ଖରାପ ସମୟର ଭଲ ଖବର

କୌଶଲ କିଶୋର

ସମଗ୍ର ବିଶ୍ୱ କୋଭିଡ୍‍ – ୧୯ପରି ମହାମାରୀ ସହିତ ସଂଗ୍ରାମ କରୁଥିବାବେଳେ ଭାରତ ପାକିସ୍ତାନ ସମେତ ଅନେକ ଦେଶରେ ପଙ୍ଗପାଳ ଆତଙ୍କ ସ୍ଥିିତିକୁ ଆହୁରି ଉତ୍କଟ କରିଛି। ପଙ୍ଗପାଳଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ କୃଷକମାନେ ପୋକମରା ରାସାୟନିକ ଦ୍ରବ୍ୟ ସିଞ୍ଚନ କରୁଛନ୍ତି। ଗତ ଫେବୃଆରୀ ମାସରେ ପାକିସ୍ତାନରେ ୩ ଲକ୍ଷ ଲିଟର କୀଟନାଶକ ସିଞ୍ଚନ ପାଇଁ ଘୋଷଣା କରାଗଲା। ବାସ୍ତବତା ହେଉଛି ଏଥିରୁ ମାତ୍ର ୧% ଲକ୍ଷ୍ୟସ୍ଥଳ(ପଙ୍ଗପାଳଙ୍କ ଦମନ)ରେ ପହଞ୍ଚୁଛି, ବାକି ୯୯% ବାୟୁମଣ୍ଡଳ, ପାଣି ଓ ମାଟିରେ ମିଶୁଛି। ଏହା ପୁଣି ମଣିଷ ଶରୀରକୁ ବିଭିନ୍ନ ମାଧ୍ୟମରେ ପ୍ରବେଶ କରି ଗୁରୁତର ବ୍ୟାଧି ସୃଷ୍ଟି କରୁଛି। ମାନବ ଶରୀର ଓ ପରିବେଶ ଉପରେ କୀଟନାଶକର ପ୍ରଭାବକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ବିଭାଗ ଉଦ୍‍ବେଗ ପ୍ରକାଶ କରିଛନ୍ତି।
ଏକ ଆକଳନ ଅନୁଯାୟୀ କେବଳ ଚଳିତ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ କୀଟନାଶକ ବ୍ୟବହାର ଯୋଗୁଁ ୨୫ ନିୟୁତ ମଣିଷ ଆକ୍ରାନ୍ତ ହେଉଛନ୍ତି ଏବଂ ବର୍ଷକୁ ୨,୨୫,୦୦୦ ଜୀବନ ଯାଇଛି। ଭାରତରେ ବିକ୍ରି ହେଉଥିବା ୬୬ ପ୍ରକାର କୀଟନାଶକକୁ ‘ଅତ୍ୟନ୍ତ ବିଷାକ୍ତ’ ଦର୍ଶାଇ ଅନ୍ୟ ଦେଶରେ ନିଷେଧ କରାଯାଇଛି। ତେଣୁ ସେହି ସବୁ କୀଟନାଶକ ବ୍ୟବହାର ନ କରିବା ପାଇଁ ସରକାରୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ପରିବେଶବିତ୍‍ମାନେ ବିଗତ ଏକ ଦଶନ୍ଧି ଧରି ଦାବି କରି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ମେ’ ୧୮ ତାରିଖରେ ସେଥିମଧ୍ୟରୁ ୨୭ ପ୍ରକାର କୀଟନାଶକକୁ କେନ୍ଦ୍ର କୃଷି ମନ୍ତ୍ରାଳୟ ନିଷେଧ କରିବା ପାଇଁ ବିଜ୍ଞପ୍ତି ଜାରି କରିଛି। ମହାମାରୀ ସମୟରେ ଏହାଠାରୁ ଆଉ ଭଲ ଖବର ଆଉ କ’ଣ ହୋଇପାରେ ?
କୃଷି କ୍ଷେତ୍ର ସବୁବେଳେ କୀଟ, ପୋକ, ଉଦ୍ଭିଦ କୀଟ ଓ ବଣୁଆ ଗୁଳ୍ମ ଦ୍ୱାରା କ୍ଷତିଗ୍ରସ୍ତ ହେଉଛି, କିନ୍ତୁ ସେ ସମସ୍ତ ହେଉଛନ୍ତି ଜୈବବିବିଧତାର ଏକ ଅଂଶ। କୀଟ ଓ ପୋକ ଯୋଗୁଁ ହାରାହାରି ୧୪% ପର୍ଯ୍ୟନ୍ତ ଶସ୍ୟ ହାନି ହେଉଥିବା ବେଳେ ଉଦ୍ଭିଦ କୀଟ ପାଇଁ ୧୩%, ଗୁଳ୍ମ ଓ ଘାସ ପାଇଁ ୧୩% ଶସ୍ୟ ହାନି ହେଉଛି। ବିଶ୍ୱରେ ୯ ହଜାର ପ୍ରଜାତିର କୀଟ ଓ ପୋକ, ୮ ହଜାର ପ୍ରଜାତିର ଗୁଳ୍ମ, ୫୦ ହଜାର ପ୍ରଜାତିର ଉଦ୍ଭିଦ କୀଟ ଅଛନ୍ତି।
ଏହି ପୃଷ୍ଠଭୂମିରେ ଫସଲକୁ ରକ୍ଷା କରିବା ପାଇଁ କୀଟନାଶକ କିମ୍ବା ପୋକମରା ଔଷଧ ବ୍ୟବହାର ଅପରିହାର୍ଯ୍ୟ ହୋଇଯାଇଛି। ବର୍ତ୍ତମାନ ସମୟରେ ବିଶ୍ୱର ଏକ ତୃତୀୟାଂଶ ଶସ୍ୟ ଉତ୍ପାଦନର ସଫଳତା କୀଟନାଶକ ଉପରେ ନିର୍ଭର କରୁଛି। ପୋକମରା ଔଷଧ, କୀଟନାଶକ, ଶିଉଳି ନାଶକ, ବୀଜାଣୁନାଶକ ଓ ତୃଣନାଶକ ନାମରେ ରାସାୟନିକ କୃଷି ଔଷଧ ବଜାରରେ ଉପଲବ୍ଧ। ଭାରତରେ କୀଟନାଶକ ଉତ୍ପାଦନ ପରିମାଣ ୬୫% ଥିବାବେଳେ ତୃଣନାଶକ ୧୬%, ଶିଉଳିନାଶକ ୧୫% ଓ ଅନ୍ୟାନ୍ୟ ୪% ଉତ୍ପାଦନ ହେଉଛି। ଅପରପକ୍ଷରେ ବିଶ୍ୱରେ ୪୪% ତୃଣନାଶକ ଉତ୍ପାଦନ ହେଉଥିବାବେଳେ, ୨୭% ଶିଉଳିନାଶକ, ୨୨% କୀଟନାଶକ, ୭% ଅନ୍ୟାନ୍ୟ ରାସାୟନିକ ଔଷଧ ଉତ୍ପାଦନ ହେଉଛି। ପରିବେଶ ଉପରେ ରାସାୟନିକ ଔଷଧର ବିଷାକ୍ତ ପ୍ରକ୍ରିୟା କମ୍‍ କରିବା ପାଇଁ ତୃଣନାଶକର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।
ଅନ୍ୟ ଦେଶରେ ନିଷିଦ୍ଧ ହୋଇଥିବା ଅଥଚ ଭାରତରେ ବ୍ୟବହୃତ ୬୬ ପ୍ରକାର କୀଟନାଶକ ଓ କୃଷି କ୍ଷେତ୍ରରେ ବ୍ୟବହୃତ ଅନ୍ୟ ରାସାୟନିକ ଔଷଧର ପରିବେଶ ଉପରେ ପ୍ରଭାବ କ’ଣ ରହିଛି ତାହା ପରୀକ୍ଷା କରିବା ପାଇଁ ଭାରତ ସରକାର ପ୍ରାୟ ୭ ବର୍ଷ ପୂର୍ବେ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ୨୦୧୫ ଡିସେମ୍ବରରେ କିମିଟି ତାର ରିପୋର୍ଟ ଦେଇସାରିଥିଲେ ମଧ୍ୟ ତାହାର ଭାଗ୍ୟ କୃଷି ମନ୍ତ୍ରାଳୟରୁ, ସାର ଓ ରସାୟନ ମନ୍ତ୍ରାଳୟ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ବନ୍ଦ ହୋଇଯାଇଛି। କୀଟନାଶକ ବ୍ୟବହାରକୁ ନିଷିଦ୍ଧ କରିବାକୁ ହେଲେ ବ୍ୟବହାର ଅନୁମତି ପ୍ରଦାନ କରୁଥିବା ରେଜିଷ୍ଟ୍ରେସନ୍‍ କମିଟିର ଅନୁମୋଦନ ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ ଥିବାରୁ ନିଷ୍ପତ୍ତି ନେବାରେ ବିଳମ୍ବିତ ହେଉଥିବା ଜଣାପଡ଼ିଛି।
ଲକ୍‍ଡାଉନ୍‍ର ୮ ସପ୍ତାହ ଭିତରେ ସରକାରୀ ସ୍ତରରେ ୬୬ ପ୍ରକାର ବିଷାକ୍ତରୁ ୨୭ ପ୍ରକାର କୀଟନାଶକର ଉତ୍ପାଦନ, ଆମଦାନୀ, ବିତରଣ ଓ ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ବିଳମ୍ବ ହେଲେ ମଧ୍ୟ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ବିଷାକ୍ତ କୀଟନାଶକ ବ୍ୟବହାର ବନ୍ଦ କରିବା ପାଇଁ ଏହି ଯତ୍ନ ଓ ଆନ୍ତରିକତା ଜାରି ରହିଲେ ତା’ର ସୁଦୂରପ୍ରସାରୀ ପ୍ରଭାବ ପରିଲକ୍ଷିତ ହେବ।
ପଙ୍ଗପାଳ ପଲ ଆକାଶରେ ଏକ ବର୍ଗ କିମି ପରିମିତ ଅଞ୍ଚଳକୁ ଆଚ୍ଛାଦିତ କରନ୍ତି। ଗୋଟିଏ ପଲରେ ୫୦ ନିୟୁତ ପଙ୍ଗପାଳ ରହିଥା’ନ୍ତି, ଯେଉଁମାନେ କି ହାରାହାରି ଦୈନିକ ୧୦୦ ଟନ୍‍ ଶସ୍ୟ ଖାଇଯାଆନ୍ତି। ୧୮୭୦ ମସିହାରେ ଆମେରିକାରେ ସର୍ବବୃହତ୍‍ ପଙ୍ଗପାଳ ପଲ ଦେଖାଦେଇଥିଲା। ଏହି ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତ୍ତନ ଘଟି କୀଟନାଶକ ବ୍ୟବହାର ଆରମ୍ଭ ହେଲା। ପାରମ୍ପରିକ କୃଷିରେ କୀଟନାଶକର ବ୍ୟବହାର ନୂଆ ନୁହେଁ। ଗ୍ରୀସ୍‍ରେ କୀଟନାଶକ ଭାବେ ଗନ୍ଧକ ବ୍ୟବହାର କରାଯାଉଥିଲା। ଅଜୈବ ରାସାୟନିକ କୀଟନାଶକର ଉତ୍ପାଦନ ଓ ବ୍ୟବହାର ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ଜାରି ରହିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜୈବ କୀଟନାଶକ ବ୍ୟବହାର ଆରମ୍ଭ ହେଲା, କିନ୍ତୁ ଏହା ମଧ୍ୟ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିଲା ନାହିଁ। ୧୯୭୧ରେ ପ୍ରଥମେ ଜାପାନ୍‍ ଡିଡିଟି ଓ ଏଚ୍‍ସିଏଚ୍‍କୁ ନିଷିଦ୍ଧ କରିବା ପରେ ଆମେରିକା ମଧ୍ୟ ଡିଡିଟି ସମେତ କେତେକ କୀଟନାଶକକୁ ନିଷିଦ୍ଧ କଲା। ବିଂଶ ଶତାବ୍ଦୀ ଶେଷ ସୁଦ୍ଧା ଆମେରିକାରେ କୀଟନାଶକ ବ୍ୟବହାର ୩୫% ହ୍ରାସ ପାଇଲା, କିନ୍ତୁ ଶସ୍ୟ ଉତ୍ପାଦନ ପରିମାଣ ଯଥାରୀତି ରହିଲା। ବିଗତ ଚାରି ଦଶନ୍ଧିରେ ୟୁରୋପରେ ମଧ୍ୟ ହାନିକାରକ କୀଟନାଶକ ବ୍ୟବହାର ୫୦% ପର୍ଯ୍ୟନ୍ତ ହ୍ରାସ ପାଇଛି। ଡିଡିଟି ଓ ଏଚ୍‍ସିଏଚ୍‍ ପ୍ରଭାବରେ ଚୀନ୍‍ରେ ୫ ଲକ୍ଷ ଲୋକ ଆକ୍ରାନ୍ତ ଓ ସହସ୍ରାଧିକ ଲୋକଙ୍କ ମୃତ୍ୟୁ ଘଟିବା ପରେ ୧୯୮୩ରେ ସେହି ଦୁଇ ରାସାୟନିକ ଦ୍ରବ୍ୟ ସେଠାରେ ନିଷିଦ୍ଧ ହେଲା। ଆମେରିକାରେ ୬୭ ହଜାର ଲୋକ ପ୍ରତିବର୍ଷ କୀଟନାଶକ ଯୋଗୁଁ ଆକ୍ରାନ୍ତ ହେଉଛନ୍ତି।
ଯଦି ଏହାର ବାଣିଜ୍ୟ ଦିଗକୁ ଆଲୋଚନା କରିବା ତେବେ କୀଟନାଶକ ରପ୍ତାନିରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନ ହାସଲ କରିଛି। ସେହିପରି ବାର୍ଷିକ ୧ ଲକ୍ଷ ୪୦ ହଜାର ଟନ୍‍ କୀଟନାଶକ ଉତ୍ପାଦନ କରି ଏ କ୍ଷେତ୍ରରେ ବିଶ୍ୱରେ ଦ୍ୱାଦଶ ତମ ସ୍ଥାନରେ ରହିଛି। ଭାରତରୁ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ମାଲେସିଆ ଓ ସିଙ୍ଗାପୁରକୁ କୀଟନାଶକ ରପ୍ତାନି ହେଉଛି। ଅପରପକ୍ଷରେ ହେକ୍ଟର ପିଛା କୀଟନାଶକ ବ୍ୟବହାର ଭାରତରେ ସବୁଠାରୁ କମ୍‍ ହେଉଛି। ଜୈବିକ ଖତ ଓ ସାର ବ୍ୟବହାର ଆଦୃତି ବଢ଼ିବା ଯୋଗୁଁ ଏହା ସମ୍ଭବ ହୋଇପାରିଛି।
ପେଷ୍ଟିସାଇଡ୍‍ ବ୍ୟବହାର ସହିତ ପରିବେଶର ସମ୍ପର୍କ ଆଜି ସ୍ପଷ୍ଟ। ଆରବୀୟ ମରୁଭୂମିରେ ପ୍ରବଳ ବର୍ଷା ଓ ବାତ୍ୟା ଯୋଗୁଁ ପଙ୍ଗପାଳ ସେଠାରୁ ମଧ୍ୟ ପ୍ରାଚ୍ୟ, ଆଫ୍ରିକା ଓ ଏସିଆକୁ ଆସୁଛନ୍ତି, କିନ୍ତୁ ୟେମେନ୍‍ରେ ପଙ୍ଗପାଳଙ୍କୁ ଏକ ପୁଷ୍ଟିକର ଖାଦ୍ୟ ରୂପେ ବ୍ୟବହାର କରିବା କୌଶଳ ଉପଯୋଗ କରିବା ପରେ ପାକିସ୍ତାନ ତା’କୁ ଅନୁସରଣ କରିଛି। କେବଳ ସେତିକି ନୁହେଁ, କିଲୋଗ୍ରାମ ପିଛା ୧୫ ଟଙ୍କା ଦରରେ ପଙ୍ଗପାଳ କିଣିବା ପାଇଁ ପାକିସ୍ତାନ ଏକ ଯୋଜନା ପ୍ରସ୍ତୁତ କରିଛି। ବିଶିଷ୍ଟ ଅର୍ଥନୀତିଜ୍ଞ ଅଶ୍ୱିନି ମହାଜନ୍‍ ଏହାକୁ ସ୍ୱାଗତ କରିଛନ୍ତି। ମହାମାରୀ ସମୟରେ ଓ ପରବର୍ତ୍ତୀ ସମୟରେ ପଙ୍ଗପାଳ ପଲ କବଳରୁ ମୁକ୍ତି ପାଇଁ କୀଟନାଶକ ବ୍ୟବହାରର ଏହା ଏକ ବିକଳ୍ପ ହୋଇପାରେ।
ଆଧୁନିକ ସଭ୍ୟତାରେ କୃଷି ପରମ୍ପରା ଏତେ ଆକର୍ଷଣୀୟ ନ ହେଲେ ମଧ୍ୟ ଦୀର୍ଘସ୍ଥାୟୀ ପ୍ରକ୍ରିୟାରେ ଏହାର ବିକଳ୍ପ ନାହିଁ। ଆନୁବଂଶିକୀ ବିହନର ଉତ୍ପାଦନ ଓ ବ୍ୟବହାର ଏବଂ ରାସାୟନିକ ସାର ବ୍ୟବହାର ସବୁଜ ବିପ୍ଲବ ଓ ଶ୍ୱେତ ବିପ୍ଲବ ପରେ ଅଧିକ ହେଲା। ଏହା ସହିତ କୀଟନାଶକ ବ୍ୟବହାର ମଧ୍ୟ ବଢ଼ିଲା। ବ୍ୟାବସାୟିକ ଜଗତକୁ ଏହା ଲାଭଦାୟକ ହେଲା। ଏଥିସହିତ ରାଜନୈତିକ ବିବାଦ ଓ ବୌଦ୍ଧିକ ବିତର୍କ ମଧ୍ୟ ସୃଷ୍ଟି ହେଲା। ଏ ସବୁକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ଏତେ ଶୀଘ୍ର ସମ୍ଭବ ବୋଲି ଜଣାପଡ଼ୁନଥିଲେ ମଧ୍ୟ ଅସମ୍ଭବ ନୁହେଁ। ଲୋକ ହିତ ଓ ସାର୍ବଜନୀନ କଲ୍ୟାଣ ପାଇଁ ଯାହା ଆବଶ୍ୟକ ତାହାକୁ ହିଁ ଅଗ୍ରାଧିକାର ମିଳିବା ଉଚିତ। ଏହି ଆବଶ୍ୟକତା, ମାନସିକତା ଓ ପରମ୍ପରାକୁ ଯିଏ ଠିକ୍‍ ଭାବେ ହୃଦୟଙ୍ଗମ କରିପାରିବ ସେ ହିଁ ମହାତ୍ମା ପଦବାଚ୍ୟ। (ଅନୁବାଦିତ)

Comments are closed.