ଫାଟିଲାଣି ଭୂଇଁ, ଶୁଖିଲାଣି ଜମି

କାଗଜ କଲମରେ ଚାଲିଛି ଉଠାଜଳସେଚନ, ବର୍ଷା ହିଁ ସାହାଭରସା

ବଡ଼ସାହି : ‘ସପ୍ତାହ ମଧ୍ୟରେ ବର୍ଷା ନହେଲେ ଉଜୁଡ଼ିଯିବ ଚାଷୀର ସଂସାର। ମୋ ପରି ଅନେକ ଚାଷୀ ଘରେ ବର୍ତ୍ତମାନ ଖାଦ୍ୟ ରୁଜୁ ନାହିଁ କାହାରି’। ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଚନ୍ଦନପୁର ପଞ୍ଚାୟତର ତେନ୍ତୋଳ ଗ୍ରାମର ଚାଷୀ ଜଗଦୀଶ ଚନ୍ଦ୍ର ରଥଙ୍କ ପ୍ରତିକ୍ରିୟା ରହିଛି ଏପରି। ଏହି ଚାଷୀଙ୍କ ଭଳି ବଡ଼ସାହି ବ୍ଳକର ଅଣଜଳସେଚିତ ଚାଷ ଜମିର ଚାଷୀ ଓ ଭାଗଚାଷୀ ବର୍ତ୍ତମାନ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ୧୦ଦିନ ଧରି ବର୍ଷା ଅଭାବରୁ କରୋନା ମହାମାରୀ ଜନିତ ମାନ୍ଦାବସ୍ଥାରୁ ନିଜକୁ ସଳଖି ଛିଡ଼ା ହେବାକୁ ଚେଷ୍ଟାରତ ଚାଷୀ ଅଣ୍ଟା ନଇଁବାକୁ ଗଲାଣି। ସର୍ବସ୍ୱ ପୁଞ୍ଜି ବିନିଯୋଗ କରି ତୋଳି ପ୍ରସ୍ତୁତି ତଥା ରୁଆକାର୍ଯ୍ୟ ସାରିଥିବା ଚାଷୀର ବିଲରେ ପାଣି ଟିକକ ନଥିବାରୁ ସମସ୍ତେ ହତୋତ୍ସାହିତ ହୋଇ ପଡ଼ିଛନ୍ତି। କାଗଜ କଲମରେ ଚାଲିଛି ବ୍ଲକର ଉଠାଜଳସେଚନ ବିଭାଗ। ଫଳରେ ଦରକାର ସମୟରେ ଚାଷୀ ନଦୀ, ନାଳ ଓ ବିଭିନ୍ନ ଜଳଉତ୍ସରୁ ବର୍ତ୍ତମାନ ଜମିକୁ ପାଣି ମଡ଼ାଇବା ପାଇଁ ଲାଗିଛନ୍ତି। ଚାଷୀ ଚାଷ ଓ ଚାଷୀଙ୍କ ପାଇଁ ସରକାର ପର୍ଯ୍ୟାପ୍ତ ଅନୁଦାନ ପ୍ରଦାନ କରୁଥିଲେ ହେଁ ଉପରୋକ୍ତ ସମସ୍ୟା ପାଇଁ ବାସ୍ତବତା ଭିନ୍ନ ଚିତ୍ର ପ୍ରଦାନ କରୁଛି।
ବଡ଼ସାହି ବ୍ଲକ ମୟୂରଭଞ୍ଜ ଜିଲାରେ ସର୍ବବୃହତ୍ତ ବ୍ଲକ। ଶିମିଳିପାଳ ଠାରୁ ଆରମ୍ଭ କରି ବାଲେଶ୍ୱରର ରେମୁଣା ବ୍ଲକ ପର୍ଯ୍ୟନ୍ତ ଲମ୍ବିଛି ୩୦ଟି ପଞ୍ଚାୟତର ୨୨୪ଟି ରାଜସ୍ୱ ଗ୍ରାମ। ୨୫ହଜାରରୁ ଊର୍ଦ୍ଧ୍ବ ପରିବାର ଚାଷ ଉପରେ ନିର୍ଭଶୀଳ। ବାରିପଦା ଓ ବାଲେଶ୍ୱର ସହରକୁ ପ୍ରତ୍ୟେହ ପନିପରିବା ଯୋଗାଇଥାନ୍ତି ବ୍ଲକର ପରିବା ଚାଷୀ। ସେହିଭଳି ବର୍ଷରେ ୨/୩ଥର ଅମଳ ହେଉଥବା ଉନ୍ନତ କିସମର ଧାନଚାଷ ବ୍ଲକକୁ ଜିଲାର ଅଗ୍ରଣୀ ବ୍ଲକ ତାଲିକାରେ ରଖିଛି। ବଣପାହାଡ଼ ଓ ବୁଢ଼ାବଳଙ୍ଗ-ଗଙ୍ଗାହାର ନଦୀ ସଂଲଗ୍ନ ଜମି ପାଇଁ ଏଠାକାର ଚାଷଜମିର ଜଳଧାରଣ କ୍ଷମତା କମ୍‍ ଥିବାରୁ ଜଳସେଚନ ଉପରେ ପ୍ରାୟତଃ ଚାଷୀ ନିର୍ଭଶୀଳ। ମାଧବୀ, ଆମ୍ବଯୋଡ଼ା ଓ ପାଉଁଶିଆ ପରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଛୋଟବଡ଼ ପ୍ରକଳ୍ପ ଜରିଆରେ ମଧ୍ୟ ଚାଷୀ ଉପକୃତ ହେଉଛନ୍ତି। ଚାଷ ଜମିରେ ଜଳସେଚନ ମୂଖ୍ୟ ସମସ୍ୟା ପାଇଁ ସରକାର ପର୍ଯ୍ୟାପ୍ତ ଉଠା ଜଳସେଚନ ବ୍ୟବସ୍ଥା କରିଛନ୍ତି। ବ୍ଲକର ଉଠା ଜଳସେଚନ ବିଭାଗକୁ ବିଚାରକୁ ନେଲେ, ମିଳିଥିବା ତଥ୍ୟ ଅନୁଯାୟୀ ସରକାରୀ କାଗଜପତ୍ରରେ ବର୍ତ୍ତମାନ ସୁଦ୍ଧା ବ୍ଲକର ୨୨ଟି କ୍ଲଷ୍ଟରରେ ଥିବା ୨୦୨ଟି ସହଭାଗିତା ପାଣିପଞ୍ଚାୟତ ପ୍ରକଳ୍ପରେ ୪ହଜାରରୁ ଊର୍ଦ୍ଧ୍ବ ଚାଷୀ ମୋଟ ୨୯୪୮ହେକ୍ଟର ଜମିରେ ଜଳ ସେଚନ ପାଇ ଫସଲ ଅମଳ କରୁଛନ୍ତି। ସେହିପରି ଗୋଷ୍ଠୀ ପାଣିପଞ୍ଚାୟତ ମାଧ୍ୟମରେ ୧୬୫ଟି ପ୍ରକଳ୍ପରେ ୬ହଜାର ୨୫୦ଏକର ଜମିରେ ଚାଷ କରାଯାଉଛି। ଏଥିରେ ୪ହଜାରରୁ ଊର୍ଦ୍ଧ୍ବ ଚାଷୀ ରବି ଓ ଖରିଫ ଫସଲ ଚାଷ କରୁଛନ୍ତି।

ତଥ୍ୟାନୁସାରେ ମୋଟ ୩୬୭ଟି ପ୍ରକଳ୍ପ ଚାଲୁଥିବା ବେଳେ ମାତ୍ର ୧୨ଟି ପ୍ରକଳ୍ପ ଅଚଳ ଅଛି। ମାତ୍ର ଚଳିତ ଥର ଅନାବୃଷ୍ଟି ପାଇଁ ସମସ୍ୟା କାଗଜପତ୍ରରେ ଥିବା ତଥ୍ୟକୁ ପଦାରେ ପକାଇଛି। ବର୍ଷା ଅଭାବରୁ ଚାଷଜମି ଫାଟି ଆଁ କଲାଣି। ପାଣି ପାଇଁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବଡ଼ସାହି ବ୍ଲକରେ ଉଠାଜଳସେଚନ ପ୍ରକଳ୍ପ ଉପରେ ନିର୍ଭଶୀଳ ଚାଷୀ ରବିଫସଲ ଚାଷ କରିପାରି ନଥିବା ବେଳେ ଚଳିତ ବର୍ତ୍ତମାନ ଖରିଫ ଚାଷ ପାଇଁ ପ୍ରତାରିତ ହେଉଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ସହଭାଗିତାରେ ଚାଲିଥିବା ପ୍ରତି ପ୍ରକଳ୍ପରେ ୨୦ରୁ ଊର୍ଦ୍ଧ୍ବ ଚାଷୀଙ୍କୁୁ ନେଇ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏନେଇ ପ୍ରତି ପ୍ରକଳ୍ପରେ ଏସସି/ଏସଟି ବର୍ଗର ଚାଷୀମାନେ ୧୦ହଜାର ଓ ସାଧାରଣ ବର୍ଗର ଚାଷୀମାନେ ୨୦ହଜାର ଲେଖାଏଁ ଟଙ୍କା ପୈଠ କରିଛନ୍ତି। ମାଣତ୍ରୀ ଠାରେ ଥିବା ବିଭାଗ କାର୍ଯ୍ୟାଳୟ ଦାୟିତ୍ୱରେ ସହକାରୀ ଯନ୍ତ୍ରୀ ନିୟମିତ ଅଫିସ ଆସୁନାହାନ୍ତି। ବର୍ଷକ ତଳେ ୮୦ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅଫିସ ବାଉଣ୍ଡାରି ଓ ଫାଟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଲାଣି। କାର୍ଯ୍ୟାଳୟର ମୁଖ୍ୟ ଫାଟକ ସଦାସର୍ବଦା ତାଲା ପଡ଼ିରହୁଥିବା ଚାଷୀ ଅଭିଯୋଗ କରୁଛନ୍ତି। ଉକ୍ତ କାର୍ଯ୍ୟାଳୟ ଏପରି ସ୍ପର୍ଶକାତର ସମସ୍ୟା ସମ୍ପର୍କରେ ଶାସକ କିମ୍ବା ବିରୋଧୀ ରାଜନୈତିକ ଦଳ ସ୍ୱର ଉତ୍ତୋଳନ ନକରିବା ସେମାନଙ୍କର ଚାଷୀଙ୍କ ପ୍ରତି ଦରଦ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Comments are closed.