ବହୁଚର୍ଚ୍ଚିତ ବଡ଼ମ୍ବା କୋଭିଡ ଯତ୍ନ କେନ୍ଦ୍ର ଏବଂ ଡାକବଙ୍ଗଳା ଚୋରୀ ଘଟଣାରେ ସନ୍ଦିଗ୍ଧ ଠାବ, ଚୋରୀ ସାମଗ୍ରୀ ଜବତ୍‍

ବଡ଼ମ୍ବା: ବହୁ ଚର୍ଚ୍ଚିତ ବଡ଼ମ୍ବା କୋଭିଡ ଯତ୍ନ କେନ୍ଦ୍ର ଏବଂ ରାଜସ୍ୱ ଡାକବଙ୍ଗଳାରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଚୋରୀ ଘଟଣାର ପର୍ଦ୍ଦାଫାସ କରିବାରେ ବଡ଼ମ୍ବା ପୁଲିସକୁ ଆଂଶିକ ସଫଳତା ମିଳିଛି। ଶୁକ୍ରବାର ପୁଲିସ ଏହି ଘଟଣାରେ ସଂପୃକ୍ତ କେତକ ସନ୍ଦିଗ୍ଧଙ୍କୁ ଠାବ କରିବାକୁ ସକ୍ଷମ ହୋଇଛି। ସେମାନଙ୍କ ପାଖରୁ ଚୋରୀ ଯାଇଥିବା ଅନେକ ଜିନିଷ ଜବତ୍‍ ହୋଇଛି। ଜବତ୍‍ ଜିନିଷ ମଧ୍ୟରେ ୨ଟି କାନ୍ଥ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ସମେତ ୧୦ରୁ ଅଧିକ ସିଲିଂ ଫ୍ୟାନ, ୮ଟି ଅତ୍ୟାଧୁନିକ ଚିକତ୍ସା ଖଟ ଏବଂ ଅନେକ ଟ୍ୟୁବ ଲାଇଟ ରହିଛି।

ଅଭିଯୋଗର ପ୍ରାୟ ମାସକ ପରେ ପୁଲିସ ହାତରେ ତଥ୍ୟ ଲାଗିବାରେ ଏହି ଘଟଣାରେ ଗୁରୁବାର ମଧ୍ୟରାତ୍ରରୁ ବଡ଼ମ୍ବା ଟାଉନ ସମେତ ସୁନାପାଳ, ଗୋପମଥୁରା, ମୁଳିଆବାଙ୍କ, ଦେଉଳୀ ଆଦି ବିଭିନ୍ନ ଗ୍ରାମରେ ଥିବା ସନ୍ଧିଗ୍ଧଙ୍କ ଘରେ ଚଢାଉ ଜାରି ରହିଛି। ଘଟଣାର କିଙ୍ଗପିନ୍‍ ଅର୍ଥାତ୍‍ ମୁଖ୍ୟଅଭିଯୁକ୍ତ ଫେରାର ଥିବା ପୁଲିସ କହିଥିବା ବେଳେ ଏଥିରେ ସଂପୃକ୍ତ ଏକାଧିକଙ୍କୁ ଚିହ୍ନଟକରି ପୁଲିସ ଗୁପ୍ତ ତଦନ୍ତ ଜାରି ରଖିଥିବା ବଡ଼ମ୍ବା ଥାନା ଆଇଆଇସି ନିରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି ବଡ଼ମ୍ବା କଲେଜ ହଷ୍ଟେଲରେ କରାଯାଇଥିବା ଅସ୍ଥାୟୀ କୋଭିଡ ଯତ୍ନ କେନ୍ଦ୍ରଟି ବନ୍ଦ୍‍ ରହିଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୁତମାନେ ଉକ୍ତ କେନ୍ଦ୍ର ଭିତରେ ଲାଗିଥିବା ସମସ୍ତ ମୂଲ୍ୟବାନ ଆସବାବପତ୍ର ସମେତ ୨୪ଟି ଅତ୍ୟାଧୁନିକ ରୋଗୀ ଖଟ, ୫୪ଟି ସିଲିଂ ଫ୍ୟାନ, ପାଣି ପମ୍ପ ଆଦି ପାଖାପାଖି ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରୀ କରି ନେଇଥିଲେ। ଘଟଣା ଜଣାପଡ଼ିବାରେ ବ୍ଲକ ପ୍ରଶାସନ ତରଫରୁ ଏନେଇ ଗତମାସ ୧୮ ତାରିଖରେ ଥାନାରେ ବିଧିବଦ୍ଧ ଅଭିଯୋଗ ହୋଇଥିଲା। ଘଟଣା ଚର୍ଚ୍ଚାରେ ଏବଂ ତଦନ୍ତାଧିନ ରହିଥିବା ବେଳେ ପୁନର୍ବାର ଅନୁରୁପଭାବେ ବଡ଼ମ୍ବା ନୂତନ ରାଜସ୍ୱ ଡାକବଙ୍ଗଳାରୁ ୩ଟି କାନ୍ଥ (ଏସି) ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଚନ୍ଦନ ମହୋତ୍ସବ ପରବର୍ତ୍ତି ସମୟରେ ଲୁଟ ହୋଇଥିଲା। କେବଳ ସେତିକି ନୁହେଁ ବଡ଼ମ୍ବା ଟାଉନରେ ଥିବା ହାଇସ୍କୁଲ ଭିତରେ କରାଯାଇଥିବା ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଟେନିସ ପଡ଼ିଆସ୍ଥିତ ବୈକୁଣ୍ଠନାଥ ସ୍ମୃତି ସଦନରୁ ମଧ୍ୟ ଏହା ପୂର୍ବରୁ ୩୦ଟିରୁ ଊର୍ଦ୍ଧ୍ବ ସିଲିଂ ଫ୍ୟାନ ଚୋରୀ ଯାଇଥିବା ଘଟଣାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଥିଲା। କିଭଳି ଭାବେ ଗୋଟିକ ପରେ ଗୋଟିଏ ଜଗୁଆଳି ବିହୀନ ସରକାରୀ ଅନୁଷ୍ଠାନରୁ ଏତେ ଚୋରୀ ଘଟିଲା ତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଲାଗି ରହିଥିବା ବେଳେ ବିଳମ୍ବରେ ହେଲେ ବି ପୁଲିସକୁ ଏହି ଘଟଣାରେ ସଫଳତା ମିଳିଥିବା ଉଲ୍ଲେଖନୀୟ ବିଷୟ। ତେବେ ଘଟଣାର ମାଷ୍ଟରମାଇଣ୍ଡ ବା ମୁଖ୍ୟ ଅଭିଯୁକ୍ତକୁ ଧରାଯିବା ଏବଂ ଏହା ପଛରେ ସମର୍ଥନ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଧରି ଏହାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବିଭିନ୍ନ ମହଲରେ ଦାବି ହେଉଛି।

Comments are closed.