ସୁନାବେଶରେ ତ୍ରିପୁରା ସୁନ୍ଦରୀ ମା’ ଭଟ୍ଟାରିକା, ପୀଠରେ ଷୋଡ଼ଶଦିନାତ୍ମକ ଶାରଦୀୟ ପୂଜା ଆରମ୍ଭ

ବଡ଼ମ୍ବା: ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ତ୍ରିପୁରା ସୁନ୍ଦରୀ ମା’ ଭଟ୍ଟାରିକାଙ୍କ ପୀଠରେ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ବୁଧବାର ଆରମ୍ଭ ହୋଇଛି। ଜଗଜ୍ଜନନୀ ମା’ଙ୍କର ଏହି ପାର୍ବଣ ଧରାବତରଣ ଲାଗି କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଶଶାଙ୍ଗ ଗ୍ରାମସ୍ଥିତ ଭଟ୍ଟାରିକା ମନ୍ଦିର ଉତ୍ସବ ମୁଖର ହୋଇ ଉଠିଛି। ସେବାୟତମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ବ୍ରତପାଳନ ପୂର୍ବକ ବଡ଼ମ୍ବାର ଆରାଧ୍ୟା ଦେବୀ ମା’ ଭଟ୍ଟାରିକାଙ୍କର ଏହି ଷୋଳପୂଜା ଯଥାବିଧି ପାଳନ କରିଥାନ୍ତି। ସ୍ଥାନୀୟ ଦେବୋତ୍ତର ବିଭାଗ ପ୍ରଶାସନିକ ପରିଚାଳନାରେ ଠାକୁରାଣୀଙ୍କ ସମସ୍ତ ନୀତିକାନ୍ତି ପ୍ରତ୍ୟହ ଅନୁଷ୍ଠିତ ହୁଏ। ତେବେ ଏହି ପାର୍ବଣ ପୂଜାରେ ତ୍ରିପୁରାସୁନ୍ଦରୀ ମା’ ଭଟ୍ଟାରିକାଙ୍କକୁ ସ୍ୱତନ୍ତ୍ର ସୁନାବେଶରେ ଦଶହରାର ପବିତ୍ର ମହାଷ୍ଟମୀ ପର୍ବ ପର୍ଯ୍ୟନ୍ତ ପ୍ରତ୍ୟହ ସଜ୍ଜିତ କରାଯିବାର ପରମ୍ପରା ରହିଛି।

ବୁଧବାର ଅପରାହ୍ନରେ ଶଶାଙ୍ଗ ଗ୍ରାମସ୍ଥିତ ମାଉସୀ ମା’ ଘରୁ ମା’ଙ୍କର ଘଟ ଆସି ମନ୍ଦିରରେ ସ୍ଥାପନ ହେବାରେ ପର୍ବପୂଜକଙ୍କ ଦ୍ୱାରା ପୀଠପୂଜା, ଆୟୁଧ ପୂଜା, ଦେବୀଙ୍କ ମାଜଣା ନୀତି ସମ୍ପନ ହେବାରେ ସୁନାବେଶ ଲାଗି କରାଯାଇ ମା’ଙ୍କୁ ଷୋଡ଼ଷ ଉପଚାରରେ ଆବାହନୀ କରାଯାଇଥିଲା। ପ୍ରାୟ ସଂଧ୍ୟା ସମୟକୁ ଦେବନୀତି ସମ୍ପନ୍ନ ହେବାରେ ସର୍ବସାଧାରଣ ଦର୍ଶନ ନିମିତ ମନ୍ଦିର ସାହାଣ ମେଲା କରାଯାଇଥିଲା। ପରେପରେ ଅପେକ୍ଷାରତ ଭକ୍ତମାନେ କୋଭିଡ କଟକଣା ମାର୍ଗଦର୍ଶିକା ପାଳନ ପୂର୍ବକ ଠାକୁରାଣୀଙ୍କ ସୁନାବେଶ ଦର୍ଶନଲାଭ କରିଥିଲେ। ବିଧାୟକ ଦେବୀପ୍ରସାଦ ମିଶ୍ର ମନ୍ଦିର ପରିଦର୍ଶନ କରିବାସହ ଆଜି ମା’ଙ୍କ ଦର୍ଶନ କରିଥିବା ପ୍ରକାଶ।

ଅପରାହ୍ନରେ କଡ଼ା ପୁଲିସ ପହରା ମଧ୍ୟରେ ଦେବୀଙ୍କ ସୁନାବେଶର ଅଳଙ୍କାର ସବୁକୁ ଦେବୋତ୍ତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଦେବଦତ୍ତ ମହାନ୍ତଙ୍କ ତତ୍ତ୍ୱାବଧନାରେ ବଡ଼ମ୍ବା ଟ୍ରେଜେରୀରୁ ମନ୍ଦିର ନିଆଯାଇଥିଲା। ବିଭାଗୀୟ ପରିଚାଳକ ବିପିନୀ ପୂର୍ବାରଙ୍କ ହେପାଜତରେ ସମସ୍ତ ସ୍ୱର୍ଣ୍ଣାଳଙ୍କାରକୁ ମନ୍ଦିର ସେବାସୀଙ୍କୁ ପ୍ରଦାନ କରାଯାଇଥିଲା। ଦଶହରା ପର୍ବର ପୀଠେ ମହାଷ୍ଟମୀ ଅର୍ଥାତ୍‍ ଆସନ୍ତା ଅକ୍ଟୋବର ମାସ ୧୨ତାରିଖ ପର୍ଯ୍ୟନ୍ତ ମା ଭଟ୍ଟାରିକାଙ୍କର ଏହି ଦୁର୍ଲଭ ସୁନାବେଶକୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇପାରିବେ। ମହାଷ୍ଟମୀରେ ପୀଠରେ ମା ଭଟ୍ଟାରିକାଙ୍କର ପାରମ୍ପରିକ ବାର୍ଷିକୋତ୍ସବ ପାଳନ ହେବ। ତେବେ ପାର୍ବଣର ଏହି ସ୍ୱତନ୍ତ୍ର ପୂଜା ପ୍ରତ୍ୟହ ଯଥାରୀତି ପାଳନ ହେବବୋଲି ପର୍ବପୂଜକ ଶିରିଶ ରଣା ଏବଂ ବରିଷ୍ଠ ପୂଜକ ସାମଲ ରଣା କହିଛନ୍ତି। ପ୍ରତ୍ୟହ ନିର୍ଦ୍ଧିଷ୍ଟ ସମୟରେ ଦେବୀଙ୍କ ପୀଠର ପହଡ଼ ଖୋଲିବାରେ ମଙ୍ଗଳ ଆଳତି, ଦ୍ୱାର ପୂଜା, ସୂର୍ଯ୍ୟପୂଜା, ନବଗ୍ରହ ପୂଜା, ଆଦିଗଣେଶ ପୂଜା ସମେତ ମାଜଣା ନୀତି ସମ୍ପନ୍ନ ହେବ। ପରେପରେ ଚୁଆ,ଚନ୍ଦନ,ଅଗୁର,କର୍ପୁର ଆଦି ସୁଗନ୍ଧିତ ଦ୍ରବ୍ୟରେ ମହାନଦୀର ସୁଦ୍ଧଜଳରେ ଦେବୀଙ୍କ ସ୍ନାନ ନୀତି ସମ୍ପନ୍ନ ହେବ। ସ୍ନାନ ନୀତିପରେ ସୁନାବେଶ ଲାଗିକରାଯାଇ ପ୍ରତ୍ୟହ ତିନିଧୂପରେ ମା’ଙ୍କର ପୂଜାର୍ଚ୍ଚନା କରାଯିବାର ବିଧି ରହିଛି।

ବିଧିଅନୁଯାଇ ବ୍ରାହ୍ମ ମୂହୁର୍ତ୍ତରେ ଦେବୀଙ୍କୁ କନ୍ୟା, ମଧ୍ୟାହ୍ନରେ ବାଳା ଏବଂ ସଂଧ୍ୟାରେ ବୃଦ୍ଧା ରୁପରେ ପୂଜା କରାଯାଇଥାଏ। ସଂଧ୍ୟାରେ ସନ୍ଧିପୂଜା ସହିତ ପୀଠରେ ଅପରାଜିତା ସ୍ତୋତ୍ର ପାଠ, ଚଣ୍ଡିପୁରାଣ ପାଠ ହେବାରେ ଦେବୀଙ୍କଠି ରାତ୍ରବେଳାର ବଡ଼ସିଂହାର ଭୋଗଲାଗି ସହିତ ଶାନ୍ତିଉଦକ ପଣାଲାଗି ପରେ ମନ୍ଦିର ପହଡ଼ ପଡ଼ିଥାଏ। ପ୍ରକାଶଥାଉ କି ଗତବର୍ଷ ମହାମାରୀ କରୋନା ଜନିତ କୋଭିଡ କଟକଣା କାରଣରୁ ବିନା ଭକ୍ତରେ ପୀଠରେ ମା’ଙ୍କର ଏହି ପାର୍ବଣ ପର୍ବ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ କଟକଣା ଆଶିଂକ କୋହଳ କରାଯାଇଥିବାରୁ ଏହି ପାର୍ବଣ ପୂଜାରେ ମା’ ଭଟ୍ଟାରିକାଙ୍କ ସ୍ୱତନ୍ତ୍ର ସୁନାବେଶ ଦର୍ଶନ କରିବା ଲାଗି ଭକ୍ତଙ୍କ ମନରେ ଉତ୍ସାହ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।

Comments are closed.