ଧବଳେଶ୍ୱରଙ୍କ ପଞ୍ଚକ ବଡ଼ଓଷା ଯାତ୍ରା ପ୍ରସ୍ତୁତି ବୈଠକ ; ବିଡ଼ାନାସୀ ପାର୍ଶ୍ବରେ ଡଙ୍ଗା ଚଳାଚଳ ବନ୍ଦ

0

ଗୁରୁଡ଼ିଝାଟିଆ : ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଭୁଙ୍କ ପଞ୍ଚକ ବଡ଼ଓଷା ଯାତ୍ରା ଅନୁଷ୍ଠିତ ହେବ। ୨୧ରେ ତ୍ରୟୋଦଶୀ ତିଥିରେ ପ୍ରଭୁଙ୍କ ବଡ଼ଓଷା ଓ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ। ୨୨ରେ ଗଜଭୋଗ ବିତରଣ କରାଯିବ। ପଞ୍ଚକ ବଡ଼ଓଷା ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବା ପାଇଁ ସମସ୍ତ ପ୍ରସ୍ତୁତିକାର୍ଯ୍ୟ ୧୭ ତାରିଖ ସୁଦ୍ଧା ସମାପନ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ଶ୍ରୀ ଅଗ୍ରୱାଲ ନିର୍ଦେଶ ଦେଇଛନ୍ତି। ମହାନଦୀର ନୂଆପାଟଣା ଠାରେ ମଧୁସୂଦନସେତୁ ହେବାପରେ ଧବଳେଶ୍ୱର ପୀଠକୁ ବିଡ଼ାନାସୀ ପାର୍ଶ୍ବରୁ ଡଙ୍ଗା ଚଳାଚଳ କରିବନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।

ପଞ୍ଚକ ଓ ବଡ଼ଓଷା ସମୟରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଝୁଲାପୋଲ ଦେଇ ଆସୁଥିବାରୁ ଭିଡ଼କୁ ନିୟନ୍ତ୍ରଣ କରିବା ସହ ସୁରୁଖୁରୁରେ ଦର୍ଶନ କରାଇବା ନିମନ୍ତେ ଝୁଲାପୋଲ ପାର୍ଶ୍ବରେ ମଞ୍ଚେଶ୍ୱର ଗାଁ ନିକଟରେ ମହାନଦୀରେ ଡ଼ଙ୍ଗା ଚଳପ୍ରଚଳ କରିବ। ଜଣ ପିଛା ଡ଼ଙ୍ଗାଭଡ଼ା ପାରଉତାର ପାଇଁ ୨୦ଟଙ୍କା ରଖାଯାଇଥିବା ବେଳେ ଲାଇଫ୍‍ଜ୍ୟାକେଟ୍‍ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଡ଼ଙ୍ଗା ପଞ୍ଜୀକରଣ କରାଯିବା ସହ ବୀମା ଅନ୍ତର୍ଭୁକ୍ତ ହେବ। ଡ଼ଙ୍ଗାର ପରିବହନ କ୍ଷମତା ଉଲ୍ଲେଖିତ କରାଯିବ। ଡଙ୍ଗାର ଉଭୟପାର୍ଶ୍ବରେ ସତର୍କତା ସ୍ୱରୂପ ଫାୟାର ଓ ଓଡ୍ରାଫ୍ଟର କର୍ମଚାରୀ ମୁତୟନ ହେବେ। ପୀଠ ପରିସରରେ ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ସଫେଇ, ପରିମଳ ବ୍ୟବସ୍ଥା, ସ୍ୱଚ୍ଛପାନୀୟ ଜଳକୁ ଗୁରୁତ୍ୱ ଦିଆଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ହୁଇଲ୍‍ଚେୟାର ବ୍ୟବସ୍ଥା କରାଯିବ। ମନ୍ଦିର ଭୋର୍‍ରୁ ଖୋଲାଯିବ। ଦେବୋତ୍ତର ପ୍ରଶାସନ ଓ ଧବଳେଶ୍ୱର ସେବାସଂସ୍ଥା ପକ୍ଷରୁ ବଡ଼ଓଷା ଓ ତା’ର ପରଦିନ ୨ଦିନ ଧରି ପୀଠ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୧୮ପ୍ଲାଟୁନ୍‍ ଫୋର୍ସ ମୁତୟନ ହେବେ। ପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଘାଟର ଦ୍ରୁତ ମରାମତି, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଜିକ୍‍ଜାକ୍‍ ବ୍ୟାରିକେଟ୍‍, ଡ଼ଙ୍ଗା ପାରଉତାର ହେବା ସ୍ଥାନରେ ଜେଟି ଆଦି କାର୍ଯ୍ୟ ସମାପନ କରାଯିବ। ପ୍ରତ୍ୟେକ ବିଭାଗର ଅଧିକାରୀମାନେ ପୀଠରେ ଉପସ୍ଥିତ ରହି ସମସ୍ତକାର୍ଯ୍ୟ ସମାପନ କରିବା ନିମନ୍ତେ ଜିଲାପାଳ ଶ୍ରୀ ଅଗ୍ରୱାଲ ନିର୍ଦେଶ ଦେବାସହ ଏକ ସମ୍ମିଳିତ କଣ୍ଟ୍ରୋଲରୁମ୍‍ ଯାତ୍ରା ସମୟରେ ଖୋଲାଯିବା ପାଇଁ କହିଥିଲେ।
ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲାପାଳ ଶ୍ରୀ ଅଗ୍ରୱାଲଙ୍କ ସହ ଜିଲା ଆରକ୍ଷୀ ଅଧୀକ୍ଷକ ମାଧବଚନ୍ଦ୍ର ସାହୁ, ସହକାରୀ ଦେବୋତ୍ତର କମିସନର ଦେବାଶିଷ ମହାନ୍ତି, ପି.ଡ଼ି. ସରୋଜ କୁମାର ମହାନ୍ତି, ଆଠଗଡ଼ ଉପଜିଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀୟ କୁମାର ସାହୁ, ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ ଡ଼ା. ବିଭୂତିଭୂଷଣ ନାୟକ, ଚୌଦ୍ୱାର ଏସ୍‍.ଡ଼ି.ପି.ଓ. ସତ୍ୟନାରାୟଣ ଦାସ, କଟକ ମେୟର ମୀନାକ୍ଷୀ ବେହେରା, ଆଠଗଡ଼ ତହସିଲଦାର ତପନ କୁମାର ଖୁଣ୍ଟିଆ, ଜିଲା ଶିକ୍ଷାଅଧିକାରୀ ନିରଞ୍ଜନ ବେହେରା, ବିଡିଓ ହେମନ୍ତ ସ୍ୱାଇଁ, ଧବଳେଶ୍ୱର ସେବାସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରି, ସମ୍ପାଦକ ନରେନ୍ଦ୍ର ପଣ୍ଡା, ରାସ୍ତା ଓ କୋଠାବାଡ଼ି ନିର୍ବାହୀଯନ୍ତ୍ରୀ ତପନ ଗଡ଼ନାୟକ, ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଗ୍ରାମ ଉନ୍ନୟନ ନିର୍ବାହୀଯନ୍ତ୍ରୀ ପବିତ୍ର କୁମାର ଭୋଳ, ସେସୁ ନିର୍ବାହୀଯନ୍ତ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର, ସହକାରୀ ନିର୍ବାହୀଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ, ସହକାରୀ ନିର୍ବାହୀଯନ୍ତ୍ରୀ ଜୟନ୍ତ କୁମାର ନାୟକ, ମଧୁସୂଦନ ସ୍ୱାଇଁ, ଆଠଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର, ଗୁରୁଡ଼ିଝାଟିଆ ଥାନା ଅଧିକାରୀ ବିଜୟ କୁମାର ବିଶି, ଖୁଣ୍ଟୁଣୀ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା, ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦିଲୀପ ଦାସ, ସ୍ଥାନୀୟ ସରପଞ୍ଚ ପ୍ର୍ରିୟବ୍ରତ ସାହୁ, ସମିତିସଭ୍ୟ ଅଶୋକ କୁମାର ଖଟୁଆ, ଦେବୋତ୍ତର ସୁପରଭାଇଜର କରୁଣାକର ବେହେରା, ଅନନ୍ତ ଗୋପାଳ ଭକ୍ତ ସଭାସଂଘ, ଖୁଣ୍ଟୁଣୀ ଟ୍ରକ୍‍ମାଲିକ ସଂଘ, ଆରତି କାରଖାନା, ଟି.ଏସ୍‍. ଆଲାଇଜ୍‍ ଓ ଭୁବନେଶ୍ୱର ପାୱାରପ୍ଲାଣ୍ଟର କର୍ମକର୍ତ୍ତାଙ୍କ ସହିତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିିଲେ। ଏହି ଅବସରରେ ପ୍ରଭୁ ଧବଳେଶ୍ୱରଙ୍କ ଏକ ୱେବ୍‍ସାଇଟ୍‍କୁ ଜିଲାପାଳ ଶ୍ରୀ ଅଗ୍ରୱାଲ ଉଦ୍‍ଘାଟନ କରିଥିଲେ।

Leave A Reply