ବର୍ଦ୍ଧିତ ୫୦ ଶଯ୍ୟା ବିଶିଷ୍ଟ ବଡ଼ମ୍ବା କୋଭିଡ ଯତ୍ନ କେନ୍ଦ୍ର ଉଦ୍‍ଘାଟିତ

ବଡ଼ମ୍ବା: ବଡ଼ମ୍ବା ମୋହନସୁବୁଦ୍ଧି କଲେଜ ମଧ୍ୟସ୍ଥଳରେ ଅବସ୍ଥିତ ଏକ ନୂତନ ହଷ୍ଟେଲରେ ୫୦ଶଜ୍ୟା ବିଶିଷ୍ଟ ବର୍ଦ୍ଧିତ କୋଭିଡ ଯତ୍ନ କେନ୍ଦ୍ରକୁ ମଙ୍ଗଳବାର ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଉଦ୍‍ଘାଟନ କରିଛନ୍ତି। ଅନୁଷ୍ଠିତ ଉଦ୍‍ଘାଟନ ଉତ୍ସବରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ, ଜିଲା କୋଭିଡ ନିୟନ୍ତ୍ରଣ ନୋଡାଲ ଅଧିକାରୀ ଡାକ୍ତର ଉମେଶ ରାୟ, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲୋକନାଥ ପାତ୍ର, ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, କୋଭିଡ ଯତ୍ନ କେନ୍ଦ୍ର ମୁଖ୍ୟ ଡାକ୍ତର ଉଦୟଜ୍ୟୋତି ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ସହକାରୀ ଯନ୍ତ୍ରୀ ଅଶୋକ ଦାଶ, କୋଭିଡ ଯତ୍ନକେନ୍ଦ୍ର ସହଯୋଗି ଡାକ୍ତର ଉଦୟରଞ୍ଜନ ଦାଶ, ଆଶୁତୋଷ ପଲାଇ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ପୂର୍ବରୁ କରାଯାଇଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ରର ସଫଳତା ଏବଂ ଅଞ୍ଚଳରେ କରୋନା ମହାମାରୀର ସ୍ଥିତି ତଥା ନିୟନ୍ତ୍ରଣ ଦିଗରେ ବର୍ଦ୍ଧିତ ଯତ୍ନ କେନ୍ଦ୍ର କିଭଳି ସହାୟକ ହେବ ସେନେଇ ଜିଲା ସ୍ୱାସ୍ଥ୍ୟଅଧିକାରୀ ସୂଚନା ଦେଇଥିବା ବେଳେ ଆଗକୁ ଆସୁଥିବା କରୋନା ୩ୟ ଲହର ପାଇଁ କିଭଳି ପ୍ରସ୍ତୁତ ହେବାକୁ ହେବ ସେନେଇ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ଭେଣ୍ଟେଲେଟର ଥିବା ସ୍ୱତନ୍ତ୍ର ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଯତ୍ନ କେନ୍ଦ୍ରକୁ ଖୁବ୍‍ଶିଘ୍ର ଯୋଗାଇଦେବା ସହିତ ସ୍ୱତନ୍ତ୍ର ଭ୍ରାମ୍ୟମାଣ ଏକ୍ସ-ରେ ଆମ୍ବୁଲାନ୍ସ ଯୋଗାଯିବ ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା। ସେହିଭଳି ଆଗାମୀ ୩ ତାରିଖରୁ ଘରକୁ ଘର ହେବାକୁ ଥିବା ସେରୋ ସର୍ବେକ୍ଷଣକୁ ତ୍ୱରାନିତ କରିବାସହ କିଭଳି ପ୍ରତ୍ୟ ଅଧିକ କୋଭିଡ ପରୀକ୍ଷା ବଡ଼ମ୍ବାରେ କରାଯାଇପାରିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକ ଯତ୍ନବାନ ହେବାକୁ ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ଆହ୍ୱାନ କରିଥିଲେ। ନୂତନ ବର୍ଦ୍ଧିତ ୫୦ଶଜ୍ୟା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ରରେ ଡାକ୍ତର ସୁଜାତା ମହାପାତ୍ର ଏବଂ ଡାକ୍ତର କାନଜୀ ଫତିମା ଯୋଗଦେଇଥିବା ଜଣାଯାଇଛି। ଅପରପକ୍ଷରେ କଲେଜ ମଧ୍ୟସ୍ଥଳରେ ଏହି କେନ୍ଦ୍ରଟି କରାଯାଇଥିବା ଏବଂ ଇତିମଧ୍ୟରେ ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ଲକଡାଉନ ସତ୍ୱେ କଲେଜ ଖୋଲିଯାଇଥିବାରୁ ଏହାକୁନେଇ ଏବେ ବିଭିନ୍ନ ମହଲରେ ସଂକ୍ରମଣ ଜନିତ ଭୟର ଆଶଂକା ପ୍ରକାଶପାଇଥିବା ଜଣାଯାଇଛି। ଦୈନନ୍ଦିନ କଲେଜକୁ ଆସୁଥିବା କଲେଜ କର୍ମଚାରୀ,ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଦିଗପ୍ରତି ପ୍ରଶାସନ ଗୁରୁତ୍ୱ ଦେବାସହ ପ୍ରତ୍ୟହ କଲେଜ ପରିସରର ପରିବେଶ,ପରିମଳ ତଥା ସାନିଟାଇଜେସନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଜରୁରୀ ମନେକରାଯାଇଛି।

Comments are closed.