ଆଜିଠୁ ଶକ୍ତିପୀଠରେ ଶାରଦୀୟ ନବଦିନାତ୍ମକ ପୂଜା

ବଡ଼ମ୍ବାର ଅନ୍ୟତମ ଶକ୍ତିପୀଠ ମା ମହାକାଳୀଙ୍କ ପୀଠ ଚଳଚଞ୍ଚଳ

ବଡ଼ମ୍ବା :  ପ୍ରସିଦ୍ଧ ମା ଭଟ୍ଟାରିକାଙ୍କ ପୀଠରେ ପାର୍ବଣର ଷୋଡ଼ଶଦିନାତ୍ମକ ପୂଜାର୍ଚ୍ଚନା ଯଥାବିଧି ଜାରି ରହିଛି । ପବିତ୍ର ମହାଳୟା ଆମାବାସ୍ୟ ଉପଲକ୍ଷେ ପୀଠରେ ଦେବୀଙ୍କ ସ୍ୱତନ୍ତ୍ର ନୀତି ପାରମ୍ପରିକ ରୀତିରେ ରବିବାର ଅନୁଷ୍ଠିତ ହୋଇଛି । ତେବେ ବଡ଼ମ୍ବାର ଅନ୍ୟତମ ଆରଧ୍ୟା ଦେବୀ ଏବଂ ବହୁ ପ୍ରତ୍ୟକ୍ଷ ଶକ୍ତିପୀଠ ଖାରୋଡ଼ସ୍ଥିତ ମା ମହାକାଳୀଙ୍କ ପୀଠରେ ସୋମବାରଠାରୁ ପାର୍ବଣର ଅନ୍ତିମ ନବଦିନାତ୍ମକ ପୂଜା ଯଥାବିଧି ଅନୁଷ୍ଠିତ ହେବ । ମା ଭଟ୍ଟାରିକାଙ୍କ ଭଗ୍ନିରୂପିଣୀ ମା ମହାକାଳୀଙ୍କୁ ରାଜରାଜୁଡ଼ା ସମୟରୁ ଖାରୋଡ଼ର ଦେହୁରୀ ସମ୍ପଦ୍ରାୟର ପୂଜକ ପୂଜା କରିଆସୁଛନ୍ତି । ଜନମାନସରେ ସତ୍ୟ ଓ ନ୍ୟାୟ ନିସାପର ଦେବୀଭାବେ ଆରଧ୍ୟା ମା’ ମହାକାଳୀଙ୍କ ପୀଠରେ ଦଶହରା ଉତ୍ସବ ବାର୍ଷିକୋତ୍ସବ ଭାବେ ପାଳନ କରାଯାଏ । ଦେବୋତ୍ତର ବିଭାଗ ତତ୍ୱାବଧନାରେ ପରିଚାଳିତ ଏହି ପୀଠରେ ଦଶହରାରେ ଯାତ୍ରା ଅନୁଷ୍ଠିତ ହେବାସହ ଦଶହରା ଅନୁକୂଳ ଏବଂ ପାରିମ୍ପରିକ ପାଇକ ଆଖଡ଼ା ଖେଳ ପ୍ରଦର୍ଶିତ ହୋଇଥାଏ । ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ସହଯୋଗରେ ଉଭୟ ପୀଠରେ ଶାନ୍ତିପୂର୍ଣ୍ଣଭାବେ ଦେବୀଙ୍କ ଆରାଧନା ଏବଂ ଶାରଦୀୟ ପର୍ବ ପାଳନ କରାଯାଉଛି ।

ମହାମାରୀ କରୋନା କଟକଣା କାରଣରୁ ଦୁଇବର୍ଷ ପରେ ଜାନିଯାତ୍ରା ହେଉଥିବାରୁ ମା ଭଟ୍ଟାରିକା ଏବଂ ମା ମହାକାଳୀଙ୍କ ପୀଠରେ ପ୍ରତ୍ୟହ ଶ୍ରଦ୍ଧାଳୁଙ୍କ ଭିଡ଼ ବଢୁଥିବା ଜଣାଯାଇଛି । ମା ଭଟ୍ଟାରିକାଙ୍କର ବାର୍ଷିକ ଉତ୍ସବ ପାର୍ବଣର ପବିତ୍ର ମହାଷ୍ଟମୀରେ ପାଳନ ହୁଏ । ଏହି ଦିନ ମା ମହାକାଳୀ ଭ୍ରମଣରେ ଭଉଣୀଘର ଅର୍ଥାତ୍ ଭଟ୍ଟାରିକା ପୀଠ ପରିଦର୍ଶନରେ ଆସନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ସେହି କାରଣରୁ ଏହି ବିଶ୍ୱାସକୁ ପାଥେୟ କରି ମହାଷ୍ଟମୀ ତିଥିରେ ମା ଭଟ୍ଟାରିକାଙ୍କୁ କଳାଶାଢି ପିନ୍ଧାଯାଇ ସ୍ୱର୍ଣ୍ଣଆଳଙ୍କାର ପରିହିତା ମା ମହାକାଳୀ ବେଶରେ ସଜ୍ଜିତ କରିବାର ପରମ୍ପରା ଚଳିଆସୁଛି । ଦଶହରା ପାଖେଇ ଆସୁଥିବାରୁ ଦେବୀଙ୍କ ଦର୍ଶନ ଏବଂ କୃପାଭିକ୍ଷା ଲାଗି ଶ୍ରଦ୍ଧାଳୁଙ୍କ ଯେତିକି ଆଗମନ ବଢୁଛି ,ସେତିକି ଏହି ଦୁଇ ଶକ୍ତିପୀଠ ଦିନକୁଦିନ ଚଳଚଞ୍ଚଳ ହେଇଉଠୁଥିବା ଲକ୍ଷ୍ୟ କରାଯାଉଛି।

Comments are closed.