ୍ଷରୁ ଆବାହକ ତଥା ପ୍ରେସକ୍ଲବ ‘୨୪ ଗୁଣନ ୭’ର ସଭାପତି ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ରାଜସ୍ୱ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସାକ୍ଷାତ କରି ସବଡ଼ିଭିଜନ ମାନ୍ୟତାର ଯୁକ୍ତିଯୁକ୍ତ ଦାବି ଉଲ୍ଲେଖିତ ସ୍ମାରକ ପତ୍ର ପ୍ରଦାନ କରି ସମସ୍ତଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବଡ଼ସାହି ବିଧାୟକ ସନାତନ ବିଜୁଳି, ଜିଲାପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ସାମ୍ବାଦିକ ଅରୁଣ କୁମାର ଓତା, ସଞ୍ଜୟ ମିଶ୍ର, ତପନ ପତି, ସମାଜସେବୀ ସ୍ୱରୂପ କୁମାର ପଟ୍ଟନାୟକ ଓ ବୈଜ୍ଞାନିକ ଡ଼. ଜଗନ୍ନାଥ ପାତ୍ର ସାମିଲ ଥିଲେ। ପ୍ରକାଶ ଥାଉ କି ମଞ୍ଚ ଗଠନ ପରେ ଏକାଧିକ ବୈଠକରେ ଗୃହୀତ ସର୍ବସମ୍ମତି ପ୍ରସ୍ତାବ ଅନୁଯାୟୀ ଉପରୋକ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବଡ଼ସାହି,ବେତନଟୀ, ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକକୁ ନେଇ ଉପଖଣ୍ଡ ସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବେତନଟୀରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ବେଳେ ସବଡ଼ିଭିଜନ ମାନ୍ୟତା ପାଇଁ ବେତନଟୀ ସମସ୍ତ ସର୍ତ୍ତାବଳୀ ପୂରଣ କରୁଛି ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ।

Comments are closed.