ପୁଲିସ ଜୁଲମ ବିରୋଧରେ ଗର୍ଜିଲେ ବିଜେପି ନେତା

ଦଳୀୟ ନେତାଙ୍କ ଗିରଫଦାରୀ ପ୍ରତିବାଦରେ ବଡ଼ମ୍ବା ବ୍ଲକରେ ୮ଘଣ୍ଟିଆ ବନ୍ଦ୍

ବଡ଼ମ୍ବା  : ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟକୁମାର ଦଳବେହେରା ଏବଂ ତାଙ୍କର କିଛି ସମର୍ଥକ ଗତ ୨୨ ତାରିଖରେ ନରସିଂହପୁର ଥାନା ଘେରାଉ ଘଟଟଣାରେ ଗିରଫ ହୋଇ ଜେଲରେ ଅଛନ୍ତି । ଏହାର ପ୍ରତିବାଦରେ ଦଳ ତରଫରୁ ବୁଧବାର ବଡ଼ମ୍ବା ଏବଂ ନରସିଂହପୁର ବ୍ଲକରେ ୮ ଘଣ୍ଟିଆ ବନ୍ଦ୍ ଡାକରା ଦିଆଯାଇଥିଲା। ସକାଳ ୬ ଘଟିକାଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ୍ ପାଳନ କରାଯାଇଥିଲା। ଫଳସ୍ୱରୁପ ଯାତ୍ରୀବାହି ବସ୍, ଭାରିଯାନ ଚଳାଚଳ ସମେତ ସାଧାରଣ ଜନଜୀବନ ଏହା ଦ୍ୱାରା ପ୍ରଭାବିତ ହୋଇଥିଲା। ବନ୍ଦ ପାଳନ ସମୟରେ ବଡ଼ମ୍ବାରେ ପୂର୍ବତନ ଜିଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ବିଜେପି ଦଳର ଯୁବବାହିନୀ ଏକ ମଟରସାଇକେଲ ଶୋଭାଯାତ୍ରା ବ୍ଲକ ଅନ୍ତର୍ଗତ ରତାପାଟ ଠାରୁ ମାଣିଆବନ୍ଧ ପର୍ଯ୍ୟନ୍ତ କରିଥିଲେ । ସେହିଭଳି ରତାପାଟ, ବଡ଼ମ୍ବା ଗାନ୍ଧିଛକ ଏବଂ ମାଣିଆ ବନ୍ଧଠାରେ ଦଳୀୟ ନେତୃବର୍ଗ କର୍ମୀଙ୍କ ଗହଣରେ ପ୍ରତିବାଦ ସଭା କରିଥିଲେ । ଉକ୍ତ ପ୍ରତିବାଦ ସଭାରେ ବିଜେପି ଦଳର ନେତୃବର୍ଗ ତାଙ୍କ ନେତା ଶ୍ରୀ ଦଳବେହେରା ଏବଂ କର୍ମୀଙ୍କ ପ୍ରତି କରାଯାଇଥିବା ପୁଲିସ ଜୁଲମର ପ୍ରତିବାଦ କରି ସ୍ଥାନୀୟ ବିଧାୟକ ତଥା ଶାସକ ବିଜେଡି ଦଳ ବିରୁଦ୍ଧରେ ଗର୍ଜିଥିଲେ। ଆଠଗଡ଼ର ପୂର୍ବତନ ବିଜେପି ବିଧାୟକ ପାର୍ଥୀ ବଜେନ୍ଦ୍ର ରାୟଙ୍କ ସମେତ ବଡ଼ମ୍ବାର ଜୋନ ସଭାପତି ସନ୍ତୋଷ କୁମାର ବେହେରା, ସରୋଜ କୁମାର ବେଉରା, ହରମୋହନ ପଟ୍ଟନାୟକ, ଅନୀଲ କୁମାର ମହାନ୍ତି, ହୃଷିକେଶ ମହାନ୍ତି, ଭଜମନ ମହାନ୍ତି, ବିପିନିକୁମାର ସାହୁ, ମନୋଜ କୁମାର ଉଦୟଭାନୁ, ଶ୍ରୀଧର ବେହେରା, ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ବିଭିନ୍ନ ପଞ୍ଚାୟତର ପ୍ରମୁଖ ନେତୃବର୍ଗ ଅନୁଷ୍ଠିତ ବନ୍ଦ୍ ପାଳନରେ ଉପସ୍ଥିତ ପୂର୍ବକ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟାୟ ଭାବେ ଗିରଫ କରାଯାଇଥିବା ଦଳର ନେତା ଶ୍ରୀ ଦଳବେହେରାଙ୍କୁ ଖୁବ ଶିଘ୍ର ଖଲାସ ଦାବିରେ ଏହି ବନ୍ଦକୁ ସମର୍ଥନ ଜଣାଇ ଦଳର ମହିଳା ମୋର୍ଚ୍ଚାର ମାତୃଶକ୍ତିଗଣ ରତାପାଟ ଏବଂ ମାଣିଆବନ୍ଧରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗଦେଇଥିଲେ ।

ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଆବଶ୍ୟକ ପୁଲିସ ବିଭିନ୍ନ ଛକ ବଜାରରେ ମୁତୟନ କରାଯାଇଥିଲା । ଦଳୀୟ କର୍ମକର୍ତ୍ତାଙ୍କ ପିକେଟିଂ ପରେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ ଆଦି ଅନୁଷ୍ଠାନ ସାମୟିକ ଭାବେ ବନ୍ଦ ରହିଥିବା ବେଳେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବିଭିନ୍ନ ଛକବଜାରର ଦୋକାନ ପ୍ରାୟତଃ ବନ୍ଦ ରହିଥିଲା । ତେବେ ବନ୍ଦପାଳନ ସମୟରେ ଦୁଇଚକିଆ ଯାନବାହାନ, ଅଟୋ, କାର ଆଦି ଯାନବାହାନ ଅନାୟସରେ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା । ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଏହି ଆଠ ଘଣ୍ଟିଆ ବନ୍ଦ ପାଳନ ସମ୍ପନ୍ନ ହୋଇଥିବା ଜଣାଯାଇଛି।

Comments are closed.