ଐତିହାସିକ ସିଂହନାଥ ପୀଠ ଭିତରେ ବନ୍ୟାଜଳ, ଠାକୁର ଜଳଶାୟୀ

ବଡ଼ମ୍ବା : ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ମନ୍ଦିର ବନ୍ୟାଜଳରେ ବୁଡ଼ି ରହିଥିବାବେଳେ ଅନ୍ୟତମ ଐତିହାସିକ ପୀଠ ତଥା ଜାତୀୟ ସ୍ମାରକୀ ମାନ୍ୟତା ଲାଭ କରିଥିବା ବଡ଼ମ୍ବାର ବାବା ସିଂହନାଥ ଦେବଙ୍କ ମନ୍ଦିର ବେଢାରେ ମହାନଦୀର ବନ୍ୟାଜଳ ପଶିଥିବା ବିଳମ୍ବରେ ଜଣାପଡ଼ିଛି।

ଏହି ମନ୍ଦିର ବେଢାରେ ଗତ ୩ଦିନ ହେବ ମହାପ୍ରଭୁଙ୍କ ଶକ୍ତି(ଶିବଲିଙ୍ଗ) ବାଟ ହୋଇ ଏବଂ କୁଣ୍ଡଭଳି ଥିବା ବେଢାର ନଳାବାଟ ଦେଇ ବନ୍ୟାଜଳ ପ୍ରବେଶ କରିଥିବା ପ୍ରକାଶ। ବର୍ତ୍ତମାନ ବେଢା ଭିତରେ ପ୍ରାୟ ୪ଫୁଟ ଉଚ୍ଚତାର ବନ୍ୟାଜଳ ରହିଥିବାବେଳେ ମୁଖ୍ୟମନ୍ଦିର ଭିତରେ ବାବା ସିଂହନାଥ ମା’ ଭଟ୍ଟାରିକାଙ୍କ ଭଳି ପ୍ରାକୃତିସ୍ଥ ଜଳଶାୟୀ ରହିଥିବା ଜଣାଯାଇଛି। ତେବେ ବନ୍ୟାଜଳରେ ଗୋଟା ମହାନଦୀ ହୋଇଥିବା ସତ୍ୱେ ଠାକୁରଙ୍କ ବିଜେ ପ୍ରତିମା ଏବଂ ନାଗମୂର୍ତ୍ତିକୁ ରୋଷଘରକୁ ଅଣାଯାଇ ସେହିଠାରେ ପାଳିପୂଜା ଜାରିରହିଥିବା ଅନ୍ୟତମ ଉଲ୍ଲେଖନୀୟ ବିଷୟ ବୋଲି ଅନୁସଂଧାନରୁ ଜଣାଯାଇଛି।

ବିପଦପୂର୍ଣ୍ଣ ହେଲେ ବି ସେବାସୀମାନେ ପରମ୍ପରାକୁ ପାଥେୟ କରି ମହାନଦୀର ବନ୍ୟାଜଳରେ ଯାଇ ପ୍ରତ୍ୟହ ଦୈନନ୍ଦିନ ନୀତି କରୁଥିବା ପାଳିପୂଜକ ରତ୍ନାକର ମହାପାତ୍ର ଏବଂ ଧୃବଚରଣ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଏଭଳି ସମୟରେ ପ୍ରଶାସନ ସେମାନଙ୍କ ପାଖରେ ବିଚାରବିମର୍ଶ କରି କିଭଳି ଠାକୁରଙ୍କ ଦେବନୀତି ବନ୍ଦ୍‍ ନହୋଇ ପାଳିପୂଜା ହେବ ଏବଂ ଜୀବନକୁ ବାଜି ଲଗାଇ ମହାନଦୀ ବକ୍ଷସ୍ଥଳରେ ଥିବା ଏହି ପୀଠକୁ ଯାଉଥିବା ସେବାସୀମାନଙ୍କ ସୁବିଧାଅସୁବିଧା ସମ୍ପର୍କରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ବରିଷ୍ଠ ପୂଜକ ଜଳଧର ରଣା ତଥା ତାଙ୍କ ସହଯୋଗୀମାନେ ଦାବି କରିଛନ୍ତି। ଘଟଣାକୁ ନେଇ ବଡ଼ମ୍ବା ତହସିଲଦାର ତଥା ଦେବୋତ୍ତର ଅଧିକାରୀ ଅନୀଲକୁମାର ପଟ୍ଟନାୟଙ୍କୁ ପଚାରିବାରୁ ସେ ଖୁବ୍‍ଶୀଘ୍ର ଏନେଇ ମନ୍ଦିର ସେବାସୀଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Comments are closed.