ଲଙ୍ଗଳ ନାହିଁ: ତେଲଦର ବୃଦ୍ଧି କଳଲଙ୍ଗଳ ଭଡ଼ା ଚାଷୀଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼

ସମବାୟ ସମିତି କିଣିଥିବା ୨୫ଲକ୍ଷ ଟଙ୍କାର ୨ଟି ଟ୍ରାକ୍ଟର ଖତ ଖାଉଛି

ବଡ଼ସାହି (ମନୋଜ ପଣ୍ଡା) : ମହାମାରୀ କରୋନା ଭୁତାଣୁ କୋଭିଡ଼-୧୯ ସଂକ୍ରମଣର ମୁକାବିଲା ପାଇଁ ସମସ୍ତେ ପ୍ରଭାବିତ। ଘରକୁ ଫେରିଥିବା ପ୍ରବାସୀ କାମ ଧନ୍ଦା ଅଭାବରେ ଚାଷ ଓ ଭାଗଚାଷ ପ୍ରତି ମନ ବଳାଇଥିବା ବେଳେ କୃଷି କ୍ଷେତ୍ରରେ ମଧ୍ୟ ସମସ୍ୟା ମଝି ବାଡ଼ ହୋଇ ଛିଡ଼ା ହୋଇଛି। ମୟୂରଭଞ୍ଜ ଜିଲାର ସର୍ବ ବୃହତ୍ତ ବ୍ଲକ ବଡ଼ସାହିରେ ୩୨ହଜାର ୮୬୫ଜଣ ଧାନ ଓ ଅଣଧାନ ଚାଷୀ ରହିଛନ୍ତି। ଅତ୍ୟାଧୁନିକ ଚାଷ ଶୈଳୀ ଓ ପରିବର୍ତ୍ତନଶୀଳ ଚାଷକାର୍ଯ୍ୟ ପାଇଁ ବର୍ତ୍ତମାନ ଅନେକ ଚାଷର ମୁଖ୍ୟ ସ୍ରୋତରୁ ଦୂରେଇ ଯାଉଥିବା ବେଳେ ଭାଗଚାଷୀଗଣ ପ୍ରାୟତଃ ସର୍ବାଧିକ କ୍ଷତି ସହି ଚାଷକୁ ବଞ୍ଚାଇ ରଖିଛନ୍ତି। ପୂର୍ବପରି ନା ଅଛନ୍ତି ଗୋରୁଗାଈ ନା ଗୁହାଳ। ବର୍ଷାଋତୁରେ ଗାଁର ଦୃଶ୍ୟରେ ସର୍ବାଧିକ ଦୃଶ୍ୟମାନ ହେଉଥିବା ହଳଲଙ୍ଗଳ ସହିତ ବଳଦ ବର୍ତ୍ତମାନ ସେଲଫି ନେବା ପାଇଁ ମଧ୍ୟ ମିଳୁନାହିଁ। ତା’ର ସ୍ଥାନ ନେଇଛି କଳଲଙ୍ଗଳ ଯାହାକି ପାୱାର ଟିଲର ଓ ଟ୍ରାକ୍ଟର। ଜମି ହଳ ପରେ ଧାନ ବୁଣା ଠାରୁ ଆରମ୍ଭ କରି ବିହିଡ଼ା , ପଚାଣି, କାଦୁଅ ଓ ତୋଳି ଘେରା ପ୍ରସ୍ତୁତ ପାଇଁ ସବୁ ସମୟରେ ଆବଶ୍ୟକ ହେଉଥିବା ବେଳେ ଅମଳ ସମୟରେ ମଧ୍ୟ ସେସବୁର ପ୍ରାଧ୍ୟାନତା ବଢ଼ିଛି।

ତେବେ ହାତଗଣତି ବଡ଼ବଡ଼ ଚାଷୀ ନିଜସ୍ୱ କଳଲଙ୍ଗଳ ରଖି ଚାଷକାର୍ଯ୍ୟରେ ବ୍ୟବହାର କରୁଥିବା ବେଳେ ୯୮ପ୍ରତିଶତ ଚାଷୀ/ଭାଗଚାଷୀ ସେସବୁ ଭଡ଼ା ଭିତ୍ତିରେ ଆଣି ଚାଷକାର୍ଯ୍ୟ ସମ୍ପାଦନ କରୁଛନ୍ତି। ମାତ୍ର ଚଳିତବର୍ଷ ଡ଼ିଜେଲଦର ବିଗତ ବର୍ଷ ମାନଙ୍କ ଠାରୁ ସର୍ବାଧିକ ହୋଇଥିବାରୁ ତା’ର ସିଧାସଳଖ ଶୋଷଣ ଶିକାର ହୋଇଛନ୍ତି ସମାଜକୁ ଚାଉଳ ଗଣ୍ଡିକ ଯୋଗାଇଥିବା ଚାଷୀ/ଭାଗଚାଷୀ। ଘଣ୍ଟା ପ୍ରତି ଦରରେ ସେମାନେ କଳଲଙ୍ଗଳ ଭଡ଼ା ଦେଇଥାନ୍ତି। ତଳଗୌଡ଼ଗାଁର ଭାଗଚାଷୀ ମଧୁ ସିଂ ଓ ହରିହର ମହାନ୍ତ ସୋମବାର ନିଜ ଚାଷ ଜମିରେ ଅନୁରୂପ ଭାବେ କଳଲଙ୍ଗଳ ଦ୍ୱାରା ଚାଷ କାର୍ଯ୍ୟ କରୁଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ମତାମତ ନେବାରୁ ‘ ଆଉ ଚାଷବାସ ବାବୁ କରି ହେବନି, ଗଲାବର୍ଷ ଘଣ୍ଟାକୁ ଟ୍ରକ୍ଟରବାଲା ୧୦୦୦ଟଙ୍କା ନେଉଥିବା ବେଳେ ଏଥର ୧୨୦୦ଟଙ୍କା ନେଲେଣି। ବର୍ଷା ଲାଗି ରହିଥିବାରୁ ବୁଣାବୁଣି କରିପାରିଲୁନି, ଏଇନା ପଚାଣି, କାଦ ଓ ରୁଆରେ ବାକିବୁକର ନହେନେ ଧାରକରଜ କରି କରିଦେବା। ଆଉ ଧାନ ନେହେନେ କିରକମ ସୁଜିବା। ତମେ ଟିକେ ସରକାରକୁ ଜଣାଅ’ ବୋଲି କହନ୍ତି। ମଧୁ ସିଂ ଭାଗଚାଷ ଜମି ଓ ନିଜ ଜମିକୁ ମିଶାଇ ୧ଏକର ଜମିରେ ଧାନ ଚାଷ କରୁଛନ୍ତି। କେବଳ ରୁଆପୋତା ସମୟରେ କଳଲଙ୍ଗଳ ବାବଦରେ ତାଙ୍କର ଚଳିତ ବର୍ଷ ୩ହଜାର ଟଙ୍କା ଖର୍ଚ୍ଚ ହେବ। ଯାହାକି ପୂର୍ବବର୍ଷ ତୁଳନାରେ ୭/୮ଶହ ଟଙ୍କା ଅଧିକ। ବାକି ବିହନ, କୀଟନାଶକ, ଶ୍ରମିକ ଓ ଅମଳ ସମୟର ଅଧିକ ଖର୍ଚ୍ଚ କଥା ଅଲଗା।

ଏନେଇ ଟ୍ରାକ୍ଟର ମାଲିକଙ୍କୁ ପଚାରିବାରୁ ‘ଆମେ କଣ କରିବା ୨୩ଦିନରେ ଡ଼ିଜେଲ ପାଖାପାଖି ୧୨ଟଙ୍କା ବଢ଼ିଲାଣି। ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବଢ଼ିଛି। ଚାଳକମାନେ ଦରମା ଅଧିକ ନପାଇଲେ ହଳ/କାଦୁଅ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଛନ୍ତି। ଏଣୁ ଘଣ୍ଟା ପ୍ରତି ଦର ବଢ଼ାଇବାକୁ ପଡୁଛି’ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାର କୃଷି ଓ ସମବାୟ ଯୋଜନାରେ ଚାଷୀଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିଲେ ହେଁ, ବଜାର ଦର ଉପରେ ଚାଷୀର ତେଲଲୁଣ ସଂସାର କିପରି ପ୍ରଭାବିତ ହେଉଛି, ଉପରୋକ୍ତ ମତାମତ ସ୍ପଷ୍ଟ କରୁଛି।

ଅନ୍ୟପକ୍ଷରେ ବଡ଼ସାହି ବୃହଦ୍ଦାକାର ସମବାୟ ସମିତି ୨ବର୍ଷ ତଳେ ୨୫ଲକ୍ଷ ଟଙ୍କାର ୨ଟି ଟ୍ରାକ୍ଟର ଓ ଯନ୍ତ୍ରାଂଶ କିଣାଯାଇଛି। ଚାଷୀମାନଙ୍କ ପାଇଁ ସ୍ୱଳ୍ପ ଖର୍ଚ୍ଚରେ ତାହା ବ୍ୟବହାର ହେବା ଲକ୍ଷରେ ସମବାୟ ସମିତି ପକ୍ଷରୁ କିଣାଯାଇଥିଲା। ତେବେ ସମବାୟ ସମିତିର ୨ଜଣ ପ୍ରଥମବର୍ଷ ଭଡ଼ା ମୁଳଚାଲ ଭିତ୍ତିରେ ନେଇ ବ୍ୟବହାର କରିବା ସହ ଚାଷୀଙ୍କୁ ଭଡାରେ ଦେଉଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ସଦସ୍ୟଙ୍କ ବିଦ୍ରୋହ ପରେ ପୁର୍ନବାର ଫେରାଇଥିଲେ। ଯାହାକି ବର୍ତ୍ତମାନ ଚାଷୀଙ୍କ କାର୍ଯ୍ୟରେ ବ୍ୟବହାର ହେବା ଦୂରରେ ଥାଉ, କିପରି ଚାଷକାର୍ଯ୍ୟ ପାଇଁ ଯୋଗାଇଦିଆଯିବ ତା’ର ନୀତିଗତ ସିଦ୍ଧାନ୍ତ ନଥିବାରୁ କାର୍ଯ୍ୟାଳୟ ପରିସରରେ କମ୍ପାନୀ ପ୍ରଚାରରେ ପ୍ରଦର୍ଶିତ ହେବା ପରି ପଡ଼ିରହିଛି। ଘଟଣାର ତୁରନ୍ତ ତଦନ୍ତ ପୂର୍ବକ ଟ୍ରାକ୍ଟର ୨ଟିକୁ ଯଥାଶୀଘ୍ର ଚାଷକାର୍ଯ୍ୟ ପାଇଁ ଚାଷୀଙ୍କୁ ସୁଲଭ ଭଡ଼ାରେ ଯୋଗାଇ ଦେବାକୁ ବଡ଼ସାହି ଜୋନର କଂଗ୍ରେସ ସଭାପତି ଶଶାଙ୍କ ଶେଖର କର ଦାବି କରିଛନ୍ତି।

Comments are closed.