ନାହିଁ ଛପନ ପଉଟି ଭୋଗ, ମାଙ୍କଡ ଓ ବିଲେଇଙ୍କ ଦୁର୍ଯୋଗ

ବଡ ଦେଉଳର କଥା

ଭୁବନେଶ୍ୱର (ଶ୍ରୀକୁମାର ଶୁକ୍ଳ)  : କରୋନା ଯୋଗୁ ଲକ୍‍ ଡାଉନ ସାରା ଜଗତକୁ ପ୍ରଭାବିତ କରିଥିବା ବେଳେ ସେଇ ପରମବ୍ରହ୍ମ ସୃଷ୍ଟିକର୍ତ୍ତା ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ତାଙ୍କ ଦ୍ୱାରା ସୃଷ୍ଟ ମଣିଷଙ୍କ ସମେତ ଶ୍ରୀମନ୍ଦିର ପରିସରରେ ଥିବା ମାଙ୍କଡ ଓ ବିଲେଇଙ୍କ ଦୁର୍ଦ୍ଦଶା ଆଶାତୀତ ଭାବେ ବୃଦ୍ଧି ପାଇଛି । ସେମାନଙ୍କ ପ୍ରତି ଶ୍ରୀମନ୍ଦିର ପ୍ରଶାସନର ଅଣଦେଖା ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ମର୍ମାହତ କରିଛି।
ଲକ୍‍ ଡାଉନ୍‍ ସମୟରେ ଶ୍ରୀମନ୍ଦିର ଭିତରକୁ ଆସନ୍ତା ୧୪ ତାରଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ପ୍ରଶାସନ କଟକଣା ଲଗାଇଛି । ଏଥିଯୋଗୁ ଶ୍ରୀଜୀଉଙ୍କ ଲାଗି ବ୍ୟବସାୟିକ ଭୋଗ ପ୍ରସ୍ତୁତ କରାନଯାଇ କେବଳ କୋଠ ଭୋଗ (ସରକାରୀ ଭୋଗ) କରାଯାଉଛି । ଯାହାର ପରିମାଣ ଅତି ନଗଣ୍ୟ ହୋଇଥିବା ବେଳେ ବ୍ୟବସାୟିକ ଭୋଗ ନଥିବାରୁ ଆନନ୍ଦ ବଜାର ଏବେ ଖାଁ ଖାଁ ଲାଗୁଛି । ବଡଦେଉଳ ପରିସରରେ ରହି ଆସୁଥିବା ପ୍ରାୟ ୧ ହଜାର ମାଙ୍କଡ ପ୍ରତିଦିନ ଶ୍ରୀଜୀଉଙ୍କ ବ୍ୟବସାୟିକ ଭୋଗ ଏବଂ ବିଭିନ୍ନ ପାର୍ଶ୍ବଦେବୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା କରାଯାଉଥିବା ଭୋଗ ଉପରେ ନିର୍ଭର କରିଥାନ୍ତି। ଏହିସବୁ ମାଙ୍କଡ ମୁଖ୍ୟତଃ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଚଳ ଉପବନ, କୋଇଲି ବୈକୁଣ୍ଠ ଉପବନ, ଆନନ୍ଦ ବଜାର ଓ ରୋଷଶାଳା ପାଖରେ ରହିଥାନ୍ତି । ଏବେ ସେମାନେ ପେଟପୂରା ଖାଇବାକୁ ନପାଇବାରୁ କେତେକ ମାଙ୍କଡ ବଡଦେଉଳ ଭିତରୁ ବାହାରି ନିକଟସ୍ଥ ସାହିବସ୍ତି ଭିତରେ ପଶିଛନ୍ତି। ମାଙ୍କଡଙ୍କ ଦୁର୍ଦ୍ଦଶା ଦେଖି କିଛି ଲୋକ ଦୟାପରବଶ ହୋଇ ମାଙ୍କଡଙ୍କୁ କିଛି କିଛି ଖାଇବାକୁ ଦେଉଛନ୍ତି। ଏ ସମ୍ପର୍କରେ ପଚାରିବାରୁ ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଲେ କରୋନା ଲାଗି ହୋଇଥିବା କଟକଣାର ପ୍ରଭାବ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପଡିଛି । ସେ କହିଲେ କିଛି ସେବକ ସାଙ୍ଗରେ ବୁଟ ନେଇ ପ୍ରତିଦିନ ବଡଦେଉଳକୁ ଯାଇ ସେଠାରେ ଥିବା ମାଙ୍କଡଙ୍କୁ ଖାଇବାକୁ ଦେଉଥିବା ବେଳେ ମନ୍ଦିର କମାଣ୍ଡର ମଧ୍ୟ ମାଙ୍କଡଙ୍କୁ କିଛି କିଛି ଖାଇବାକୁ ଦେଉଛନ୍ତି। ତଥାପି ସେ ଖାଦ୍ୟରେ ମାଙ୍କଡଙ୍କ ପେଟ ପୁରୁନି। ସେ କହିଲେ କରୋନା ଲାଗି ହୋଇଥିବା କଟକଣାକୁ କେତେକ ମଣିଷ ଅମାନିଆ ଭାବେ କାମ କରୁଥିବା ବେଳେ ମାଙ୍କଡମାନେ କିନ୍ତୁ ମାନୁଥିବା ଦେଖିବାକୁ ମିଳିଛି । କେହିକିଛି ଖାଇବାକୁ ଦେଲେ ମାଙ୍କଡମାନେ ପ୍ରଥମେ ତାଙ୍କର ପିଲାଙ୍କୁ ଦେଇ ପରେ ବଳକା ଖାଦ୍ୟକୁ ନିଜେ ଖାଉଛନ୍ତି। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରେ ରହୁଥିବା ମାଙ୍କଡମାନେ ଏହି ସମୟରେ ଖାଇବା ପାଇଁ ମନ୍ଦିର ପରିସରରେ ଅନ୍ୟ ସ୍ଥାନକୁ ଯାଇ ନିଜ ଭିତରେ କଳିକଜିଆ କମ୍ବା ଗଣ୍ଡଗୋଳ ମଧ୍ୟ କରୁନାହାଁନ୍ତି । ସେ କହିଲେ ଶ୍ରୀଗଣ୍ଡିଚା ଯାତ୍ରା ସମୟରେ ଶ୍ରୀବିଗ୍ରହମାନେ ଗୁଣ୍ଡଚା ଘରକୁ ଯାଇ ପୁଣି ଶ୍ରୀମନ୍ଦିରକୁ ଫେରିବା ବେଳକୁ ପ୍ରାୟ ୧୪ ଦିନ ଲାଗିଯାଇଥାଏ । ସେହି ସମୟରେ ବଡଦେଉଳରେ କୌଣସି ପ୍ରକାର ଭୋଗ ରନ୍ଧା ହୋଇନଥାଏ । ଏଣୁ ରଥଯାତ୍ରା ବେଳେ ମାଙ୍କଡମାନେ ସମସ୍ତେ ଗୁଣ୍ଡିଚା ଘରକୁ ପଳାଇଯାଆନ୍ତି ଓ ବାହୁଡା ଯାତ୍ରା ସାରି ଠାକୁରମାନେ ଫେରିବା ବେଳେ ପୁଣି ଶ୍ରୀମନ୍ଦିରକୁ ଫେରି ଆସନ୍ତି। କିନ୍ତୁ ଏବେ ଆଉ ସେ ଅବସ୍ଥା ନାହିଁ। ସେ କହିଲେ ମାଙ୍କଡଙ୍କ ପରି ବଡଦେଉଳରେ ଅଳ୍ପ କିଛି ସଂଖ୍ୟକ ବିଳେଇ ଅଛନ୍ତି।

image source : You tube

ବଡଦେଉଳ ଭିତରେ ଜନ୍ମ ହୋଇଥିବା ଏହିସବୁ ବିଲେଇ ସମ୍ପୂର୍ଣ୍ଣ ସାକାହାରୀ ଓ ସେମାନେ ମନ୍ଦିର ବାହାରକୁ ଯାଆନ୍ତି ନାହିଁଁ । ଶ୍ରୀମନ୍ଦିର ପରିସରରେ ଥିବା ବିଭିନ୍ନ ମହାଦେବଙ୍କ ମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଯେଉଁ କ୍ଷୀର ଲାଗି କରନ୍ତି ସେହିି କ୍ଷୀର ସମେତ ଅତି ପାଚି ଯାଇଥିବା ଭୋଗ କଦଳୀ ଓ ଦହିକୁ ବିଲେଇମାନେ ଖାଇ ବଞ୍ଚିଛନ୍ତି । ଏବେ କିନ୍ତୁ ଶ୍ରଦ୍ଧାଳୁମାନେ ଯାଉନଥିବାରୁ ବିଲେଇଙ୍କୁ ଦେଖିବାକୁ ମିଳୁନି । ଶ୍ରୀଜୀଉଙ୍କ ଭୋଗ ବଢାହେବା ସମୟରେ କାଳେ ସେଥିରେ ବିଲେଇ ମୁହଁ ମାରିଦେବ ସେଥିଲାଗି ଶ୍ରୀଜଗନ୍ନାଥ ମନ୍ଦିରରେ ବିଳେଇ ଜଗା ସେବକ ରହିଛନ୍ତି । ଏହି ସେବକଙ୍କ ଲାଗି ମନ୍ଦିର ପ୍ରଶାସନ ଖେଇ (ପ୍ରାପ୍ୟ) ଯୋଗାଇବାର ମଧ୍ୟ ବ୍ୟବସ୍ଥା ରହିଛି। ଶ୍ରୀ ଦାସମହାପାତ୍ର କହିଲେ ମଣିଷଙ୍କ ପରି ମାଙ୍କଡ ଓ ବିଲେଇଙ୍କୁ ମଧ୍ୟ ସେଇ ପରମବ୍ରହ୍ମ ସୃଷ୍ଟି କରିଛନ୍ତି। ସେମାନେ ମଧ୍ୟ ମହାପ୍ରଭୁଙ୍କୁ ଆଶ୍ରା କରି ବଡଦେଉଳରେ ପଡିରହିଛନ୍ତି। ଏଭଳି ଅସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡଦେଉଳରେ ରହୁଥିବା ମାଙ୍କଡ ଓ ବିଳେଇଙ୍କ ଲାଗି ଖାଦ୍ୟ ବ୍ୟବସ୍ଥା କରାଯିବା ଉପରେ ସେ ଗୁରତ୍ୱାରୋପ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଅବିଳମ୍ବେ ବଡଦେଉଳରେ ଥିବା ମାଙ୍କଡଙ୍କ ଲାଗି ଆବଶ୍ୟକ ଖାଦ୍ୟ ବ୍ୟବସ୍ଥା କରିବାକୁ ଶ୍ରୀଜଗନ୍ନାଥ ସେନା ଆବହାକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି।

Pic. Courtesy : Daily Motion

କାଉ ଉଡା ଓ ଅସରପା ଧରା ସେବକ

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଜଗତର ନିୟନ୍ତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମାନବୀୟ ଲୀଳା ଅନ୍ୟତ୍ର ଦେଖିବାକୁ ମିଳିନଥାଏ। ଶ୍ରୀଜୀଉଙ୍କ ସେବା ପାଇଁ କେତେଯେ ସେବକ ନିୟୋଜିତ ହୋଇଛନ୍ତି ସେ ସମ୍ପର୍କରେ ବହୁତ ଲୋକ ଜାଣନଥାନ୍ତିଁ ବୋଲି କହିଛନ୍ତି ବରିଷ୍ଠ ଦଇତିପତି ସେବକ ରାମଚନ୍ଦ୍ର ଦାସମହାପାତ୍ର । ସେ କହିଲେ ବଡଦେଉଳରେ ବିଲେଇ ଜଗା ସେବକଙ୍କ ଭଳି କାଉ ଉଡା ସେବକ ଅଛନ୍ତି । ଭୋଗ ହେବା ପୂର୍ବରୁ କାଉ ମୁହଁ ମାରିଦେଲେ କାଳେ ଭୋଗ ମାରା ହୋଇଯିବ ସେଥିଲାଗି ରୋଷ ଘରୁ ଛେକ ଆସିବା ସମୟରେ ଜଣେ ସେବକ ହାତରେ ଖଣ୍ଡିଏ କାଠ ଫାଳିଆ ଧରି କାଉ ଉଡେଇ ଉଡେଇ ଛେକ ଆଗରେ ଯିବାର ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସେବକଙ୍କ ଲାଗି ଖେଇ (ପ୍ରାପ୍ୟ) ରହିଛି । ସେହିପରି ପ୍ରଦିଦିନ ଶ୍ରୀଜୀଉଙ୍କର ପହୁଡ ନୀତି ସମୟରେ ଜଣେ ସେବକ ଏକ ପଲମ (ମାଟିପାତ୍ର)ରେ ଗୁଡ ନେଇ ମହାପ୍ରଭୁଙ୍କ ନିକଟରେ ରଖିଥାନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ରାତିରେ ଅସରପା ଗୁଡ ଖାଇବାକୁ ଆସିଲେ ସେଥିରୁ ଆଉ ବାହାରି ପାରିବନି ଏବଂ ଯାହାଫଳରେ ଶ୍ରୀଅଙ୍ଗ ସମେତ ପାଟ୍ଟବସ୍ତ୍ରକୁ ଅସରପା ନଷ୍ଟ କରିପାରିବେନି । ସେମାନଙ୍କୁ ଅସରପା ଧରା ସେବକ କୁହାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସେବା ଲାଗି ଖେଇ ଦିଆଯିବାର ବ୍ୟବସ୍ଥା ରହିଛି।

Comments are closed.