ମହାପ୍ରଭୁଙ୍କ ରଥଯାତ୍ରାରେ ବଡ଼ମ୍ବାର ପୁରପଲ୍ଲୀ ଉତ୍ସବମୁଖର

ବଡ଼ମ୍ବା :  ମହାମାରୀ କରୋନା କଟକଣା କାରଣରୁ ଦୁଇବର୍ଷପରେ ଚଳିତବର୍ଷ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏଥିଲାଗି ବଡ଼ମ୍ବା ସମେତ ଏହାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ହଜାର ହଜାର ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡରେ ପୁଣିଥରେ ରଥ ଗଡ଼ିଛି। ବଡ଼ମ୍ବା ରାଜବାଟି ବିଜେ ବଡ଼ଠାକୁର ଏବଂ ରାଧାକାନ୍ତ ମନ୍ଦିର ବିଜେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଯଥାବିଧି ଅନୁଷ୍ଠିତ ହୋଇଛି । ପୂଜାପଣ୍ଡାଙ୍କ ଦ୍ୱାରା ସମସ୍ତ ଦେବନୀତି ସରିବାରେ ଅପରାହ୍ନରେ ଭକ୍ତଙ୍କ ଗହଳିରେ ସେବାୟତଙ୍କ ଦ୍ୱାରା ଉଭୟ ମହାପ୍ରଭୁ ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ । ପରେ ପରେ ଅପରାହ୍ନ ପ୍ରାୟ ୩ଟା ସମୟକୁ ବଡ଼ମ୍ବାଗଡ଼ ରାଜାସାହେବ ତିବିକ୍ରମଚନ୍ଦ୍ର ଦେବ ବୀରବର ମଙ୍ଗରାଜ ମହାପାତ୍ର ପ୍ରଶାସନର ନିମନ୍ତ୍ରଣ କ୍ରମେ ରଥରେ ପାରମ୍ପରିକ ଛେରାପହଁରା ନୀତି କରିଥିଲେ। ରଥରୁ ଚାରମାଳ ଫିଟା ଯିବାରେ ଭକ୍ତଙ୍କ ହରିବୋଲ ହୁଳ ହୁଳି ଏବଂ ଘଣ୍ଟ ଧ୍ୱନିରେ ରଥ ଟଣା ଆରମ୍ଭ ହୋଇଥିଲା। ଦେବୋତ୍ତର ଅଧିକାରୀ ତଥା ତହସିଲଦାର ତପନ କୁମାର ପରିଡ଼ା ଏବଂ ପୁଲିସ ପ୍ରଶାସନର ଉପସ୍ଥିତିରେ ଭକ୍ତମାନେ ଶାନ୍ତିଶୃଖଂଳାର ସହିତ ରଥ ଟାଣିଥିଲେ। ସମବେତ ଜନତା ଏବଂ ପ୍ରଶାସନର ଉପସ୍ଥିତିରେ ବଡ଼ମ୍ବା ଗୁଣ୍ଡିଚାବାଡ଼ିରେ ରଥ ସଂଧ୍ୟା ପୂର୍ବରୁ ଲାଗିଥିଲା।

ଅନୁରୁପଭାବେ ଶ୍ରଦ୍ଧା ଓ ଭକ୍ତି ସହକାରେ ବଡ଼ମ୍ବାର ପୁରପଲ୍ଲୀରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତାଳମୁଣ୍ଡଳୀ ବିଜେ ତୃତୀୟାଦେବ, ଗୋପୀନାଥପୁର ବିଜେ ମହିମାସାଗର, ସୁନାପାଳ ବିଜେ ଦଧିବାମନ, ଗୋପପୁର, ବାଙ୍ଗେରିସିଙ୍ଗା ଏବଂ ଶଶାଙ୍ଗ ବିଜେ ଶ୍ରୀ ଜଗନ୍ନାଥଙ୍କ ସମେତ ରଗଡ଼ିପଡ଼ା ଗ୍ରାମରେ ଚଳିତବର୍ଷ ପ୍ରଥମ କରି ରଥଯାତ୍ରା ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଏହି ଅପୂର୍ବ ଉତ୍ସବ ଦୁଇବର୍ଷ ପରେ ଅନୁଷ୍ଠିତ ହୋଇଥିବାରୁ ଭକ୍ତଙ୍କ ମନରେ ନାହିଁନଥିବା ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ନବଦିନବ୍ୟାପି ଯାତ୍ରା ଅବସରରେ ବିଭିନ୍ନ ମନ୍ଦିରରେ ପ୍ରତ୍ୟହ ସ୍ୱତନ୍ତ୍ର ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ତହସିଲଦାର ଶ୍ରୀ ପରିଡ଼ାଙ୍କ ସମେତ ଯାତ୍ରା କମିଟି ସଦସ୍ୟ ସୂର୍ଯ୍ୟକିଶୋର ମହାନ୍ତି, ରାଜପରିବାର ସଦସ୍ୟ ତ୍ରିଭୁବନଚନ୍ଦ୍ର ଦେବ, ସରୋଜ କୁମାର ପଟ୍ଟନାୟକ,ବିଭୁ ମିଶ୍ର, ଚିନ୍ମୟ ପଟ୍ଟନାୟକ, ଦିପକ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକଙ୍କ ସମେତ ବଡ଼ମ୍ବାର ଅନେକ ବୁଦ୍ଧିଜୀବୀ ଏବଂ ମୁରବୀ ସ୍ଥାନୀୟ ବ୍ୟକ୍ତିତ୍ୱ ତଥା ଆରକ୍ଷୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନାରେ ଆଜିର ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମାହିତ ହୋଇଛି।

Comments are closed.