ବେଆଇନ ବାଲି ଚାଲାଣ ; ୨ଟ୍ରାକ୍ଟର ଜବତ, ୨ଗିରଫ

ବଡ଼ସାହି : ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ସ୍ଥାନୀୟ ପୁଲିସ୍‍ ୨ଟି ଟ୍ରାକ୍ଟରକୁ ଜବତ କରିଛି। ପୃଥକ ଘଟଣାରେ ୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ନମ୍ବର ବିହୀନ ବାଲିବୋଝେଇ ଟ୍ରାକ୍ଟରର ଚାଳକ ତଥା କପ୍ତିପଦା ଥାନା, ବାସିତୋଟା ଗ୍ରାମର ମଙ୍ଗଳୁ ବିଶ୍ୱାଳ(୨୬)। ସେ ବାଲି ବୋଝେଇ କରି ଟ୍ରାକ୍ଟର ଚଳାଇ ଆସୁଥିବା ବେଳେ ଆଇଆଇସି ଜୟନ୍ତ କୁମାର ବେହେରା ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। କାଗଜପତ୍ର ସନ୍ତୋଷ ଜନକ ନଥିବାରୁ ତହସିଲଦାରଙ୍କୁ ଯୁଗ୍ମ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇ ଟ୍ରାକ୍ଟର ଜବତ ସାଙ୍ଗକୁ ଚାଳକକୁ ଗିରଫ କରିଛନ୍ତି। ଅନ୍ୟ ଏକ ଘଟଣାରେ ଆଇଆଇସିଙ୍କ ଗାଡ଼ିକୁ ଦେଖି ବାଲିବୋଝେଇ ଟ୍ରାକ୍ଟର (ନଂ ଓଡ଼ି ୧୧ବି ୦୬୪୦)ର ମାଲିକ ଓ ତାଙ୍କ ଭାଇଙ୍କ ଇସାରାରେ ଚାଳକ ଜଣଙ୍କ ରାସ୍ତା ପାର୍ଶ୍ବରେ ବାଲି ଅନ୍‍ଲୋଡ଼ କରି ପଳାଇବାକୁ ଚେଷ୍ଟା କରିଥିଲା। ତେବେ ଚକ୍ରଧରପୁର ଗ୍ରାମର ଜଗନ୍ନାଥ ବେହେରା(୩୨)ଙ୍କୁ ପୁଲିସ ଗିରଫ କରିଥିବା ବେଳେ ସହ ଅଭିଯୁକ୍ତ ତାଙ୍କ ଭାଇ ମନୋରଞ୍ଜନ ବେହେରା(୩୦) ଓ ଚାଳକ ଖସି ପଳାଇଥିଲେ। ପୁଲିସ୍‍ ଟ୍ରାକ୍ଟରଟିକୁ ଜବତ କରିଛି। ଉଭୟ ଟ୍ରାକ୍ଟର କୁଆଡ଼େ ବୁଢ଼ାବଳଙ୍ଗ ନଦୀର କୁଳିଅଣା ବେଆଇନ ବାଲିଘାଟରୁ ଚୋରା ଚାଲାଣରେ ନୟୋଜିତ ଥିଲା ବୋଲି କୁହାଯାଇଛି। ନିଲାମ ଘାଟ ବାଗୁଲିର ନାମ ଓ କାଜଗପତ୍ରରେ ପ୍ରତିଦିନ କୁଳିଅଣା ଘାଟରୁ ଚୋରାବାଲି ଚାଲାଣ ହେଉଛି। କିଛିଦିନ ପୂର୍ବରୁ ତହସିଲଦାର ମମତାଜ ମହାରଣା ଏକ ଟ୍ରାକ୍ଟର ଜବତ କରି ୨୦ହଜାର ଟଙ୍କା ଜୋରିମାନା ଆଦାୟ ପରେ ଛାଡ଼ିଥିବା ବେଳେ ରଥଯାତ୍ରା ଦିନ ଅନ୍ୟ ଏକ ଟ୍ରାକ୍ଟର ତହସିଲଦାରଙ୍କ ଗାଡ଼ି ଦେଖି ରାସ୍ତାରେ ବାଲି ଅନଲୋଡ଼ କରି ପଳାଇଥିଲା। କୁଳିଅଣା ନଦୀଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ ପାଇଁ ସରକାରୀ ଅଧିକାରୀ ଚଢ଼ାଉ ପାଇଁ ଯିବା ସମୟରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଚୋରା ବେପାରୀ ଏପରି ଟ୍ରାକ୍ଟର ଝାମେଲା ସମ୍ମୁଖକୁ ଆଣି ନଦୀ ଗର୍ଭରୁ ଜେସିବିକୁ ଉପରକୁ ନେଇ ଆସୁଛନ୍ତି। ପ୍ରଶାସନ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଜରିଆରେ ଯୋଜନା ବଦ୍ଧ ଭାବେ ଚଢ଼ଉ ସହିତ ଯୁଗ୍ମ ତଦନ୍ତ କଲେ ଚୋରା କାରବାର ଧରାପଡ଼ିବା ସହିତ ସରକାରୀ ତହବିଲକୁ ମୋଟା ଅଙ୍କର ରାଜସ୍ୱ ମିଳନ୍ତା ବୋଲି ଚର୍ଚ୍ଚା ଚାଲିଛି।

Comments are closed.