ଶ୍ରାଦ୍ଧବାର୍ଷିକୀରେ ଆଇନଜୀବୀ ବନୋଜକୁମାର ପଟ୍ଟନାୟକଙ୍କ ସ୍ମୃତିଚାରଣ ସଭା

ବଡ଼ମ୍ବା: ପୂର୍ବତନ ରାଜ୍ୟ ଆଇନଜୀବୀ ପରିଷଦ (ଷ୍ଟେଟ ବାରକାଉନସିଲ) ସଦସ୍ୟ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସୁନାମଧନ୍ୟ ଆଇନଜୀବୀ ସ୍ୱର୍ଗତ ବନୋଜ କୁମାର ପଟ୍ଟନାୟକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ବଡ଼ମ୍ବା ଓକିଲ ସଂଘ ତରଫରୁ ଦିବଂଗତ ଆତ୍ମା ପ୍ରତି ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶ୍ରାଦ୍ଧବାର୍ଷିକୀ ଅବସରରେ ବଡ଼ମ୍ବା ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଦିବଂଗତ ଆଇନଜୀବୀଙ୍କ ଉଦେଶ୍ୟରେ ଶୁକ୍ରବାର ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଆଇନଜୀବୀ ସନ୍ତୋଷକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ସ୍ଥାନୀୟ ବିଚାରାଳୟର ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ଆଇନଜୀବୀ କୈଳାସଚନ୍ଦ୍ର ଜେନା, ସନ୍ତୋଷକୁମାର ପଟ୍ଟନାୟକ, ବିଦୁଭୂଷଣ ମହାନ୍ତି, ନାରାୟଣ ଦାଶ, ଦୁର୍ଗାପ୍ରସାଦ ସାହୁ, ଅମରେଶ ରଥ, ଦିଲିପ କୁମାର ସାମନ୍ତ, ଅମୂଲ୍ୟ କୁମାର ପାଣିଗ୍ରାହୀ, ବରଦା ପଟ୍ଟନାୟକ, ସରକାରୀ ଓକିଲ ଅର୍ଚ୍ଚିତା ପ୍ରିୟଦର୍ଶିନୀ ପ୍ରମୁଖ ବହୁ ଆଇନଜୀବୀ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଜନ୍ମମାଟି ବଡ଼ମ୍ବାର ଜଣେ ଉଜ୍ୱଳ ପ୍ରତିଭା ଏବଂ ଓକିଲ ସଂଘର ଶୁଭେଛୁ ଭାବେ ସ୍ୱର୍ଗତ ପଟ୍ଟନାୟକ ବଡ଼ମ୍ବା କାହିଁକି ରାଜ୍ୟବ୍ୟାପି ଆଇନଜୀବୀଙ୍କ କଲ୍ୟାଣ ପାଇଁ ଯେଉଁ ସବୁ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ସେସବୁ ଚିର ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ସ୍ମୃତିଚାରଣ ପୂର୍ବକ କହିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିଙ୍କ ଦ୍ୱାରା ଦିବଂଗତ ଆଇନଜୀବୀଙ୍କ ଉଦେଶ୍ୟରେ ପ୍ରକାଶିତ ସ୍ମରଣିକା ‘ବନଜ୍ୟୋସ୍ନା’କୁ ଉନ୍ମୋଚନ କରାଯାଇଥିଲା। ସଂଘର ସମ୍ପାଦକ ଆଇନଜୀବୀ ପ୍ରମୋଦ କୁମାର ପୁହାଣ ସଭା ସଂଯୋଜନା କରିବାସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.