ଭଟ୍ଟାରିକାରେ ନବନିର୍ମାଣ କୃଷକ ସଂଗଠନର ସଭା

ବଡ଼ମ୍ବା:ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଭଟ୍ଟାରିକା ପୀଠସ୍ଥିତ ଶିଶୁ ବଗିଚାରେ ସୋମବାର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ବଡ଼ମ୍ବାର ବିଭିନ୍ନ ପଞ୍ଚାୟତର ପ୍ରାୟ ଶତାଧିକ ଚାଷୀ ଏବଂ କୃଷକ ସାଥୀ ଏଥିରେ ଯୋଗଦେଇଥିଲେ। ବଳଭଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ନନ୍ଦ ଉପସ୍ଥିତ ଚାଷୀଭାଇଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ କେନ୍ଦ୍ର ହେଉ ବା ରାଜ୍ୟ ସରକାର ଚାଷୀଙ୍କୁ ନେଇ କିଏ କେତେ ଅବହେଳା କରିବ ସେନେଇ ଏବେ ପ୍ରତିଯୋଗିତା ଚଳାଇଛନ୍ତି। ସରକାରୀ କର୍ମଚାରୀଙ୍କ ଦରମା ବଢିବା, ବିକାଶ ନାଁରେ ବଡ଼ବଡ଼ କୋଠା ଏବଂ ରାସ୍ତା ନିର୍ମାଣ କରାଯାଉଥିବା ବେଳେ କୃଷି ପ୍ରଧାନ ଓଡ଼ିଶାରେ ଚାଷୀଙ୍କ ପ୍ରତି ସରକାରଙ୍କ ଟିକିଏ ବି ଦରଦ ନାହିଁ। ଚାଷୀ ତାର ଉତ୍ପାଦିତ ଦବ୍ର୍ୟର ଉଚିତ ମୂଲ୍ୟ ପାଉନାହିଁ ଏବଂ ଋଣ ଜାଲରେ ପଡ଼ି ଆତ୍ମହତ୍ୟା କରୁଥିବା ଦୁର୍ଭାଗ୍ୟର ବିଷୟ। ଚାଷୀ ତାର ପ୍ରାପ୍ୟ, ସମ୍ମାନ ଏବଂ ଭତ୍ତା ନପାଇବା ପର୍ଯ୍ୟନ୍ତ ସଂଗଠନ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ର କରିବ ବୋଲି ବୈଠକରେ ନେତୃବର୍ଗ ଆହ୍ୱାନ ଦେଇଥିଲେ। ଉକ୍ତ ସଭାରେ ଜିଲା ସଂଯୋଜକ ବିଚିତ୍ରାନନ୍ଦ ପଣ୍ଡା ଯୋଗଦେଇ ଚାଷୀମାନେ ଅସଂଗଠିତ ରହୁଥିବାରୁ ସରକାର ସେମାନଙ୍କୁ ଦିନକୁ ଦିନ ଅଧିକ ଶୋଷଣ କରୁଥିବା ଏବଂ କୃଷି କ୍ଷେତ୍ରପ୍ରତି ଅଣଦେଖା କରୁଥିବା ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ବ୍ଲକ ସଂଯୋଜକ ବୈକୁଣ୍ଠଚରଣ ଜେନା,ବାପିନା ବାରିକ,ସରୋଜ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରତି ପଞ୍ଚାୟତ ସ୍ତରରେ ସଂଗଠନକୁ ଅଧିକ କ୍ରୀୟାଶୀଳ କରାଯିବ ଏବଂ ଆଗାମୀ ଅକ୍ଟୋବର ମହାସମାବେଶକୁ ସଫଳ କରିବାପାଇଁ ଉପସ୍ଥିତ ସଂଗଠନ ସଦସ୍ୟମାନେ ଏହି ବୈଠକରେ ବଜ୍ର ସପଥ ନେଇଥିବା ସଂଗଠନ ସୂତ୍ରରୁ ପ୍ରକାଶ।

Comments are closed.