ବଡ଼ମ୍ବାର ପ୍ରସିଦ୍ଧ ସିଂହନାଥ ପୀଠକୁ ଖୋଲିବ ସବୁଦିନିଆ ରାସ୍ତା

ବଡ଼ମ୍ବା: ବଡ଼ମ୍ବା ତଥା ବାଙ୍କୀ ଅଧିବାସୀଙ୍କ ବହୁଦିନର ପ୍ରତିକ୍ଷା ଶେଷରେ ପୁରଣ ହେବାକୁ ଯାଉଛି। କଟକ ଜିଲାର ବଡ଼ମ୍ବାରେ ଅବସ୍ଥିତ ତଥା ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ସିଂହନାଥ ପୀଠକୁ ସବୁଦିନିଆ ରାସ୍ତା ଖୁବଶିଘ୍ର ଖୋଲିବ। ଏଥିଲାଗି ନିର୍ମାଣ କରାଯାଇଥିବା ମହାନଦୀ ଉପରେ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ବିଧିବଦ୍ଧ ଉଦ୍‍ଘାଟନ କରିବେ ବୋଲି ଜଣାଯାଇଛି।

ଇଂରାଜୀ ‘ଟି’ ଅକ୍ଷର ସଦୃଶ ବଡ଼ମ୍ବା ଗୋପୀନାଥପୁରରୁ ବାଙ୍କୀ ବୈଦ୍ୟେଶ୍ୱରକୁ ପ୍ରାୟ ୩ କି.ମିରୁ ଊର୍ଦ୍ଧ୍ବ ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁର ମଧ୍ୟ ଭାଗରୁ ସିଂହନାଥ ପୀଠକୁ ଅନ୍ୟଏକ ସେତୁ ସଂଯୋଗ କରିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏହି ସେତୁର ସମ୍ପୁର୍ଣ୍ଣ ନିର୍ମାଣ କାର୍ଯ୍ୟ ତଥା ସିଂହନାଥପୀଠର ପାରିପାଶି୍ୱର୍କ ଅଞ୍ଚଳକୁ ବୁଧବାର ଅନୁଧ୍ୟାନ କରିଛନ୍ତି କଟକ ଜିଲାପାଳଙ୍କ ସହିତ ବଡ଼ମ୍ବା ଏବଂ ବାଙ୍କୀର ଦୁଇ ବିଧାୟକ। ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଜିଲାପାଳ ଭବାନୀଶଙ୍କର ଚୟିନୀ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ବିଶ୍ୱବ୍ୟାଙ୍କର ମୁଖ୍ୟଯନ୍ତ୍ରୀ ଆର.କେ ମିଶ୍ରଙ୍କ ସହିତ ଉକ୍ତ କାର୍ଯ୍ୟକ୍ରମରେ ବହୁ ଉଚ୍ଚପଦସ୍ତ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଯୋଗଦେଇ ସେତୁ ତଥା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଦାରଖ କରିଥିଲେ।

ମିଳିଥିବା ପ୍ରାରମ୍ଭିକ ସୂଚନାନୁଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୨୦ ତାରିଖ ଅର୍ଥାତ୍‍ ସୋମବାର ସକାଳ ବେଳା ବିମାନ ଯୋଗେ ଆସି ଗୋପୀନାଥପୁରରେ ଅବତରଣ କରିବେ। ପରେପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହାପରେ ସେତୁ ଉଦ୍‍ଘାଟନ କରିବାସହ ଏହାକୁ ମୁଖ୍ୟମନ୍ତ୍ରୀ କିଛିକ୍ଷଣ ବୁଲି ଦେଖିବେ ବୋଲି ବଡ଼ମ୍ବା ବିଧାୟକ ଶ୍ରୀ ମିଶ୍ରଙ୍କଠାରୁ ପ୍ରକାଶ।

Comments are closed.