ସଂକ୍ରମଣ ଆଶଙ୍କାରେ ବସରେ ଗଲେନି : ରାତିରେ ୨୦କିମି ଚାଲିଲେ ୧୩ ପ୍ରବାସୀ

ବଡ଼ସାହି : ଜଳେଶ୍ବର ନିକଟରେ କଲକାତାରୁ ଚାଲିଚାଲି ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କେହି ପ୍ରବାସୀ ଚାଲିବେନି ବୋଲି କହିଛନ୍ତି । ପୁଲିସ ଡିଜି ମଧ୍ୟ ଏନେଇ ସମସ୍ତ ଥାନାକୁ ଅବଗତ କରିଥିଲେ । ତେବେ ଅମାନିଆ ୧୩ ପ୍ରବାସୀ ଶନିବାର ରାତିରେ ପ୍ରଶାସନ ଓ ପୁଲିସର ନିବେଦନକୁ ଅଗ୍ରାହ୍ୟ କରି ୨୦ କିମି ଚାଲିଚାଲି ଯିବା ଦେଖିବାକୁ ମିଳିଛି । ତାମିଲନାଡୁରୁ ୧୩ଜଣ ପଞ୍ଜିକୃତ ପ୍ରବାସୀ ଫେରି ବୈଶିଙ୍ଗା ଥାନା, ପଦ୍ମଲାଭପୁର ଟୋଲଗେଟ ନିକଟରେ ପହଞ୍ଚିଥିଲେ । ସୂଚନା ପାଇ ବଡସାହି ବ୍ଲକ ପ୍ରଶାସନ ସମସ୍ତଙ୍କୁ ଆଣିବା ପାଇଁ ନିୟୋଜିତ ଯାତ୍ରୀବାହୀ ବସ ପଠାଇଥିଲେ । ତେବେ ସେମାନଙ୍କ ସହିତ ଆଉ ୪ ଜଣ ସୁରତ ଫେରନ୍ତା ସାଙ୍ଗରେ ଯିବାକୁ କହିବାରୁ ସେମାନେ ମିଶିକି ଯିବାକୁ ରାଜି ନ ହୋଇ ଚାଲଚାଲି ଆସିଥିଲେ । ୧୩ ଜଣଙ୍କ ମଧ୍ୟରୁ ଜଣେ ପଟିସାରୀ ପଞ୍ଚାୟତର ଥିବା ବେଳେ ଅନ୍ୟ ସମସ୍ତେ ପ୍ରତାପପୁର ପଞ୍ଚାୟତର ।

ସୁଶାନ୍ତ ସିଂ ନାମକ ଜଣେ ପ୍ରବାସୀଙ୍କ କହିବାନୁଯାୟୀ, ସେମାନେ ୟାମା କମ୍ପାନୀରେ କାର୍ଯ୍ୟ କରୁଥିଲେ । ତାଲାବନ୍ଦ ପରେ କମ୍ପାନୀ ଗୋଟିଏ ମାସର ଦରମା ନଦେଇ ବିଦା କରିଦେଇଥିଲା । ନିଜ ଖର୍ଚ୍ଚରେ ୫୦ଦିନ ଚଳିବା ପରେ ଜଣଙ୍କ ପିଚ୍ଛା ୬ହଜାର ଟଙ୍କା ଲେଖାଏଁ ବ୍ୟୟ କରି ସ୍ବତନ୍ତ୍ର ଭଡାଗାଡିରେ ଫେରିଛନ୍ତି । ସଂକ୍ରମଣ ନହେବା ପାଇଁ ସେମାନେ ଶ୍ରମିକ ଟ୍ରେନକୁ ବି ନାପସନ୍ଦ କରିଥିଲେ । ଏତେ ବାଟ ସାମାଜିକ ଦୂରତା ରକ୍ଷା କରି ନିଜକୁ ସୁସ୍ଥ ରଖି ଫେରିବା ପରେ ସୁରତ ଫେରନ୍ତାଙ୍କ ସହିତ ଯିବା ପାଇଁ ଆମେ ରାଜି ହେଇ ନଥିଲୁ । ସମସ୍ତେ ବ୍ଲକ ଆଇସୋଲେସନ କେନ୍ଦ୍ରରେ ପହଞ୍ଚି ଆତ୍ମସମର୍ପଣ କରିବୁ ବୋଲି ବାଟରେ ରାତି ସାଢେ ୧୦ଟାବେଳେ ଏହି ପ୍ରବାସୀ ଆମ ପ୍ରତିନିଧିଙ୍କୁ କହିଛନ୍ତି । ବଡ଼ସାହି ବିଡ଼ିଓଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସେମାନଙ୍କୁ ଟ୍ରାକିଂରେ ରଖାଯାଇଥିବା ସେ କହିଛନ୍ତି।

Comments are closed.