ସ୍ୱାଧୀନତା ସଂଗ୍ରାମୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକଙ୍କୁ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବଡ଼ମ୍ବା :  ସ୍ଥାନୀୟ ମୋହନ ସୁବୁଦ୍ଧି ମହାବିଦ୍ୟାଳୟରେ ବିଶିଷ୍ଟ ସ୍ୱାଧନତା ସଂଗ୍ରାମୀ, ବଡ଼ମ୍ବାର ପୂର୍ବତନ ବିଧାୟକ ତଥା କଲେଜର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରତାପ ଚନ୍ଦ୍ର ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସୁଚିସ୍ମିତା ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଖଡ଼ଗପୁର ଆଇଆଇଟିର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ବଳରାମ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥଲେ। ପ୍ରତାପଚନ୍ଦ୍ର ପଟ୍ଟନାୟକ ସ୍ମାରକ ଟ୍ରଷ୍ଟର ସଂପାଦକ ଶିକ୍ଷାବିତ୍ ଚନ୍ଦ୍ରଶେଖର ମହାନ୍ତି ଏହି ଉତ୍ସବରେ ମୁଖ୍ୟବକ୍ତା ଏବଂ ଟ୍ରଷ୍ଟର ଶୁଭେଛୁ ଦୀପକ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ପ୍ରଥମେ ମହାବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ମଞ୍ଚରେ ଥିବା ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇ ଦିବଂଗତ ସଂଗ୍ରାମୀଙ୍କୁ ସମବେତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ସଭାରେ ଅତିଥିମାନେ ସ୍ୱର୍ଗତ ପଟ୍ଟନାୟକଙ୍କ ଜୀବନ ଚର୍ଯ୍ୟା, ବୈପ୍ଲବିକ ଚିନ୍ତାଧାରା ଏବଂ ପ୍ରଜା ଆନ୍ଦୋଳନ ସମୟର ଅନୁଭୂତିକୁ ବର୍ଣ୍ଣନା କରିବା ସହ ମହାବିଦ୍ୟାଳୟ ଗଠନରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ସ୍ୱର୍ଗତ ପଟ୍ଟନାୟକଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

Comments are closed.