ଚିରନିଦ୍ରାରେ ବାଣୀପୀଠର ପ୍ରତିଷ୍ଠାତା ଅଧ୍ୟକ୍ଷ ପଣ୍ଡିତ ଲକ୍ଷ୍ମୀଧର ରାଉତ

ବଡ଼ସାହି : ଚିରନିଦ୍ରାରେ ବାଣୀପୀଠର ପ୍ରତିଷ୍ଠାତା ଉତ୍କଳରତ୍ନ ପଣ୍ଡିତ ଲକ୍ଷ୍ମୀଧର ରାଉତ। ଲିଭିଗଲା ଓଡ଼ିଆ ସାରସ୍ୱତ ସାଧନା ଜଗତର ଜଣେ ସଂଗ୍ରାମୀ ପଥିକଙ୍କ ଜୀବନ ଦୀପ। ନିଶ୍ୱାସ ନେବାରେ କଷ୍ଠ ଅନୁଭବ ହେବାରୁ ସ୍ୱର୍ଗତ ରାଉତଙ୍କୁ ବଡ଼ସାହି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ପବିତ୍ର ମୂଳାଷ୍ଟମୀ ବା ଦ୍ୱିତୀୟ ଓଷା ପୂର୍ବାହ୍ଣ ୮ଟା ୫ମିନିଟରେ ସେ ସବୁଦିନ ପାଇଁ ଆଖି ବୁଝି ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ତାଙ୍କର ଶେଷ ଦର୍ଶନ ପୂର୍ବକ ଶୋକ ସନ୍ତପ୍ତ ବାଣୀପୀଠ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। କୋଭିଡ଼-୧୯ ନିୟମ ଅନୁଯାୟୀ ମଧ୍ୟାହ୍ଣରେ ଏକ ଶୋଭାଯାତ୍ରାରେ ସ୍ୱର୍ଗତ ରାଉତଙ୍କ ମରଶରୀରକୁ ନିଜ ପୌତୃିକ ଗ୍ରାମ ତଥା ବାଣୀପୀଠର ଏନ୍ତୁଡ଼ିଶାଳ ହଳଦୀପଦାକୁ ନିଆଯାଇ ଶେଷକୃତ ସମ୍ପାଦନ କରାଯାଇଛି।

ସ୍ୱର୍ଗତ ରାଉତ ୧୯୪୦ମସିହା ସେପ୍ଟେମ୍ବର ୭ତାରିଖରେ ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକର କେନ୍ଦୁଡ଼ିହା ପଞ୍ଚାୟତ ଅଧୀନ ହଳଦୀପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତୁଳସୀ ଦୁଇପତ୍ରରୁ ବାସିବା ଭଳି ୧୬ବର୍ଷ ବୟସରୁ ତାଙ୍କ ପ୍ରତିଭାର ବିକାଶ ଜଣାପଡ଼ିଥିଲା। ସେତେବେଳେ ସେ କେନ୍ଦୁଡ଼ିହା ଠାରେ ଶରତଚନ୍ଦ୍ର ପାଠାଗାର ଓ ଶିଶୁ ସ୍ରୋତା ସମିତି ସହିତ ଏକ ନିମ୍ନ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଥିଲେ। ତତ୍‍ସହିତ ଆମ୍ବଡ଼ାଳି ଉପ୍ରା ସ୍କୁଲ ଏବଂ ଶଇତପୁର, ଡୁକୁରା, ବୈଦପୁର ଓ କୁଳିଅଣା ଏମଇ ସ୍କୁଲର ଉନ୍ନତିରେ ନିଜକୁ ସାମିଲ କରି ୧୯୬୦ ମସିହାରେ ହାତଲେଖା ପତ୍ରିକା ‘ତ୍ରୀଶାଖା’ର ପ୍ରକାଶ ଆରମ୍ଭ କରିଥିଲେ। ସମାଜର କୁସଂସ୍କାର ମୁହଁରୁ ରକ୍ଷା କରିବା ପାଇଁ ‘ବ୍ରହ୍ମାନନ୍ଦ ବେଦ ନିକେତନ’ ରଣୀବନ୍ଧ ଠାରେ ୧୯୬୯ ମସିହାରେ ସ୍ଥାପନ କରିବା ସହିତ ଆର୍ଯ୍ୟ ସମାଜ ତରଫରୁ ନିଜ ଉଦ୍ୟମରେ ରାଜ୍ୟ ସ୍ତରୀୟ ବେଦ ସମ୍ମେଳନ ଆୟୋଜନ କରିଥିଲେ। ୧୯୮୦ରେ ‘ଉତ୍କଳ ବେଦ ପ୍ରତିରକ୍ଷା ସମିତି’ର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟାରମ୍ଭ କରି ବର୍ତ୍ତନାରେ ‘ପୂର୍ଣ୍ଣଚନ୍ଦ୍ର କଳା ବିକାଶ ସଂସ୍ଥା’ ହଳଦୀପଦାରେ ‘ବାଣୀପୀଠ’, ଦୀନଦୁଃଖିନୀ ଅତିଥି ଭବନ ଓ ପାଠାଗାର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଓଡ଼ିଆ ଲେଖକ ପରିଷଦ, ‘ଆମସୁନାଚାନ୍ଦ’ ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ ଓ ସୁନାଚାନ୍ଦ ପ୍ରିଣ୍ଟିଂ ପ୍ରେସ୍‍ ଆଦି ଜରିଆରେ ସେ ସମାଜର ପରିବର୍ତ୍ତନ ଆଣିବାରେ ସଫଳତା ହାସଲ କରିଥିଲେ। ରାଜ୍ୟ ପାଲାକାରଙ୍କ ଉନ୍ନତି ପାଇଁ ପ୍ରଥମ ପାଲାକାର ସମ୍ମେଳନ ସ୍ୱର୍ଗତ ରାଉତଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଥିଲା।

ପଣ୍ଡିତ ରାଉତ ଏକାଧାରରେ ଜଣେ ସୁ-ସାହିତ୍ୟିକ, ଦକ୍ଷ ସଙ୍ଗଠକ, ସୁ-ବକ୍ତା, ପ୍ରଭାବଶାଳୀ ପ୍ରବଚକ ଓ ଗବେଷକ ଭାବରେ ନିଜର ପରିଚୟ ସୃଷ୍ଟି ସହିତ ୯୦ରୁ ଊର୍ଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି। ତନ୍ମଧ୍ୟରୁ ଅଠର ଦେଉଳ, ଟାଙ୍ଗରାଶୁଣି ପାହାଡ଼, ଶିମିଳିପାଳ, ଜେମାମଣି ଖଇରି, ସମୀବୃକ୍ଷ, ପଞ୍ଚସାଗର ତୀର୍ଥ, ଗର୍ଭନରୋଧକ, ହରିହରପୀଠ ମାଣତ୍ରୀ ଉପରେ ତାଙ୍କର ଗବେଷଣା ମୂଳକ ସନ୍ଦର୍ଭର ପରିଚୟ ଦେଖିବାକୁ ମିଳେ। ନିଜର ପ୍ରଚଣ୍ଡ ପ୍ରତିଭା ପାଇଁ ସେ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ୧୦୩ଟି ସ୍ଥାନରୁ ସମ୍ମାନ, ସମ୍ବର୍ଦ୍ଧନା, ପୁରସ୍କାର, ପଦ ଓ ଉପାଧିର ଅଧିକାରୀ ହୋଇଥିଲେ। ସବୁ ସାରସ୍ୱତ କାର୍ଯ୍ୟପନ୍ଥାକୁ ବିଚାର କରି ଓଡ଼ଶା କଳା, ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ସ୍କାର୍ଟ) ତାଙ୍କୁ ଉତ୍କଳରତ୍ନ ଉପାଧିରେ ଭୁଷିତ କରିଥିଲା।

ସ୍ୱଚେଷ୍ଟାରେ ସ୍ୱର୍ଗତ ରାଉତ ବାଣୀପୀଠ ଗଠନ ପରେ ସବୁବର୍ଷ ନେତ୍ରଉତ୍ସବ ଦିନରେ ସାରସ୍ୱତ ଦିବସ ପାଳନ ପାଇଁ ସମସ୍ତ ସାରସ୍ୱତ ଅନୁଷ୍ଠାନକୁ ଆହ୍ୱାନ କରି ସାରସ୍ୱତ ପତାକା ଉଦ୍ଭାବନ ପୂର୍ବକ ଉତ୍ତୋଳନ ଧାରା ରାଜ୍ୟରେ ବର୍ତ୍ତମାନ ପ୍ରଚଳିତ। ତାଙ୍କ ଉଦ୍ୟମରେ ୪୬ବର୍ଷ ଧରି ବଡ଼ସାହିରେ ବାଣୀପୀଠ ପକ୍ଷରୁ ପ୍ରତିବର୍ଷ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଶତାଧିକ ପ୍ରତିଭାଧାରୀ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି। ସ୍ୱର୍ଗତ ରାଉତ ବାଣୀପୀଠର ପ୍ରତିଷ୍ଠାତା ଅଧ୍ୟକ୍ଷ ସହିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ସମୂହର ସଭାପତି, ବନମାଳୀ ସେନାପତି ସାହିତ୍ୟ ଏକାଡ଼େମୀର ସଭାପତି, ଶ୍ରୀଅଭିରାମ ପରମହଂସ ସାହିତ୍ୟ ସଂସଦର ସଭାପତି ଏବଂ ଅନେକ ସାହିତ୍ୟ ଅନୁଷ୍ଠାନରର ଉପଦେଷ୍ଟା ରହିଥିଲେ।

ବଡ଼ସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ମୟୂରଭଞ୍ଜ ଜିଲା ସାମ୍ବାଦିକ ସଂଘର ସଭାପତି ଅରୁଣ ଓତା, ଶିକ୍ଷକ ଦର୍ପଣର ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି, ରାଜକିଶୋର ଆଚାର୍ଯ୍ୟ, ଜ୍ଞାନରଞ୍ଜନ ଦାଶ, ପ୍ରକାଶ ବେହେରା, ନିହାର ରଞ୍ଜନ ମହାପାତ୍ର, ମନୋଜ ପଣ୍ଡା ଓ ରଣଜିତ ପାତ୍ର ପ୍ରମୁଖ ଉପସ୍ଥିତ ରହି ମରଶରୀରରେ ପୁଷ୍କମାଲ୍ୟ ଅର୍ପଣ କରିଛନ୍ତି।

Comments are closed.