ବ୍ୟାଙ୍କ ସେବାରେ ଅସନ୍ତୁଷ୍ଟ ଗ୍ରାହକ, ରାଜରାସ୍ତାରେ ଦେଲେ ଧାରଣା

ବଡ଼ମ୍ବା: ବ୍ୟାଙ୍କରେ ଉପଯୁକ୍ତ ସେବା ମିଳୁନଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଶେଷରେ ଉତ୍‍କ୍ଷିପ୍ତ ଗ୍ରାହକମାନେ ଅଚାନକ ଦାବିପୁରଣ ଲାଗି ରାଜରାସ୍ତାକୁ ଓହ୍ଲାଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଏହି ବ୍ଲକ ଅନ୍ତର୍ଗତ ବେଲିଆପାଳରେ ଥିବା ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ବେଲିଆପାଳ,ଜାନିସାହି,ଗୋପାଳପୁର,ମାଳତୀ ଆଦି ନିକଟସ୍ଥ ଗ୍ରାମରେ ଥିବା ସ୍ଥାନୀୟ କେତକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉପଯୁକ୍ତ ସେବା ମିଳୁନଥିବା ପ୍ରକାଶ। ଦୀଘଦିନ ଧରି ଏହି ସମସ୍ୟା ଲାଗିରହିବାରେ ସଂପୃକ୍ତ ବ୍ୟାଙ୍କର ଗ୍ରାହକମାନେ ଘଟଣାକୁନେଇ ଅସନ୍ତୋଷ ପ୍ରକାଶ କରିଆସୁଥିଲେ। ବୁଧବାର ଅପରାହ୍ନରେ ହଠାତ୍‍ ଅସନ୍ତୁଷ୍ଟ ମହିଳାମାନେ ଉକ୍ତ ବ୍ୟାଙ୍କ ସମ୍ମୁଖ ବଡ଼ମ୍ବା-ନରସିଂହପୁର ମୁଖ୍ୟ ସଡ଼କପଥରେ ଘଟଣାର ସାମାଧାନ ଦାବିକରି ଧାରଣା ଦେଇଥିଲେ। ଫଳସ୍ୱରୁପ କିଛି ସମୟପାଇଁ ଯାତାୟତ ବାଧାପ୍ରାପ୍ତ ହେବାରେ ଖବରପାଇ ବଡ଼ମ୍ବା ଥାନା ଆଇଆଇସି ନିରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏପରିକି ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଘଟଣା ସମ୍ପର୍କରେ ଜାଣିବାରେ ସଂପୃକ୍ତ ବ୍ୟାଙ୍କକୁ ଯାଇ କତୃପକ୍ଷଙ୍କ ସହିତ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବରୁ ଥିବା ଆହ୍ଲାବାଦ ବ୍ୟାଙ୍କ ଏବେ ଇଣ୍ଡିଆନ ବ୍ୟାଙ୍କରେ ରୁପାନ୍ତରିତ ହୋଇଥିବା ଏବଂ ଅନେକ ଗ୍ରାହକଙ୍କର ବିଶେଷକରି ସୟଂ ସହାୟକ ଗୋଷ୍ଠିମାନଙ୍କର ଜମାଖାତା ଦୀର୍ଘଦିନ ଧରି ତାଜାସ୍ଥିତିକୁ(ଅପଡେଟ) ଆସିନଥିବା ଉକ୍ତ ଆଲୋଚନାରୁ ଜଣାଯାଇଥିଲା। ଏହି କାରଣରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ସମେତ ଅନେକ ଗ୍ରାହକ ଉପଯୁକ୍ତ ସରକାରୀ ସହାୟତା ପାଇବାରୁ ବଞ୍ଚିତ ଥିବା ସ୍ପଷ୍ଟ ହୋଇଥିଲା। ବିଧାୟକ ଶ୍ରୀ ମିଶ୍ର ତତ୍କାଳ ଏନେଇ ବିଭାଗୀୟ ଉଚ୍ଚକତୃପକ୍ଷଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ସମସ୍ୟାର ସମ୍ମୁଖୀନ ହୋଇଥିବା ଗ୍ରାହକମାନଙ୍କର ଜମାଖାତା ସମୁହ ସଂଧ୍ୟା ସୁଦ୍ଧା ଚଳିତମାସ ପାଇଁ ତାଜାସ୍ଥିତିକୁ ଅଣାଯିବ ଏବଂ ଆଗାମୀ ସପ୍ତାହକ ମଧ୍ୟରେ ସମ୍ପୂର୍ଣ୍ଣଭାବେ ଏହି ସମସ୍ୟାର ସମାଧାନ କରିବାପାଇଁ ଅଗ୍ରାଧିକାର ଦେବାକୁ ବିଧାୟକ ବ୍ୟାଙ୍କ ଉଚ୍ଚକତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ପରେପରେ ସଂପୃକ୍ତ ବ୍ୟାଙ୍କ ପରିଚାଳକ ଏନେଇ ଧାରଣାରତ ମହିଳାମାନଙ୍କୁ ବୁଝାଇବା ସହ ପ୍ରତିଶ୍ରୁତି ଦେବାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Comments are closed.