ବଡ଼ମ୍ବାରେ ଆମ ପୁଲିସ ସମିତି କାର୍ଯ୍ୟକ୍ରମ : ଆସ୍ଥା ଅଛି ହେଲେ ପୁଲିସ ପ୍ରତି ଭରସା କମୁଥିବା ନେଇ ବୁଦ୍ଧିଜୀବୀଙ୍କ ଉଦ୍‌ବେଗ

ବଡ଼ମ୍ବା : ସାଧାରଣ ଜନତାଙ୍କ ମଧ୍ୟରେ ଏବଂ ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଆଇନଶୃଖଂଳା ରକ୍ଷା ନେଇ ପୂର୍ବଭଳି ଆଉ ପୁଲିସ ଉପରେ ଭରସା ରହୁନଥିବା ଅଭିଯୋଗ ହେଉଛି। ଯାହାଫଳରେ କି ସହର ଭଳି ଗାଁ ଗହଳି ଏବେ ଅପରାଧ ପ୍ରବଣ ହେବାରେ ଲାଗିଛି ଏବଂ ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ,ଭଦ୍ରଲୋକ ତଥା ଗାଁର ମୁରବୀ ଓ ନେତୃସ୍ଥାନୀୟ ଲୋକ ପୁଲିସ ଉପରେ ଆସ୍ଥା ରଖୁଥିଲେ ସୁଦ୍ଧା ନିଜକୁ ଅସୁରକ୍ଷିତ ମଣୁଥିବା ଦେଖାଯାଉଛି। ଏଭଳି କିଛି ଅଙ୍ଗେଲିଭା ଅନୁଭୁତିର କଥା ସୋମବାର ବଡ଼ମ୍ବାରେ ଅନୁଷ୍ଠିତ ଆମ ପୁଲିସ କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ଉତ୍ଥାପନ କରିଥିଲେ।

ତେବେ ଥାନା ଅଧିନସ୍ଥ ଲୋକସଂଖ୍ୟାକୁ ଦୃଷ୍ଟି ଦେଲେ ଆବଶ୍ୟକ କର୍ମଚାରୀ ଅଭାବ ରହୁଥିବାରୁ ପୁଲିସ ପକ୍ଷେ ଆଇନଶୃଖଂଳା ପରିସ୍ଥିତି ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେଉଥିବା ପ୍ରମୁଖ ସମସ୍ୟା ବୋଲି ଉକ୍ତ ଆଲୋଚନାରୁ ଜଣାଯାଇଥିଲା। ବଡ଼ମ୍ବା ଥାନା ଆଇଆଇସି ପ୍ରଭାତକୁମାର ମଲ୍ଲିକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ(ଏସଡିପିଓ) ଆଲୋକରଞ୍ଜନ ରାୟ,ମାଣିଆବନ୍ଧ ଫାଣ୍ଡି ଅଧରକାରୀ ବସନ୍ତକୁମାର ଶତପଥୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଆଇନଜୀବୀ,ନିର୍ବାଚିତ ଜନପ୍ରତିନିଧି,ରାଜନୀତିଜ୍ଞ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ଯୋଗଦେଇଥିଲେ। ତେବେ ଦୀର୍ଘ ପ୍ରାୟ ଅଢେଇ ବର୍ଷ ପରେ ଏହି କାର୍ଯ୍ୟକ୍ରମ ହେବା ଏବଂ ଏଭଳି କାର୍ଯ୍ୟକ୍ରମ କେବଳ ବ୍ଲକ ସଦର ମହକୁମାରେ ସୀମିତ ରହୁଥିବାରୁ ଏହାଦ୍ୱାରା ପୁଲିସ ଏବଂ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ପରଷ୍ପର ସମ୍ପର୍କ ବିନିମୟ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ଉପସ୍ଥିତ କେତକ ବୁଦ୍ଧିଜୀବୀ ମତପୋଷଣ କରିଥିଲେ। ଅନ୍ତତପକ୍ଷେ ଜିଲାପରିଷଦ ଜୋନ ଅନୁଯାଇ ଏଭଳି ବୈଠକ କରାଯିବା ଉପରେ ଆଗକୁ ଗୁରୁତ୍ୱ ଦେବାକୁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା।

ଅପରପକ୍ଷରେ କୋଭିଡ ନିୟନ୍ତ୍ରଣ,ଅପରାଧ ନିୟନ୍ତ୍ରଣ,ମହିଳାଙ୍କ ସୁରକ୍ଷା,ଏଟିଏମ ଫ୍ରଡ,ବରିଷ୍ଠ ନାଗରିକଙ୍କ ସୁରକ୍ଷା,ସାଇବର ଅପରାଧ,ବେଆଇନ ନିଶା କାରବାର ଏବଂ ବେପରୁଆ ଦ୍ରୁତ ଗାଡ଼ିଚାଳନା ତଥା ଦୁର୍ଘଟଣା ନିୟନ୍ତ୍ରଣ ଆଦି ପ୍ରମୁଖ ଆଇନଶୃଖଂଳା ପ୍ରସଙ୍ଗ ପୁଲିସ ପାଇଁ ଏବେ ଏକ ଆହ୍ୱାନ ହୋଇଛି। ଏଦିଗରେ ଅଧିକ ସକ୍ରିୟ ହେବାକୁ ହେଲେ ସଚେତନ ଜନସାଧାରଣଙ୍କ ସହଯୋଗ ଜରୁରୀ ବୋଲି ଉକ୍ତ ବୈଠକରେ ମତପ୍ରକାଶ ପାଇଥିଲା। ସେହିଭଳି ଥାନାରେ ଆଗନ୍ତୁକ ଅଭିଯୋଗକାରୀଙ୍କ ନିମନ୍ତେ ଅପେକ୍ଷା କକ୍ଷର ବ୍ୟବସ୍ଥା,ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଅପରାଧ ନିୟନ୍ତ୍ରଣ ଲାଗି ଆବଶ୍ୟକ କର୍ମଚାରୀ ଏବଂ ଗାଡ଼ିର ବ୍ୟବସ୍ଥା,ଦୀର୍ଘଦିନ ଧରି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବଡ଼ମ୍ବା ଥାନା ପରିସରସ୍ଥ କର୍ମଚାରୀଙ୍କ ବାସଘର ସମୁହର ପୁନଃନିର୍ମାଣ ତଥା ମାଣିଆବନ୍ଧ ଫାଣ୍ଡିକୁ ଥାନା ମାନ୍ୟତା ସମେତ ପ୍ରସିଦ୍ଧ ଭଟ୍ଟାରିକା ପୀଠ ଏବଂ ଗୋପୀନାଥପୁରରେ ଫାଣ୍ଡି ଖୋଲାଯିବା ନେଇ ଉକ୍ତ ବୈଠକରେ ଆଲୋଚିତ ପ୍ରମୁଖ ପ୍ରସଙ୍ଗ ଉପରେ ସରକାର ଦୃଷ୍ଟି ଦେବାକୁ ସମିତି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ,ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ,ବରିଷ୍ଠ ଆଇନଜୀବୀ କୈଳାଶଚନ୍ଦ୍ର ଜେନା,ସରୋଜକୁମାର ବେଉରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପରମାନନ୍ଦ ସେଠୀ,ବରିଷ୍ଠ ରାଜନୀତିଜ୍ଞ ନରସିଂହ ସାହୁ,ବ୍ଲକ ବିଜେଡି ସଭାପତି ରବିନ୍ଦ୍ରକୁମାର ସାହୁ,ପୂର୍ବତନ ଜିଲାପରିଷଦ ରଘୁପତି ମହାନ୍ତି,ସାମାଜିକ କର୍ମୀ ସରୋଜକୁମାର ପଟ୍ଟନାୟକ, ପ୍ରଶନ୍ନକୁମାର ଧଳ,ଇଂ.ସଞ୍ଜୟକୁମାର ସ୍ୱାଇଁ,ରମେଶଚନ୍ଦ୍ର ବେହେରା ପ୍ରମୁଖ ସ୍ଥାନୀୟ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକମରେ ନିମନ୍ତ୍ରିତ ଅତିଥିବାବେ ଯୋଗଦେଇ ନିଜନିଜର ମତବିନିମୟ କରିଥିଲେ। ତେବେ ସରକାରଙ୍କ ଏହି କାର୍ଯ୍ୟକ୍ରମ ବହୁବିଳମ୍ବରେ ହେବା,ଅନେକ ପ୍ରମୁଖ ବ୍ୟକ୍ତିବିଶେଷ,ସଂଗଠନ ପ୍ରତିନିଧି ତଥା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଏଥିରେ ସାମିଲ କରାଯାଇନଥିବା ନେଇ ସାଧାରଣରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments are closed.