ବଡ଼ମ୍ବାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

ବଡ଼ମ୍ବା: ସ୍ଥାନୀୟ ଶିକ୍ଷାମଣ୍ଡଳ ଆନୁକୂଲ୍ୟରେ ବଡ଼ମ୍ବାରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶୁକ୍ରବାର ପାଳନ କରାଯାଇଛି। ବଡ଼ମ୍ବା ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସହଶିକ୍ଷାଧିକାରୀ ପ୍ରକାଶଚନ୍ଦ୍ର ମତ୍ତଗଜ ସିଂହ ମୁଖ୍ୟଅତିଥି ଏବଂ ବିବେକାନନ୍ଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଶିକ୍ଷାମଣ୍ଡଳର ଆଞ୍ଚଳିକ କେନ୍ଦ୍ର ସଂଯୋଜକ ବସନ୍ତକୁମାର ପାଣି, ସନ୍ତୋଷ କୁମାର ରାଉତ, ବୈଦ୍ୟନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ୩୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଉତ୍ସବ ପାଳନର ତାତ୍ପର୍ଯ୍ୟନେଇ ଏକ ସଚେତନ ଶୋଭାଯାତ୍ରା କରାଯାଇଥିଲା। ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଥିବା ବେଳେ ସେମାନେ ସକ୍ଷମ ; ନୁହନ୍ତି ଭିନ୍ନକ୍ଷମ ବୋଲି ସଚେତନ ବାର୍ତ୍ତା ପ୍ରଦାନ କରାଯାଇଥିଲା। ପରେପରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ଚିତ୍ରାଙ୍କନ, ଗଳ୍ପ ଲିଖନ, ଭାରସାମ୍ୟ ବହନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠିତ ଏକ ଔପଚାରିକ ସଭାରେ ଅତିଥିଙ୍କ ଦ୍ୱାରା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରଯାଇଥିଲା। ଏହି ଅବସରରେ ୭ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟତା ସ୍ୱରୁପ ହୁଇଲ ଚେୟାର(୨ଜଣଙ୍କୁ), ଆଶାବାଡି଼(ଜଣଙ୍କୁ) ଏବଂ ଏମଆର କିଟ୍ (୪ଜଣଙ୍କୁ) ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଭିନ୍ନକ୍ଷମ ପିଲାଙ୍କ ସାଧନକର୍ମୀ ଦୀନବନ୍ଧୁ ଦେଳେଇ ଏବଂ ମମତା ଦାସ ସଂଯୋଜନା କରିଥିଲେ। ବିଭାଗୀୟ ଅନ୍ତଃନିବେଶୀ ସ୍ୱେଛାସେବୀ ସମୁହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.