ମୟୁରଭଞ୍ଜ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣରେ ଅନିଶ୍ଚିତତା

ନିର୍ମାଣ ସଂସ୍ଥା ଦ୍ୱାରା ପ୍ରତାରିତ ପେଟି ଠିକାଦାର ଆମରଣ ଅନଶନ ଚେତାବନୀ

ବଡ଼ସାହି: ଖରିଫ ଧାନ ଚାଷ ସମୟରେ ନଦୀରୁ ପାଇପ ଯୋଗେ ଉଠା ଜଳସେଚନ ଦ୍ୱାରା ଜମିକୁ ପାଣି ଯୋଗାଇବା ପାଇଁ ମୟୁରଭଞ୍ଜ ଜିଲାରେ ୧୩ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି। ମୟୁରଭଞ୍ଜ ଜିଲାରେ ଦକ୍ଷିଣ ଭାରତର ଜେଭିପିଆର ନିର୍ମାଣ ସଂସ୍ଥା ଦ୍ୱାରା ୫୧୭କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୬ମସିହାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ୨୦୧୯ ଜୁନ ମାସ ସୁଦ୍ଧା ପ୍ରକଳ୍ପ ନିର୍ମାଣ ଶେଷ ପାଇଁ ଧାର୍ଯ୍ୟ ସମୟ ଥିବା ବେଳେ ନିର୍ମାଣ ସଂସ୍ଥା ଅଧିକ ୯ମାସ ସମୟ ନେଇଥିବା ଜଣାପଡ଼ିଛି। ଖରିଫ ଋତୁରେ ଜଳାଭାବ ପାଇଁ ଧାନଚାଷ କ୍ଷତିଗ୍ରସ୍ତକୁ ରୋକିବା ପାଇଁ ଜଳସେଚନ ସୁବିଧା ନଥିବା ଜିଲାର ବଡ଼ସାହି ବ୍ଲକର ବଳଭଦ୍ରପୁର, ଖୁଣ୍ଟାପାଳ, କୁଡ଼ିମୁଣ୍ଡା ଓ ଦାମଦୋରପୁର ଠାରେ ୪ଟି ପ୍ରକଳ୍ପ ଥିବା ବେଳେ ବାଙ୍ଗିରିପୋଷିର ବାଙ୍ଗିରିପୋଷି, ହିଞ୍ଜିଳ ଓ କଂସାପାଳ ଠାରେ ୩ଟି, କପ୍ତିପଦା ବ୍ଲକର ଜାମୁଡ଼ିହା ଏବଂ କରଞ୍ଜିଆ ଓ ରାଇରଙ୍ଗପୁର ବ୍ଲକର ୫ଟି ପ୍ରକଳ୍ପକୁ ମିଶାଇ ମୋଟ ୧୩ଟି ପ୍ରକଳ୍ପ ନିର୍ମାଣ ଚାଲିଛି। ବିଭିନ୍ନ ନଦୀ ଗର୍ଭରେ ଇନଟେକ୍‍ ୱାଲ, ପମ୍ପହାଉସ, ଷ୍ଟାଫ କ୍ୱାଟର, ମାଇନର ସବ୍‍ଡ଼ିଭିଜନ ଇଲେକ୍‍ଟ୍ରିକ୍‍ ସପ୍ଲାଏ ନିର୍ମାଣ ସହିତ ନଦୀରୁ ଚାଷ ଜମି ପର୍ଯ୍ୟନ୍ତ ଭୂତଳ ପାଇପ ବିଛାଇବା କାମ ଆରମ୍ଭ ହୋଇଥିଲେ ହେଁ ରାଇରଙ୍ଗପୁର ବ୍ଲକର ରେଡ଼ମା ପ୍ରକଳ୍ପ ବ୍ୟତୀତ ଅନ୍ୟ ୧୨ଟି ପ୍ରକଳ୍ପ ଏକ ଚତୁର୍ଥାଂଶ ବା ୨୫ଶତକଡ଼ା କାର୍ଯ୍ୟ ଶେଷ ହୋଇନାହିଁ। ଅନୁଧ୍ୟାନରୁ ଜଣାଯାଇଛି ଯେ, ଏହି ସଂସ୍ଥା ନିଜେ କାମ ନକରି ସ୍ଥାନୀୟ ଠିକାଦାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଉଛି। ପୁଣି କିଛି ଦିନ ଅନ୍ତରରେ ସେମାନଙ୍କୁ ହଟାଇ ପୁଣି ନୂତନ ଠିକାଦାରଙ୍କୁ କାର୍ଯ୍ୟରେ ଲଗାଉଛି। ସମସ୍ତ ଠିକାଦାରଙ୍କୁ ଯଥା ସମୟରେ ପ୍ରାପ୍ୟ ପ୍ରଦାନ କରୁନଥିବାରୁ ବର୍ତ୍ତମାନ ନିର୍ମାଣ କାର୍ଯ୍ୟରେ ଅନିଶ୍ଚିତତା ଆସିଛି। ବଡ଼ସାହି, ବାଙ୍ଗିରିପୋଷି ଓ କପ୍ତିପଦା ବ୍ଲକରେ କାର୍ଯ୍ୟ କରି ପ୍ରତାରିତ ହୋଇଥିବା ୬ଜଣ ଠିକାଦାର ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଜିଲାପାଳଙ୍କୁ ଲିଖିତ ଚେତାବନୀ ପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୭ତାରିଖ ସେମାନେ ଅନୁରୂପ ଅନଶନ ଚେତାବନୀ ଦେଇଥିଲେ। ତେବେ ନିର୍ମାଣ ସଂସ୍ଥା ସମାଧାନ ପାଇଁ ସମୟ ଚାହିଁବାରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଆଲୋଚନା ଅନୁଯାୟୀ ଅଦ୍ୟାବଧି କାର୍ଯ୍ୟ କରିଥିବା ଠିକାଦାରଙ୍କ କୋଟି କୋଟି ଟଙ୍କା ଠିକା ସଂସ୍ଥା ପକ୍ଷରୁ ଦିଆଯାଇ ନଥିବାରୁ ସମସ୍ତେ କାର୍ଯ୍ୟ ବନ୍ଦ ରଖିଛନ୍ତି। ତେବେ ନିର୍ମାଣ ସଂସ୍ଥା ପୂର୍ବ ପରି ନୂତନ ଠିକାଦାରଙ୍କ ଦ୍ୱାରା ପରବର୍ତ୍ତ କାର୍ଯ୍ୟ ସମ୍ପାଦନ ପାଇଁ ଯୋଜନା କରୁଥିବାରୁ ପ୍ରତାରିତ ଠିକାଦାର ଉପରୋକ୍ତ ଅନଶନ ପାଇଁ ସିଦ୍ଧାନ୍ତ ନେଇଥିବା କହିଛନ୍ତି। ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କୁ ପଚାରିବାରୁ ସେ କହନ୍ତି ‘ବର୍ଷାଋତୁ ପାଇଁ କାର୍ଯ୍ୟ ବନ୍ଦ ଥିଲା, ଏବେ ଆରମ୍ଭ ହେବ। ଠିକାଦାରଙ୍କ ବିବାଦ ନିର୍ମାଣ ସଂସ୍ଥାର ଆଭ୍ୟନ୍ତରୀଣ ବିଷୟ। ତେବେ ଉପୁଜିଥିବା ସମସ୍ୟା ସମାଧାନ ସରିଛି, କେବଳ ସଂସ୍ଥା ପକ୍ଷରୁ କେତେକଙ୍କ ପ୍ରାପ୍ୟ ଦିଆଯିବା ବାକିଅଛି’ବୋଲି ସମାଜକୁ କହିଛନ୍ତି।

 

Comments are closed.