ଅନ୍‍ଲାଇନରେ ବାବା !

ରାଜ୍ୟର ବହୁଚର୍ଚ୍ଚିତ ସାରଥି ବାବା ଜାମିନରେ ଯାଇ କେଉଁଠାରେ ଆତ୍ମଗୋପନ କରିଛନ୍ତି। ଅଦାଲତ ତାଙ୍କୁ କୌଣସି ପ୍ରକାର ପ୍ରବଚନ, ଧର୍ମପ୍ରଚାର ଆଦି କାର୍ଯ୍ୟ କରିବାକୁ ମନା କରିଛନ୍ତି। ତେବେ ସଂପ୍ରତି ‘ସାରଥି ପ୍ରଭୁ’ ନାମରେ ଫେସ୍‍ବୁକ୍‍ ପେଜ୍‍ଟିଏ ହୋଇ ତହିଁରେ ବାବାଙ୍କର ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ଏହି ପୃଷ୍ଠାଟିରେ ସାରଥିଙ୍କ ପ୍ରବଚନ, ଭିଡ଼ିଓ, ଫଟୋ, ବାଣୀ, ତାଙ୍କର ନିର୍ଦେଶ ଆଦି ବହୁଳ ପ୍ରଚାରିତ ହେଉଛି। ସବୁଠାରୁ ମଜାର କଥା ହେଉଛି ଏହି ପୃଷ୍ଠାଟିକୁ ୧୨ହଜାର୫ଶହ ଲୋକ ଲାଇକ୍‍ କରିସାରିଥିବାବେଳେ ୧୯ହଜାରରୁ ଊର୍ଦ୍ଧ୍ବ ଲୋକ ଏହାକୁ ଫଲୋ କରୁଛନ୍ତି। ପେଜ୍‍ର ସବୁ ପୋଷ୍ଟକୁ ଶହ ଶହ ଲାଇକ୍‍ ମିଳୁଛି। ଏହା ପ୍ରମାଣ କରୁଛି ଆମେ ସତରେ କେତେ ବାବାମନସ୍କ। ବାବାଟିଏ ନହେଲେ ସତେ ଯେମିତି ଆମର ଜୀବନଯାତ୍ରା ଅଚଳ ହୋଇଯିବ।

ଅତୀତରେ ଅନେକ ବାବାଙ୍କ କେଳେଙ୍କାରୀ ଧରାପଡ଼ିବା ପରେ କିଛିଦିନ ଧରି ବାବାପ୍ରେମୀ ଭକ୍ତମାନେ ଚୁପ୍‍ଥିଲେ; ମାତ୍ର ଏବେ ସାମାଜିକ ଗଣମାଧ୍ୟମର ବ୍ୟାପକ ପ୍ରସାର ଓ ପ୍ରଚାର ହେଉଥିବାରୁ ବାବାମାନେ ବର୍ତ୍ତମାନ ଅନ୍‍ଲାଇନ୍‍ରେ ଉପଲବ୍ଧ ହେଲେଣି। ବିଶେଷକରି କରୋନା ମହାମାରୀ ହେତୁ ସବୁପ୍ରକାର ପ୍ରବଚନ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ପ୍ରବଚନ ଇତ୍ୟାଦି ଅନ୍‍ଲାଇନ୍‍ରେ ବିଶେଷକରି ୟୁଟ୍ୟୁବ ଚ୍ୟାନେଲ ଜରିଆରେ ପ୍ରଚାରିତ ହେଉଛି। କଥା ହେଉଛି ସଶରୀର ବାସ୍ତବ ସ୍ୱରୂପରେ ଦେଖୁଥିବା ବାବାମାନଙ୍କ ନିକଟରେ ଯଦି ଏତେ କେଳେଙ୍କାରୀ ତେବେ ଅନ୍‍ଲାଇନ୍‍ର ସାଧୁମାନେ କିଭଳି ହୋଇଥିବେ ତାହା ସହଜରେ ଅନୁମେୟ।

ମଣିଷ ମାତ୍ରେ ଭୟାଳୁ। ଭୟ ତା’ର ଚିର ସହଚର। ଘରେ ବାହାରେ ସବୁଆଡ଼େ ସେ ଆଶଙ୍କା ଭିତରେ କାଳାତିପାତ କରେ। ଭୟ କେବଳ ଦରିଦ୍ର ବା ଅସହାୟ ଲୋକଙ୍କ ନିକଟରେ ନଥାଏ, ବରଂ ବେଶୀ ଭୟ ଧନିକ ଶ୍ରେଣୀର ଲୋକଙ୍କ ମନରେ ଥାଏ। ହରାଇବାର ଭୟ। ଯାହା କିଛି ହାସଲ କରିଛନ୍ତି ସେସବୁ କାଳେ ଚାଲିଯିବ ଏଇ ଭୟରେ ସେମାନେ ଭଲଭାବେ ଶୋଇପାରନ୍ତି ନାହିଁ। ଭୟରୁ ହିଁ ଶରଣାପନ୍ନ ହେବାର ଭାବ ସୃଷ୍ଟି ହୁଏ ଆଉ ସୃଷ୍ଟି ହୁଅନ୍ତି ବାବା ଓ ଗୁରୁମାନେ। ସତରେ କ’ଣ ସମାଜରେ ସଂସାର ଭିତରେ ରହୁଥିବା ମଣିଷ ଜଣେ ଆଉଜଣେ ମଣିଷକୁ ପଥପ୍ରଦର୍ଶନ କରିବାକୁ ସକ୍ଷମ, ଆଉ ଜଣକୁ ନିର୍ଭୟ କରିବାରେ ସମର୍ଥ? ଏ ସୃଷ୍ଟିରେ ଈଶ୍ୱରଙ୍କ ବ୍ୟତୀତ ଆଉ କେହି ଆମକୁ ନିର୍ଭୟ କରିପାରିବେ କି? ଯେଉଁମାନେ ଆମକୁ ନିର୍ଭୟ କରିବାକୁୂ, ଆମର ସଙ୍କଟ ମୋଚନ କରିବାକୁ ପ୍ରତିଶ୍ରୁତି ଦିଅନ୍ତି ସେମାନେ ନିଜର ସଙ୍କଟ ବିଷୟରେ କେତେ ସଚେତନ? ଅବଶ୍ୟ ଏହାର ଏହି ଅର୍ଥ ବାହାର କରିବା ଅନୁଚିତ ଯେ ସଂସାର ଭିତରେ ସାଧୁ ନାହାନ୍ତି।

ଯିଏ ବୈରାଗୀ, ଯାହା ଭିତରେ ପ୍ରକୃତ ଈଶ୍ୱର ଅନ୍ୱେଷଣର ଇଚ୍ଛା ଜାଗ୍ରତ ହୋଇଛି ସେ କେବେ ବି ସେସବୁର ପ୍ରଦର୍ଶନ କରିନଥାଏ। ପ୍ରକୃତ ସାଧୁ ଆଉ ମିଥ୍ୟାଚାରୀଙ୍କ ବିଷୟରେ ଶ୍ରୀମଦ୍‍ ଭଗବଦ୍‌ ଗୀତା ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି-

କର୍ମେନ୍ଦ୍ରିୟାଣି ସଂଯମ୍ୟ ଯ ଆସ୍ତେ ମନସା ସ୍ମରନ୍‌ ।
ଇନ୍ଦ୍ରିୟାର୍ଥାନ୍‍ ବିମୂଢାତ୍ମା ମିଥ୍ୟାଚାରଃ ସ ଉଚ୍ୟତେ ।।

ଯେଉଁ ମୂଢ଼ବୁଦ୍ଧି ମନୁଷ୍ୟ ସମସ୍ତ ଇନ୍ଦ୍ରିୟଙ୍କୁ ବଳପୂର୍ବକ ଉପରୁ ରୁଦ୍ଧ କରିଦେଇ ସେହି ଇନ୍ଦ୍ରିୟମାନଙ୍କର ଭୋଗକୁ ମନଦ୍ୱାରା ଚିନ୍ତନ କରୁଥାଏ ତାହାକୁ ମିଥ୍ୟାଚାରୀ ବୋଲି କୁହାଯାଏ। ସଂସାରରେ ଏହିପରି ମିଥ୍ୟାଚାରୀଙ୍କର ଅଭାବ ନାହିଁ। ତେବେ ଏପରି ମିଥ୍ୟାଚାରୀମାନେ ସନ୍ଥ ବା ସାଧୁବେଶ ଧାରଣ କରି ଲକ୍ଷଲକ୍ଷ ଭକ୍ତ ଜୁଟାଇ ଲୋକଙ୍କୁ ଠକିବା ହେଉଛି ଏକ ଗମ୍ଭୀର ସାମାଜିକ ସମସ୍ୟା। ଏବେ ଏଇ ଠକିବାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ସାଧନ ଭାବେ ବ୍ୟବହାର କରାଯିବା ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ।

ଅନ୍‍ଲାଇନରେ ଭକ୍ତ ଯୋଗାଡ଼ କରିବା ବହୁତ ସହଜ; କାରଣ ଏଠି ଗୋଟିଏ କ୍ଲିକରେ ଯୋଗାଡ଼ ହୋଇଯିବେ ଶହଶହ ନୁହେଁ ବରଂ ହଜାର ହଜାର ଭକ୍ତ। ଆମ ଦେଶର ଲୋକମାନେ ସରଳ ବିଶ୍ୱାସୀ ଓ ଧର୍ମଭୀରୁ। ବିଶେଷକରି ଆଧ୍ୟାତ୍ମିକତାର ଦ୍ୱାହିଦେଇ ଭାରତୀୟମାନଙ୍କୁ ଠକିବା ବହୁତ ସହଜ। ବଡ଼କଥା ହେଲା ଆମଦେଶର ଲୋକମାନେ ଗୁରୁବାଦରେ ବିଶ୍ୱାସୀ। ଗୁରୁନାମକ ମନୁଷ୍ୟଟିର ପାଦତଳେ ନିଜକୁ ସମର୍ପଣ କରିଦେଇ ନିଜକୁ ଭୟମୁକ୍ତ ଓ ଚିନ୍ତାମୁକ୍ତ ହେବାକୁ ଲୋକେ ପସନ୍ଦ କରନ୍ତି। ତେବେ ଗୁରୁରୂପରେ ଯେ ସବୁବେଳେ ତାକୁ ସନ୍ଥ ମିଳିବେ ତାହାର ତ ଗ୍ୟାରେଣ୍ଟି ନାହିଁ। ପୁଣି ଆମରି ଧର୍ମଶାସ୍ତ୍ର କହେ ଉପଯୁକ୍ତ ଗୁରୁ ମିଳିବା ବହୁତ କଠିନ ଓ ଭାଗ୍ୟରେ ଥିଲେ ଏପରି ଗୁରୁ ମିଳନ୍ତି। ହେଲେ ଆଜିକାଲି ଲୋକେ ଯାହା ପାଖରେ କିଛି ଚମତ୍କାରିତା ଦେଖିଲେ ତାକୁ ତତ୍‍କାଳ ଗୁରୁରୂପେ ବରଣ କରିବାକୁ ଆଦୌ ପଶ୍ଚାତ୍‌ପଦ ହେଉନାହାନ୍ତି। ସାମାନ୍ୟ ହାତସଫେଇ ଓ ଯାଦୁବିଦ୍ୟା ଶିଖିଥିବା ଜଣେ ଠକ ବି ଗେରୁଆ ପିନ୍ଧି ଅତି ସହଜରେ ଗୁରୁ ହୋଇ ପାରୁଛି। ସଂସାରକୁ ଛାଡ଼ିଥିବା ବ୍ୟକ୍ତି ଯଦି ଆଶ୍ରମ ନାମରେ ଆଉ ଏକ ସଂସାର ତିଆରି କରି ସେଠାରେ ବି ମୋହ, ମାୟାର ବଶବର୍ତ୍ତୀ ହୁଏ, ମୋର ଶିଷ୍ୟ ସଂଖ୍ୟା କେମିତି ବଢିବେ, ମଠର ପାଚେରି କେମିତି ତିଆରିହେବ, ପ୍ରାର୍ଥନା ଗୃହ କେମିତି ମାର୍ବଲ ହେବ ବା ଟାଇଲ ପଡ଼ିବ, ଆଶ୍ରମର ଫେସ୍‍ବୁକ୍‍ ପେଜ କେମିତି ହେବ, ଟ୍ୱିଟରରେ ମୋତେ କେମିତି ବଡ଼ବଡ଼ ଲୋକମାନେ ଫଲୋ କରିବେ, ମୋର ପ୍ରବଚନ ଶୁଣିବେ ଆଦି ବିଷୟରେ ଚିନ୍ତା କରେ ତେବେ ସେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିକୁ କି ପ୍ରକାର ଆଧ୍ୟାତ୍ମିକ ଉନ୍ନତି ମାର୍ଗରେ ନେବ?

ମନେରଖିବା ଉଚିତ- ‘ଗୁରୁ ଜଣେ ବ୍ୟକ୍ତି ନୁହେଁ। ଏହା ଏକ ପ୍ରେରଣା। ଏ ପ୍ରେରଣାର ବଶବର୍ତ୍ତୀ ହୋଇ ମଣିଷ ଧୀରେଧୀରେ ଶିଖେ। ଶରୀର ସଂଯମ, ସାତ୍ତ୍ୱିକ ଆହାର, ସଦାଚାର ଓ ସବୁଠାରୁ ବଡ଼ କଥା ହେଲା ଅହିଂସା ଆଚରଣ, ଏସବୁ କରିବାଦ୍ୱାରା ମଣିଷର ଆତ୍ମୋନ୍ନତିର ମାର୍ଗ ଖୋଲିଥାଏ। ଏସବୁ ଯେତେବେଳେ ସେ କାହାଠାରୁ ଶିଖେ, ତାକୁ ଭାବେ ଗୁରୁବୋଲି। ମାତ୍ର ତାହା ସତ୍ୟ ନୁହେଁ। ନିଜର ମନକୁ ନିୟନ୍ତ୍ରଣ କରି ଉପରୋକ୍ତ କାର୍ଯ୍ୟଗୁଡ଼ିକରେ ନିବେଶ ନ କରିବା ପର୍ଯ୍ୟନ୍ତ ମଣିଷକୁ ଗୁରୁ ମିଳିନଥାନ୍ତି। ଏହାର ଅର୍ଥ ‘ମନ ହିଁ ମଣିଷର ଗୁରୁ’। ମନକୁ ବିଷୟରୁ ହଟାଇ ଅନ୍ତର୍ମୁଖୀ କରିପାରିଲେ ଆମ ଅନ୍ତର ଭିତରେ ହିଁ ଜ୍ଞାନର ପ୍ରକାଶ ହେବ। ସେ ଦୃଷ୍ଟିରୁ ଅନ୍‍ଲାଇନ୍‍ ସାଧୁଙ୍କ ମାୟାରେ ପଡ଼ିବା ଅନୁଚିତ। ଆଧ୍ୟାତ୍ମିକତା ଫେସ୍‍ବୁକ୍‍, ଟ୍ୱିଟର ବା ଇନ୍‍ଷ୍ଟାଗ୍ରାମର ବିଷୟବସ୍ତୁ ନୁହେଁ। ଆଧ୍ୟାତ୍ମିକତା ହେଉଛି ଏକ ଅନୁଭବ। ଅନୁଭବୀ ମଣିଷ ହିଁ ନିଜେ ନିଜର ଗୁରୁ।

ହରିହର ତ୍ରିପାଠୀ (ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା)
ମୋ : ୯୪୩୯୯୦୩୨୨୦

Comments
Loading...