ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ସଟଡ଼ାଉନ ପଞ୍ଚାୟତର ରକ୍ତଦାତା ଓ କର୍ମକର୍ତ୍ତା

ବିପଦରେ ରକ୍ତ ଭଣ୍ଡାର, ସଂଗ୍ରହକାରୀ ଓ ଡ଼ାକ୍ତରଖାନା

ବଡ଼ସାହି : ରକ୍ତଦାନ ମହତ ଦାନ। ମୟୂରଭଞ୍ଜ ଜିଲାର ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବଡ଼ସାହି ବିଧାୟକ ସନାତନ ବିଜୁଳି ତାଙ୍କ ଦଳ ବିଜେପି ଓ ଅନ୍ୟ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ତାଲାବନ୍ଦ ସମୟରେ ଏକାଧିକ ଶିବିର ଆୟୋଜନ କରିଛନ୍ତି। ପ୍ରତ୍ୟେକ ଶିବିରକୁ ନିଜେ ବିଧାୟକ ଫିତା କାଟି ଉଦଘାଟନ କରିବା ସହିତ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ଓ ପ୍ରମାଣପତ୍ର ବାଣ୍ଟୁଛନ୍ତି। ଯାହାର ଫଟୋ ଓ ଭିଡ଼ିଓ ତାଙ୍କ ନିଜର ଫେସବୁକ ପୃଷ୍ଠା ଓ ସମର୍ଥକଙ୍କ ପୃଷ୍ଠାରେ ବେଶ ଆଦୃତ ଲାଭ କରୁଛି। ଏହିପରି ଏକ ଶିବିର ବଡ଼ସାହି ବ୍ଲକର ଦେଉଳିଆ ଡ଼ାକ୍ତରଖାନା ପରିସରରେ ମଙ୍ଗଳବାର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଉଦଳା ରକ୍ତ ଭଣ୍ଡାର ପକ୍ଷରୁ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବର୍ତ୍ତମାନ ବିବାଦୀୟ ହୋଇ ପଡ଼ିଛି। କାରଣ ରକ୍ତ ଦାତାଙ୍କ ମଧ୍ୟରୁ ୨ ଜଣ ଯୁବକ କରୋନା ସଂକ୍ରମିତ ପାଇଁ ସଟଡ଼ାଉନ ଘୋଷିତ ପଞ୍ଚାୟତ(ପଟିସାରୀ)ରୁ ଆସି ରକ୍ତଦାନ କରିଥିବା ବେଳେ ତାଙ୍କ ସାଙ୍ଗରେ ଉକ୍ତ ପଞ୍ଚାୟତରୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଶିବିରରେ ଉପସ୍ଥିତ ରହିଛନ୍ତି। ପଟିସାରୀ ପଞ୍ଚାୟତର କାହ୍ନୁପୁରା ଗ୍ରାମରୁ ଜଣେ ୫୦ବର୍ଷର ବ୍ୟକ୍ତିଙ୍କ ନମୁନା ପଜିଟିଭ ଜଣାପଡ଼ିଥିଲା। ସେ ହାଟରେ ଚୁଳ ଓ ଦାଢ଼ି କାଟିବା ସହିତ ମାଛ ଏବଂ ପନିପରିବା କିଣାକିଣି କରିଥିବାରୁ ସରପଞ୍ଚ ମାଣିକ ଟୁଡୁ ଶନିବାର ଠାରୁ ୭୨ଘଣ୍ଟା ପାଇଁ ସମଗ୍ର ପଞ୍ଚାୟତକୁ ସଟନାଉନ ଘୋଷଣା କରିଛନ୍ତି। ଯାହାକି ଏବେ ମଧ୍ୟ ବଳବତ୍ତର ରହିଛି। ପଞ୍ଚାୟତର ତେନ୍ତୁଳିଗାଁ ହାଟକୁ ମଧ୍ୟ ସରପଞ୍ଚ ୨ ପାଳି ବନ୍ଦ କରିଛନ୍ତି। ଏପରିସ୍ଥିତିରେ ବିଜେପିର ମାଣତ୍ରୀ ମଣ୍ଡଳ ସଭାପତି ସୁବାସ ଦ୍ୱିବେଦୀ ଅନ୍ୟ ଜଣଙ୍କ ସହିତ ଶିବିରକୁ ଆସିବା ତଥା ଅନ୍ୟ ୨ ଜଣ ଯୁବକ ଆସି ସ୍ୱେଚ୍ଛାକୃତ ରକ୍ତଦାନ କରି ଘଟଣାକୁ ବିବାଦୀୟ କରିଛନ୍ତି। ବର୍ତ୍ତମାନ ଏମାନଙ୍କ ପାଇଁ ଉଦଳା ରକ୍ତଭଣ୍ଡାର ଓ ସେଠାରୁ ଆସିଥିବା ଡ଼ାକ୍ତରୀ ଦଳ ଏବଂ ଦେଉଳିଆ ଡ଼ାକ୍ତରଖାନା ବିପଦ ହୋଇପଡ଼ିଛି। ଉଦଳା ଉପଖଣ୍ଡର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଶିବାନନ୍ଦ ମହାନ୍ତିଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ ଘଟଣା ସମ୍ପର୍କରେ ବୁଝିବେ ବୋଲି କହିବା ସହିତ ସଂଗୃହୀତ ୩୦ ୟୂନିଟ ରକ୍ତକୁ ପୃଥକ ରଖିବା ପାଇଁ ଆଦେଶ ଦେଇଛନ୍ତି। ଅବ୍ୟବସ୍ଥା ମଧ୍ୟରେ ହେଉଥିବା ଏପରି ଶିବିରର ସରକାରୀ ଅନୁମୋଦନକୁ ସେ ନିଜେ ଅନୁଧ୍ୟାନ କରିବେ ତଥା ଭୁଲର ପୁନରାବୃତ୍ତି ହେବ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି। ତେବେ କରୋନା ସଂକ୍ରମଣ ସମୟରେ ରକ୍ତଦାତାଙ୍କ ଟ୍ରାଭେଲ ହିଷ୍ଟ୍ରି ସହିତ ସମସ୍ତ ବିବରଣୀ ସଂଗ୍ରହ କରାଯାଉଥିବା ବେଳେ ସଟଡ଼ାଉନ ପଞ୍ଚାୟତର ରକ୍ତଦାତା ଓ କର୍ମକର୍ତ୍ତା ଶିବିରରେ ଅବାଧ ପ୍ରବେଶ ତଦନ୍ତ ସାପେକ୍ଷ। ଅନ୍ୟ ପକ୍ଷରେ ଶିବିରରେ ଉଦଘାଟନରୁ ଶେଷ ଫୋଟ ଉଠାଇବା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଉପସ୍ଥିତ ଖୋଦ ବିଧାୟକ ଓ ଦଳୀୟ ବରିଷ୍ଠ ନେତୃବୃନ୍ଦ ଓ ସହଯୋଗୀ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ଏସମ୍ପର୍କରେ ଧ୍ୟାନ ନଦେବା ଅକ୍ଷମଣୀୟ ତ୍ରୁଟି। ଏନେଇ ବିଧାୟକ ଶ୍ରୀଯୁକ୍ତ ବିଜୁଳିଙ୍କ ମତାମତ ମିଳିପାରିନାହିଁ।

Comments are closed.