ଦିନକରେ ୧୨ ସଂକ୍ରମିତ ଚିହ୍ନଟ, ସ୍ଥିତି ଉପରେ ବିଧାୟକଙ୍କ ଜରୁରୀ ସମୀକ୍ଷା

ବଡ଼ମ୍ବା: କରୋନା ଦ୍ୱତୀୟ ଲହର କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ପରଜାପଡ଼ା ପଞ୍ଚାୟତରେ ସ୍ଥିତିକୁ ସଙ୍ଗୀନ କରିଛି। ଗତ କିଛିଦିନରେ ଉକ୍ତ ପଞ୍ଚାୟତରୁ କରୋନାରେ ୩ଜଣ ବ୍ୟକ୍ତି ଅକାଳରେ ମୃତ୍ୟୁ ବରଣ କରିବାରେ ରବିବାର ଅପରାହ୍ନରୁ ଉକ୍ତଗ୍ରାମକୁ ଉପଖଣ୍ଡ ପ୍ରଶାସନ ସପ୍ତାହକପାଇଁ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ତେବେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଅତ୍ୟନ୍ତ ଉଦ୍‍ବେଗ ପ୍ରକାଶ କରିଛନ୍ତି। ବିଧାୟକ ଶ୍ରୀ ମିଶ୍ରଙ୍କ ନିର୍ଦେଶକ୍ରମେ ଜିଲା ପ୍ରଶାସନ ତରଫରୁ ସୋମବାର ସଂପୃକ୍ତ ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ପରୀକ୍ଷା ଶିବିର ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିଲା। ଉକ୍ତ ଶିବିରରେ ଅଞ୍ଚଳର ୨୬୧ଜଣଙ୍କଠାରେ ଉଭୟ ଆଣ୍ଟିଜେନ ଏବଂ ଆରଟିପିସିଆର ପରୀକ୍ଷା କରାଯାଇଥିଲା। ଆଣ୍ଟିଜେନ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ୧୨ଜଣ ଏବେ ଆକ୍ରାନ୍ତ ଅଛନ୍ତି।

ଏହିସ୍ଥିତି ସଂଧ୍ୟା ସୁଦ୍ଧା ଜଣା ପଡ଼ିବା ପରେ ବିଧାୟକ ଶ୍ରୀ ମିଶ୍ର ଏକ ଜରୁରୀ ସମୀକ୍ଷା ବୈଠକ ଆଗତ କରିଥିଲେ। ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ, ତହସିଲଦାର ଦେବଦତ୍ତ ମହାନ୍ତ, ମୁଖ୍ୟ ଚକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, କୋଭିଡ ପରିଚାଳକ ଡାକ୍ତର ଉଦୟଜ୍ୟୋତି ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ସ୍ୱାସ୍ଥ୍ୟ ବିଭାଗ ବିପିଏମ ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ପ୍ରଥମେ ବଡ଼ମ୍ବା ବ୍ଲକର ୫ଜଣ ବ୍ୟକ୍ତି ଚଳିତ ଦ୍ୱିତୀୟ କୋଭିଡ ଲହରରେ ଅକାଳ ମୃତ୍ୟୁବରଣ କରିଥିବା ନେଇ ଉଦବେଗ ପ୍ରକାଶ କରାଯାଇଥିଲା। ପରେ ସମୀକ୍ଷାରୁ ଜଣାଯାଇଥିଲା ଯେ ବର୍ତ୍ତମାନ ବ୍ଲକରେ ଶତକଡ଼ା ୨୩.୨% ହାରରେ ସଂକ୍ରମଣ ରହିଛି ଯଦିଓ ସ୍ଥାନୀୟ କୋଭିଡ ଯତ୍ନ କେନ୍ଦ୍ର ଜରିଆରେ ସୁସ୍ଥ ହେବା ଘଟଣା ତ୍ୱରାନୀତ ହୋଇପାରିଥିବା ଜଣାଯାଇଛି। ତେବେ ଅଧିକ ସଙ୍ଗୀନ ଏବଂ ପ୍ରଭାବିତ ପରଜାପଡ଼ା ପଞ୍ଚାୟତରେ ତତ୍କାଳ ପରୀକ୍ଷା ନେଇ ଲୋକଙ୍କ ଆଗ୍ରହ ଏବଂ ଜିଲା ପ୍ରଶାସନର ସହଯୋଗ ନେଇ ବିଧାୟକ ଶ୍ରୀ ମିଶ୍ର ଏଥିରେ ସନ୍ତୋଷ ବ୍ୟକ୍ତ କରିଥିଲେ।

Comments are closed.