ଅମଳ ସମୟରେ ଚାଷୀଘରେ ଜୱାଦ’ର ଜାଡ଼

ବଡ଼ମ୍ବା: ଚାଷ ଜମିରେ ସୁନାଭଳି ଦୃଶ୍ୟମାନ ବିସ୍ତିର୍ଣ୍ଣ ପାଚିଲା ଧାନକ୍ଷେତ। ଫୁଲକୋବି,ବନ୍ଧାକୋବି ସାଙ୍ଗକୁ ଶୀତଦିନିଆ ପନିପରିବାରେ କ୍ଷେତ ପୁରିଉଠିଥିଲା। ଉଭୟ ଧାନ ଏବଂ ପନିପରିବା ଚାଷ ଅମଳକ୍ଷମ ହେବାକୁ ବସିଥିଲା ବେଳେ ବଙ୍ଗୋପ ସାଗରରେ ଅବପାତରେ ପରିଣତ ହୋଇଥିବା ବାତ୍ୟା ଜୱାଦ କିନ୍ତୁ କୃଷିକ୍ଷେତ୍ରକୁ ଅମାପ କ୍ଷତି ପହଞ୍ଚାଇଛି। କ୍ଷତିଗ୍ରସ୍ତ ଚାଷୀଘରେ ଏବେ ଶୀତ ସାଙ୍ଗକୁ ଜୱାଦ’ର ଜାଡ଼ ଅନୁଭବ ହେଉଛି। ଭଲ ଦୁଇପଇସା ରୋଜଗାର କରିବାକୁ ଆଶା ବାନ୍ଧିଥିବା ଚାଷୀ ଏବେ ତରବରିଆ ଭାବେ ପନିପରିବା ଶାଗମାଛରେ ବିକ୍ରୟ କରୁଥିବା ବେଳେ କଟାଯାଇନଥିବା ଅନେକ ଧାନକ୍ଷେତରେ ପାଚିଲା ଧାନକେଣ୍ଡା ଗଜା ହେବାର ଆଶଂକା ସୃଷ୍ଟିରକିଛି। ବାତ୍ୟା ଜନିତ କ୍ଷୟକ୍ଷତି ଯଦିଓ ଆକଳନ କରାଯାଇନାହିଁ,ତେବେ ଆନୁମାନିକ ପ୍ରାୟ ୪ହଜାର ହେକ୍ଟରରୁ ଊର୍ଦ୍ଧ୍ବ (ଧାନ ଏବଂ ପରିବା) ଚାଷଜମି ବଡ଼ମ୍ବା ବ୍ଲକରେ ଜୱାଦ ଜନିତ ଅଦିନିଆ ମେଘପବନ କାରଣରୁ ପ୍ରଭାବିତ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି।

ସ୍ଥାନୀୟ କୃଷି ଏବଂ ଉଦ୍ୟାନକୃଷି ବିଭାଗୀୟ କତୃପକ୍ଷଙ୍କ କହିବାନୁଯାଇ ପାଖାପାଖି ଅଢେଇ(୨.୫) ହେକ୍ଟର ପାଚିଲା ଧାନକ୍ଷେତ ଏବଂ ୧୫ଶହ ହେକ୍ଟର ପରିବାଚାଷ ଏହି ବାତ୍ୟା ଜନିତ ଅଦିନିଆ ବର୍ଷାଦ୍ୱାରା ପ୍ରଭାବିତ ହୋଇଥିବା ଆଶଂକା କରାଯାଉଛି। ବିଶେଷ କରି ବ୍ଲକ ଅନ୍ତର୍ଗତ ରତାପାଟଠୁ ଧରି ଖାରୋଡ଼, ଜାନିପଦର, ମାଳତୀ ଝାଜିଆ, ବାଦଭୂଇଁ, ମଙ୍ଗରାଜପୁର, ଶଂଖାମେରୀ, ଦିନିଆରୀ, ବାଙ୍ଗେରିସିଂହା, ମାନପୁର ଆଦି ବିଭିନ୍ନ ଅଞ୍ଚଳର ଖାଲଜମିରେ ଥିବା ଧାନ ଫସଲ ଏହି ଲଘୁଚାପ ଜନିତ ଅଦିନିଆ ଝଡ଼ବର୍ଷାରେ ପ୍ରଭାବିତ ହୋଇଥିବା ଦେଖାଯାଇଛି।

ସେହିଭଳି କଣ୍ଢା, ଗୋବର୍ଦ୍ଧନପୁର, ଗୋପାଳପୁର, ଝାଜିଆ, ମଙ୍ଗରାଜପୁର, ଶଂଖାମେରୀ, ବାଙ୍ଗେରିସିଂହା, ବଡ଼ମ୍ବା ସହରତଳି ଦେଉଳୀ, ବୃନ୍ଦାବନପୁର, ମଙ୍ଗଳପୁର, ରାମପୁର, ଖଳିମାଟି ଆଦି ଅଞ୍ଚଳରେ କରାଯାଇଥିବା କୋବି, କାକୁଡ଼ି, ଜହ୍ନି ସମେତ ଅନେକ ଶୀତଦିନିଆ ପନିପରିବା ଲଗାଣବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମହଲରୁ ଜଣାଯାଇଛି। ଅପରପକ୍ଷରେ ଦିନେ ଦୁଇଦିନ ଭିତରେ କ୍ଷେତ୍ର ସର୍ବେକ୍ଷଣ କରାଯାଇ ପ୍ରକୃତ କ୍ଷୟକ୍ଷତି ଆକଳନ କରାଯାଇ ଏହାର ଚିଠା ପ୍ରସ୍ତୁତ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ। ଇତିମଧ୍ୟରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ଏବଂ ତଦ୍‍ଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରିବାନେଇ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାତ୍ରବେଳା ଏକ ଜରୁରୀ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଷୟକ୍ଷତିର ଉଚିତ ମୂଲ୍ୟାୟନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଦେବାସହ ସରକାର ରିହାତି ଦରରେ ପୁନର୍ବାର ଚାଷପାଇଁ ବିହନ ଏବଂ ସାର ଯୋଗାଇଦେବାକୁ ବିଭିନ୍ନ କୃଷକ ସଂଗଠନ ତରଫରୁ ନିବେଦନ କରାଯାଇଛି।

Comments are closed.