୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା

ଚୌଦ୍ୱାର : ୫୫ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ୪ବର୍ଷ ହେଲା ଚାଲିଥିବା ବେଳେ ଠିକା ସଂସ୍ଥା ଗାୟତ୍ରୀ କନଷ୍ଟ୍ରକସନ ମନମୁଖୀ କାର୍ଯ୍ୟ ଓ ବେପରୱା ମନୋଭାବ ପାଇଁ ରାଜରାସ୍ତାର ମଙ୍ଗୁଳି ଠାରୁ କଜଳକଣା ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଏହି ଠିକା ସଂସ୍ଥା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରି ଦେଇ ରାସ୍ତାକୁ ଖୋଳିତାଡ଼ି ଅବ୍ୟବହୃତ କରି ପକାଇ ଦେଇ ଆଜକୁ ୬ମାସ ହେବ କାର୍ଯ୍ୟ ବନ୍ଦ କରି ଦେଇଛି। ଫଳର ରାସ୍ତାଟି ଅଗମ୍ୟ ହୋଇ ପଡି଼ଲାଣିି । ରାସ୍ତା ତମାମ ଖାଲଖମାରେ ଭରି ହୋଇଯିବା ସହିତ ଗାଁ ଗୋହିରୀରେ ପରିଣତ ହୋଇ ଗଲାଣି। ଏହି ରାସ୍ତାରେ ଯାତାୟତ କରୁଥିବା ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ପ୍ରତିଦିନ ନାନା ଯାତନା ଭୋଗିବା ସହିତ ନିୟମିତ ଭାବେ ଦୁର୍ଘଟଣା ମାନ ଘଟି ବହୁ ଧନ ଜୀବନ ହାନୀ ହେଲାଣି। ବିଶେଷ କରି ଏହି ରାସ୍ତା ଉପରେ ନିର୍ଭର କରୁଥିବା ଚୌଦ୍ୱାର ସହରବାସୀ ତଥା ଆଖପାଖ ଗ୍ରାମର ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ସ୍ଥାନରେ ଠିକା ସଂସ୍ଥା କରିଥିବା ସର୍ଭିସ୍ ରୋଡ଼ କାମ ନିମ୍ନ ମାନର ହୋଇଥିବାରୁ ସେ ରାସ୍ତା ମଧ୍ୟ ଅଗମ୍ୟ ହୋଇ ପଡି଼ଛିି । ଅସରାଏ ବର୍ଷା ହେଲେ ମୁଖ୍ୟ ରାସ୍ତାରୁ ଗୋଡି ଉଠିଯାଇ ଯାନବାହାନ ଚଳାଚଳରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । କିଛି ଦିନ ପୁର୍ବରୁ ରାସ୍ତା କାମର ଅଗ୍ରଗତି ଅନୁଧ୍ୟାନ ନିମନ୍ତେ ଠିକା ସଂସ୍ଥା ପ୍ରତିନିଧି ଓ ଜାତୀୟ ରାଜପଥ ଅଧିକାରୀ ଆସିଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଲୋକେ ସେମାନଙ୍କୁ ଦୀଘ ସମୟ ଅଟକାଇ ରଖିବାରେ ଆସନ୍ତା ୨ମାସ ଭିତରେ ରାସ୍ତା କାମ ସଂପୁର୍ଣ୍ଣ କରିବାକୁ ସେମାନେ ପ୍ରତିଶୃତି ଦେଇଯାଇ ଥିଲେହେଁ ତାହା କେବଳ ପ୍ରତିଶୃତିରେ ରହିଯାଇଛି। ସେହି ଦିନ ଠାରୁ ଆଉ ଠିକା ସଂସ୍ଥା କାମର ନାଗନ୍ଧ ଧରୁନଥିବା ବେଳେ ଜାତୀୟ ରାଜପଥ ପ୍ରାଧୀକରଣ ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସାଧାରଣରେ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଥିବା ଆଲୋଚନା ହେଉଛି । ଏହା ବିରୋଧରେ ଚୌଦ୍ୱାର ଜନ ଜାଗରଣ ମଞ୍ଚ ପକ୍ଷରୁ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ରାସ୍ତା କାମ ତୁରନ୍ତ ସମ୍ପୂର୍ଣ୍ଣ କରା ନଗଲେ ଆଗାମୀ ଦିନରେ ଠିକା ସଂସ୍ଥା ଓ ରାଜପଥ ପ୍ରଧିକରଣ ବିରୋଧରେ ଚୌଦ୍ୱାର ସହରବାସୀ ଏକ କଠୋର ନିଷ୍ପତ୍ତି ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି ଜାଗରଣ ମଞ୍ଚର ପ୍ରଦୀପ କୁମାର ନାୟକ, ଶ୍ରୀକାନ୍ତ ପାକଳ, ମନୋଜ କୁମାର ସାହୁ, ପ୍ରମୋଦ କୁମାର ଦାସଙ୍କ ସମେତ ଶତାଧିକ କର୍ମକର୍ତ୍ତ। ଚେତାବନୀ ଦେଇଛନ୍ତି ।

Comments are closed.