ବଡ଼ମ୍ବାରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ କେଆର ସେଣ୍ଟର ଲୋକାର୍ପିତ

୨୪ଘଣ୍ଟା ଦୁଇଟି ଆଇସିୟୁ ଶଯ୍ୟା ଉପଲବ୍ଧ ,ଜୀବନ ରକ୍ଷାକାରୀ ଅମ୍ଳଜାନ ସିଲିଣ୍ଡର ପର୍ଯ୍ୟାପ୍ତ ଯୋଗାଇବା ଉପରେ ବିଧାୟକଙ୍କ ଗୁରୁତ୍ୱାରୋପ

ବଡ଼ମ୍ବା : କୋଭିଡ ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କଟକ ଜିଲା ବଡ଼ମ୍ବାରେ ଅତ୍ୟାଧୁନିକ କୋଭିଡ କେଆର ସେଣ୍ଟର ସୋମବାର ଲୋକର୍ପିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଜିଲା ଗ୍ରାମାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଅମ୍ବରକୁମାର କର, ଜିଲା କୋଭିଡ ନୋଡାଲ ଅଧିକାରୀ ଡାକ୍ତର ଉମେଶ ରାୟ,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ,ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ,ଭାରପ୍ରାପ୍ତ ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, କୋଭିଡ ପରିଚାଳନା ଅଧିକାରୀ ଡାକ୍ତର ଉଦୟଜ୍ୟୋତି ମଲ୍ଲିକ, ଆସିୟୁ ତତ୍ତ୍ୱାବଧାରକ ଡାକ୍ତର ଉଦୟରଞ୍ଜନ ଦାଶ, କଲେଜ ଅଧ୍ୟକ୍ଷ କୁମାରେଶ ରଥ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଚଳିତ ଦ୍ୱତୀୟ କୋଭିଡ ଲହରିକୁ ଦୃଷ୍ଟି ଦେଲେ ଏହି ଚିକିତ୍ସା କେନ୍ଦ୍ର ଜିଲା ତଥା ରାଜ୍ୟରେ ଏକ ଆଦର୍ଶ କୋଭିଡ କେଆର ସେଣ୍ଟର ଭାବେ ପରିଗଣିତ ଏଥିରେ ସନ୍ଦେହ ନାହିଁ ବୋଲି ଏହି ଅବସରରେ ଜିଲା ପ୍ରକଳ୍ପ ଅଧିକାରୀ ଶ୍ରୀ କର ପ୍ରକାଶ କରିଥିଲେ। ତେବେ ବିଧାୟକ ଶ୍ରୀ ମିଶ୍ରଙ୍କ ଅହରହ ଦୈନିକ ଉଦ୍ୟମ ଏବଂ ପ୍ରଚେଷ୍ଟା ଏଦିଗରେ ସଫଳତାର ପ୍ରମୁଖ କାରଣ ବୋଲି ଜିଲା କୋଭିଡ ନୋଡାଲ ଅଧିକାରୀ ଡାକ୍ତର ଶ୍ରୀ ରାୟ ଏହି ଅବସରରେ ସୂଚନା ଦେଇଥିଲେ।

ତେବେ ୧୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ କେଆର ସେଣ୍ଟରରେ ବଡ଼ମ୍ବା ତଥା ନରସିଂପୁର ସମେତ ଆଠଗଡ଼ ଉପଖଣ୍ଡର ସମସ୍ତ କରୋନା ଆକ୍ରାନ୍ତ ଏହା ଦ୍ୱାରା ବିଶେଷ ଉପକୃତ ହେବେ ବୋଲି ଆଶାବ୍ୟକ୍ତ କରିବାସହ ଏଥିଲାଗି ଆବଶ୍ୟକ ଅକ୍ସିଜେନ(ଅମ୍ଳଜାନ) ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦେବାକୁ ତଥା ଆବଶ୍ୟକ ଥିବା ବୈଷୟିକ ଏବଂ ଔଷଧ ଉପକରଣ, ଆମ୍ବୁଲାନ୍ସ ସେବା ତତ୍କାଳ ଯୋଗଦେବା ଉପରେ ବିଧାୟକ ଶ୍ରୀ ମିଶ୍ର ଏହି ଅବସରରେ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ୧୦୦ ଶଯ୍ୟା ବିଶିଷ୍ଟ ଥିବା ବେଳେ ଏହାକୁ ଆବଶ୍ୟକସ୍ଥଳେ ୧୫୦ ଶଜ୍ୟା ବିଶିଷ୍ଟ କରାଯାଇପାରିବ ବୋଲି ବିଧାୟକ ଏହି ଅବସରରେ ଘୋଷଣା କରିଥିଲେ। ରାଜ୍ୟରେ ଏକ ପ୍ରମାଣସିଦ୍ଧ ଏବଂ ଅନନ୍ୟ ସେବାକେନ୍ଦ୍ର ଯେଭଳି ହୋଇପାରିବ ସେଦିଗରେ ଜିଲାପ୍ରଶାସନ ଦୃଷ୍ଟି ଦେବାକୁ ବିଧାୟକ ଏହି ଅବସରରେ ଦୃଢୋକ୍ତି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପରମାନନ୍ଦ ସେଠୀ, ନିଜିଗଡ଼ ବଡ଼ମ୍ବା ସରପଞ୍ଚ ସୁଧାଂଶୂକିଶୋର ମହାନ୍ତି, ସମତିସଭ୍ୟ ମୁରଲୀଧର ମହାପାତ୍ର, ବିଜେଡି ଜିଲା ଉପସଭାପତି ସରୋଜକୁମାର ପଟ୍ଟନାୟକ, ପୂବର୍ତନ ସରପଞ୍ଚ ମହେନ୍ଦ୍ରକୁମାର ପଢିଆରୀ, ରବିନ୍ଦ୍ରକିଶୋର ରଣା, ସାଂସଦ ପ୍ରତିନିଧି ଦିପକକୁମାର ସାହୁ, ଗୋପପୁର ସରଞ୍ଚ ନରସିଂହ ସାହୁ, ସାନବାରସିଂହ ପୂର୍ବତନ ସରପଞ୍ଚ ବିରଞ୍ଚିକୁମାର ଜେନା ପ୍ରମୁଖ ବଡ଼ମ୍ବାର ବହୁଞ୍ଚବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Comments are closed.