ଚାଷୀଙ୍କ ମୁହଁରେ ଫୁଟିବ ହସ… ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଛଡାଗଲା ପାଣି

ରାୟଗଡା ଜିଲ୍ଲା ପଦ୍ମପୁର କେନ୍ଦୁଗୁଡା ବଡନାଳ ଜଳଭଣ୍ଡାରୁ ଚଳିତ ଖରିଫ ଋତୁପାଇଁ ଚାଷୀଙ୍କୁ ଜଳଯୋଗାଇ ଦେବା ନିମନ୍ତେ  କେନାଲ ମାଧ୍ୟମରେ ପାଣି ଛଡାଯାଇଛି। କେନାଲ ମାଧ୍ୟମରେ ପାଣି ଛଡା ଯାଇଥିବାରୁ ଚାଷୀଙ୍କ ମୁହଁରେ ହସ ଫୁଟିଛି।

ଆଜି ଗୁରୁବାର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଣି ଛଡାଯାଇଛି। ଏହି ସମୟରେ ପଦ୍ମପୁର ତହସିଲଦାର ନୀଳମାଧଵ ମାଝୀ ଏବଂ ବଡନାଳ ମଧ୍ୟମ ଜଳସେଚିତ ପ୍ରକଳ୍ପର ଏଇଇ ସ୍ବରାଜ୍ୟ କୁମାର ନାୟକ ଯୋଗଦେଇ ପୂଜାର୍ଚ୍ଚନାରେ ଭାଗ ନେଇଥିଲେ। ଚଳିତ ବର୍ଷ ମୌସୁମୀ ବର୍ଷା ନଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀ ଚାଷକାମ ଠିକ୍ ଭାବରେ ଆରମ୍ଭ କରିପାରୁ ନଥିଲେ। ତେବେ କେନାଲ ମାଧ୍ୟମରେ ପାଣି ଛଡାଯାଇ ଥିବାରୁ ବର୍ତ୍ତମାନ ଚାଷୀମାନେ ଚାଷ କାମ କରିବେ ବୋଲି ଆଶା କରାଯାଉଛି। ଅନ୍ୟପଟେ ଜଳଭଣ୍ଡାରରେ ମଧ୍ୟ ବର୍ଷା ଅଭାବରୁ ପାଣି ନାହିଁ। ଯେତିକି ରହିଛି ମାତ୍ର ୨୦ ରୁ୨୫ଦିନ ଭିତରେ ଜଳ ଭଣ୍ଡାର ଖାଲି ହୋଇଯିବ ବୋଲି ଅନୁମାନ କରାଯାଉଛି।

ଏହି  ବଡନାଳ ପ୍ରକଳ୍ପର ଉପରେ ୯୦ପ୍ରତିଶତ ଚାଷୀ ନିର୍ଭର କରିଥାନ୍ତି। ପଦ୍ମପୁର, ଗୁଣପୁର, ଗୁଡାରି ଏବଂ ରାମନାଗୁଡା ବ୍ଳକ ଅଞ୍ଚଳରେ ଏହି ପାଣି ଵ୍ୟଵହାର କରି ଚାଷ କରିଥାନ୍ତି। ଖରିଫ ଋତୁରେ ୯ହଜାର ହେକ୍ଟର ଚାଷ ଜମି ଏବଂ ରବି ଋତୁରେ ୫ ହଜାର ହେକ୍ଟର ଚାଷଜମିକୁ ଏହି ପ୍ରକଳ୍ପ ଜଳସେଚିତ କରୁଛି। ଚଳିତ ବର୍ଷ ୧୮ ହଜାର ୪୨୨ ହେକ୍ଟର ଜମିରେ ଧାନ ଚାଷ କରିବା ଲକ୍ଷ୍ୟ ରଖାଯାଇଛି। ତେବେ ଗତ ଦୁଇ ଦିନ ତଳେ ବଡ଼ନାଳ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଗୁପ୍ତା ବଡ଼ନାଳ ଜଳଭଣ୍ଡାର ଏବଂ ମୁଖ୍ୟ କେନାଲ ଏବଂ ଶାଖା କେନାଲ ଗୁଡିକ ସ୍ଥିତି ଅନୁଧ୍ୟାନ କରିଛନ୍ତି ଆଉ କିପରି ତଳ ମୁଣ୍ଡରେ ପାଣି ପହଁଞ୍ଚିବ ତାହା ଆମର ଲକ୍ଷ୍ୟ ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ୨୦ଭାଗ ଚାଷୀ ବର୍ଷା ପାଣିରେ, ବୁଣାବୁଣି,ଏବଂ ତଳି ପକେଇବା କାର୍ଯ୍ୟ ପଦ୍ମପୁର ଅଞ୍ଚଳରେ ହୋଇଛି ବୋଲି କୃଷି ବିଭାଗ ଅନୁମାନ କରୁଛି। ତେବେ ଆସୁଥିବା ଲଘୁଚାପ ଯୋଗୁ ଉପର ମୁଣ୍ଡରେ ବର୍ଷାହେଲେ ଜଳଭଣ୍ଡାରରେ ପାଣି ବଡିବ ବୋଲି ଅନୁମାନ କରାଯାଇଛି। ଏଠାରେ ବିପଦ ସଙ୍କେତ ୧୭୬ ମିଟର ରହିଥିବାବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୧୬୮.୭୩ମିଟର ପାଣି ରହିଛି। ଅର୍ଥାତ ପାଖାପାଖି ଆହୁରି ୮ମିଟର ପାଣି ଧରଣ କରିବା ପାଇଁ ଜଳଭଣ୍ଡାରର କ୍ଷମତା ରହିଛି।

Comments are closed.