ବୌଦ୍ଧର ବିଶିଷ୍ଟ ମୂର୍ତ୍ତି ଶିଳ୍ପୀ ବାବାଜୀ ସ୍ୱାଇଁଙ୍କ ପରଲୋକ 

ବୌଦ୍ଧ : ବୌଦ୍ଧର ଜଣାଶୁଣା ମୂର୍ତ୍ତି କାରୀଗର ବାବାଜୀ ଚରଣ ସ୍ୱାଇଁଙ୍କ ମଙ୍ଗଳବାର ଦିନ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସେ ମଙ୍ଗଳବାର ଦିନ ରାତିରେ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଗୋଡ ଖସିଯିିବାରୁ ପଡିଯାଇ ମୃତ୍ୟୁ ବରଣ କରିଥିଲେ। ବାବାଜୀ ସ୍ୱାଇଁ ବୌଦ୍ଧ ତଥା ରାଜ୍ୟର ଅନେକ ଜିଲ୍ଲାରେ ମାଟି ଓ ସିମେଣ୍ଟର ନିଖୁଣ ମୂର୍ତ୍ତି ସହ ମନ୍ଦିର ଓ ସିମେଣ୍ଟ୍‍ର ତୋରଣ ନିର୍ମାଣ କରିଛନ୍ତି। ଜିଲାର ପୁରୁଣାକଟକ ସ୍ଥିତ ମା’ ଭୈରବୀଙ୍କ ମନ୍ଦିରର ମୁଖ୍ୟ ତୋରଣ, ବୌଦ୍ଧ ନୟାଗଡ ଜିଲାର ପ୍ରବେଶ ପଥ ତୋରଣ, ବୌଦ୍ଧ ମହାନଦୀ ବ୍ରିଜର ତୋରଣ, ସୋନପୁର ଜିଲା ସୁରେଶ୍ୱରୀ ମନ୍ଦିରର ମୁଖ୍ୟ ତୋରଣ ଆଦି ନିର୍ମାଣ କରି ସେ ନିଜ ହସ୍ତ କାରୀଗରୀ ଦ୍ୱାରା ସବୁଦିନ ପାଇଁ ଅମର ହୋଇଯାଇଛନ୍ତି। ତାଙ୍କର ସୁନ୍ଦର କାରିଗରୀ କାର୍ଯ୍ୟ ପାଇଁ ବହୁ ବାର ସେ ଜିଲାପ୍ରଶାସନ ପକ୍ଷରୁ ପୁରସ୍କୃତ ହେବା ସହ ଅନୁଗୋଳ, କଳାହାଣ୍ଡି, ଗଂଜାମ , ନୟାଗଡ , ବଲାଙ୍ଗିର ଓ କନ୍ଧମାଳ ଜିଲାର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇଥିଲେ। ମୃତ ଶିଳ୍ପୀ ବାବାଜି ସ୍ୱାଇଁଙ୍କ ଦ୍ୱାରା ବୌଦ୍ଧରେ ରୁପରଙ୍ଗ ନାମରେ ପ୍ରତିଷ୍ଠିତ ଅନୁଷ୍ଠାନ ସମସ୍ତଙ୍କର ଅତି ପରିଚିତ। ସ୍ୱର୍ଗତ ବାବାଜୀଙ୍କ ବାପା, ଅଜା ମଧ୍ୟ ଜଣେ ଜଣେ ଦକ୍ଷ ମୂର୍ତ୍ତି କାରିଗର ଥିଲେ। ବର୍ତ୍ତମାନ ତାଙ୍କର ବଡପୁଅ ସୁନିଲ ଓ ଅନିଲ ସ୍ୱାଇଁ ମଧ୍ୟ ଜଣେ ଜଣେ ଦକ୍ଷ ମୂର୍ତ୍ତି ଶିଳ୍ପୀ ଅଟନ୍ତି। ଶିଳ୍ପୀ ବାବାଜୀଙ୍କ ମୃତ୍ୟୁ ବୌଦ୍ଧ ମାଟି ପାଇଁ ଅପୂରଣୀୟ କ୍ଷତି।

Comments are closed.