ବଡ଼ମ୍ବା ନାଗରିକ ମଞ୍ଚର ବୈଠକ : ବିକାଶମୁଳକ ଯୋଜନାର ମନ୍ଥରତାକୁ ନେଇ ଉଦବେଗ

ବଡ଼ମ୍ବା : ବଡ଼ମ୍ବାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା, ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା,ବରିଷ୍ଠ ନାଗରିକ ତଥା ଶିଶୁଙ୍କ ପାଇଁ ହାଇଟେକ ଉଦ୍ୟାନ, ପୁରାତନ ମାଣିଆବନ୍ଧ ଫାଣ୍ଡିକୁ ଥାନାର ମାନ୍ୟତା ସହିତ ନଦୀକୂଳ ଅଞ୍ଚଳରେ ଏକ ନୂତନ ଫାଣ୍ଡି ସ୍ଥାପନ, ମାଣିଆବନ୍ଧକୁ ବ୍ଲକରେ ପରିଣତ ଆଦି ବିଭିନ୍ନ ବିକାଶମୁଳକ ଦାବି ଦୋହରାଇଛି ବଡ଼ମ୍ବା ନାଗରିକ ମଞ୍ଚ । ତେବେ ବଡ଼ମ୍ବାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଏବଂ କୃଷି କ୍ଷେତ୍ରକୁ ରେଙ୍ଗାଲି କେନାଲ ଜରିଆରେ ଜଳସେଚନ ତଥା ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଜରିଆରେ କିଡନୀ ରୋଗ ପ୍ରବଣ ସମସ୍ତ ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ମିଳିବା ଏହି ପ୍ରମୁଖ ବିକାଶ ମୁଳକ ଯୋଜନାର ସୁଫଳ ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ଏହା କୁନେଇ ନାଗରିକ ମଞ୍ଚ ଉଧବେଗ ପ୍ରକାଶ କରିଛି ।

ଶନିବାର ଏହି ପରିପ୍ରେକ୍ଷୀରେ ବଡ଼ମ୍ବା ରାଜ ବିଶ୍ୱମ୍ଭର କ୍ଲବ ପରିସରରେ ନାଗରିକ ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମଞ୍ଚର ସଭାପତି ଦାମୋଦର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବ୍ଲକରେ ବିଭିନ୍ନ ବିକାଶ ମୁଳକ ଯୋଜନାର ମନ୍ଥରତାକୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା । ଦୀର୍ଘ ବର୍ଷ ଧରି ଶିଳାନ୍ୟାସରେ ଅଟକିଥିବା ସୁନାପାଳସ୍ଥିତ ବଡ଼ମ୍ବା ଆଟିଆଇ ସ୍କୁଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ କିରିକିଚାସ୍ଥିତ ବଡ଼ମ୍ବା ଆଦର୍ଶ ବିଦ୍ୟାଳୟରେ ନିୟମିତ ଶିକ୍ଷାଦାନ ଆରମ୍ଭ ନହେବା ମଧ୍ୟ ବିଳମ୍ବିତ ବିକାଶର ଅନ୍ୟତମ ଝଲକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ସ୍ଥାନୀୟ ବିଧାୟକ ଏସବୁ ପ୍ରସଙ୍ଗରେ ଗୁରୁତ୍ୱର ସହିତ ଦୃଷ୍ଟି ଦେବା ଏବଂ ବିଭାଗୀୟ ମନ୍ତ୍ରୀ ତଥା ସଚିବଙ୍କ ସହିତ ଆଲୋଚନା କରିବାକୁ ମଞ୍ଚ ତରଫରୁ ପ୍ରସ୍ତାବ ଗୃହିତ ହୋଇଛି । ମଞ୍ଚର ସମ୍ପାଦକ ଅମୀୟ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ରକୁମାର ସାହୁ, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଜଳଧର ରଣା, ଶିବନାରାୟଣ ମିଶ୍ର, ଅଭିମନ୍ୟୁ ସାହୁ, ଶ୍ୟାମାକିଶୋର ମହାନ୍ତି, ଲିଙ୍ଗରାଜ ରଣା, ପ୍ରଶନ୍ନ କୁମାର ଶତପଥୀ, ସୁଦାମସୋଲେମାନ ଗୋଛି ପ୍ରମୁଖ ବ୍ଲକର ବିଭିନ୍ନ ଅଞ୍ଚଳର ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।

Comments are closed.