ବଡ଼ମ୍ବା ନଦୀକୂଳବାହିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ବଡ଼ମ୍ବା: ଗ୍ରାମ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଡ଼ମ୍ବା ନଦୀକୂଳବାହିରେ ବିଭିନ୍ନ ଉନ୍ନୟନମୁଳକ ଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସଂପୃକ୍ତ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୂଚନା ଅନୁଯାୟୀ ଏହି ବ୍ଲକ ଅନ୍ତର୍ଗତ ବାଙ୍ଗେରିସିଂହା ପଞ୍ଚାୟତରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବିଧାୟକ ଶ୍ରୀ ମିଶ୍ର ମଙ୍ଗଳବାର ପୂର୍ବାହ୍ନରେ ଯୋଗଦେଇଥିଲେ। ନିର୍ବାଚନ ସମ୍ପର୍କରେ ବିଧିବଦ୍ଧ ଘୋଷଣାର ଯଥେଷ୍ଟ ପୂର୍ବରୁ ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ଜନପ୍ରତିନିଧି ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଉନ୍ନତିସୋପାନ ଲାଭ କରିଥିବା ବାଙ୍ଗେରିସିଂହା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରିବାସହ ଏହାର ଭିତ୍ତିଭୂମି ପରିଦର୍ଶନ କରିଥିଲେ।

ସେହିଭଳି ନରଣପୁଣଠାରେ ସିଆରିଆ ନାଳ ଉପରେ ହେବାକୁ ଥିବା ୫କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ପ୍ରସ୍ତାବିତ ବିଜୁ ସେତୁ,ନୂଆବାଙ୍ଗେରିସିଂହା ଠାରୁ କଙ୍କଡ଼ାଯୋଡ଼ି ପର୍ଯ୍ୟନ୍ତ ପ୍ରାୟ ୩ କୋଟି ୫୪ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ହେବାକୁଥିବା ନୂତନ ରାସ୍ତାର ଶିଳାନ୍ୟାସ ବିଧାୟକ ଏହି ଅବସରରେ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ୧୫ଲକ୍ଷ ଟଙ୍କା ଖର୍ଚ୍ଚଅଟକଳରେ କରାଯାଇଥିବା ବାଙ୍ଗେରିସିଂହା ନୂତନ ଗ୍ରାମପଞ୍ଚାୟତ ଗୃହର ଉଦ୍ଘାଟନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ସ୍ଥାନୀୟ ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ,ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ରଗଡ଼ିପଡ଼ା ସମିତିସଭ୍ୟ ଇଂ.ସଞ୍ଜୟକୁମାର ସ୍ୱାଇଁ, ସାନବାରସିଂହର ପୂର୍ବତନ ସରପଞ୍ଚ ବିରଞ୍ଚିକୁମାର ଜେନା, ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରକୁମାର ସାହୁ, ଜିଲା ଯୁବବିଜେଡି ସମ୍ପାଦକ ରଘୁପତି ମହାନ୍ତି, ବାଙ୍ଗେରିସିଂହା ଶାନ୍ତିକମିଟିର ସଭାପତି ସୋମନାଥ ଚୌଧୁରୀ,ସମ୍ପାଦକ ଜମ୍ବେଶ୍ୱର ସାହୁ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମାନସକୁମାର ନାୟକ, ସମିତିସଭ୍ୟ ପ୍ରତିନିଧି ନିବାସଚନ୍ଦ୍ର ଦେହୁରୀ, ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ସମ୍ପାଦକ ପ୍ରଦୀପକୁମାର ମହାପାତ୍ର, ସଂଗଠକ ପ୍ରମୋଦକୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

Comments are closed.