ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା

ଭୋର ୪ଟାରେ ଖୋଲିବ ପହଡ ; ଅପରାହ୍ଣ ୪ଟାରେ ବଡସିଂହାର ବେଶ

ଆରଡି : ବୁଧବାର ନୂଆବର୍ଷ ପାଳନ ପାଇଁ ରାଜ୍ୟ କୋଣ ଅନୁକୋଣରୁ ହଜାର-ହଜାର ଭକ୍ତଙ୍କ ସମାଗମ ହେବ ଭଦ୍ରକର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମରେ। ତାହାସହ ଶ୍ରଦ୍ଧାଳୁମାନେ ପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଦର୍ଶନ ନିମନ୍ତେ ମନ୍ଦିର ଦକ୍ଷିଣ ଦ୍ୱାର ସମୁଖ ଭାଗରେ ଥିବା ଶିବଗଙ୍ଗା ପୁଷ୍କରିଣୀ ଠାରୁ ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଥିବା ବେଳେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପ୍ରକାଶ କରିଛନ୍ତି। ଅନ୍ୟପଟେ ନୂଆବର୍ଷରେ ଶୁଭ ମନାସିବା ପାଇଁ ପୀଠରେ ୫୦ହଜାର ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତମାନଙ୍କର ସମାଗମ ହେବାର ଆଶଙ୍କା ରହିଥିବାରୁ ମନ୍ଦିର ଦୈନଦିନ ନୀତିକାନ୍ତିର ସାମାନ୍ୟ ପରିବର୍ତ୍ତନ କରାଯାଇ ମଣିବାବାଙ୍କ ପହୁଡ ବୁଧବାର ଭୋର ୪ଟାରେ ଫିଟା ଯିବା ସହିତ ଅପରାହ୍ଣ ୪ଟାରେ ମଣିବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ। ତାହାସହ ନୀତିକାନ୍ତିକୁ ବାଦ ଦେଲେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ଦିନତମାମ ପହଡ ଖୋଲା ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ସେହିପରି ସଂଧ୍ୟା ପୂଜା ଓ ଆଳତୀ ନିର୍ଦ୍ଧାରିତ ସମୟରେ କରାଯାଇ ରାତ୍ର ୧୦ଟାରେ ବାଟୁଳା ଦହିପଖାଳ ନୀତି ଲାଗି କରାଯାଇ ମଣିବାବାଙ୍କୁ ପହୁଡ କରାଯିବ ବୋଲି ସେବାୟତମାନଙ୍କ ପକ୍ଷରୁ ପ୍ରକାଶ ପାଇଛି। ପୀଠକୁ ସଂଯୋଗ କରୁଥିବା ସ୍ଥଳପଥ ଓ ଜଳପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଆରଡି ଫାଣ୍ଡି ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ବିଶେଷକରି ଟ୍ରାଫିକ ବ୍ୟବସ୍ଥାର ଶୃଙ୍ଖଳା ନିମନ୍ତେ ଭଦ୍ରକ ଓ ଯାଜପୁର ଦେଇ ସ୍ଥଳପଥରେ ଆସୁଥିବା ଘରୋଇ ଛୋଟବଡ ଯାନ ମଠଡିହ ଠାରୁ ମନ୍ଦିର ପର୍ଯ୍ୟନ୍ତ ଆସିବା ପରେ ବାଇପାସର ଡିଅସାହି ଛକରୁ ନାନ୍ଦପୁର ଦେଇ ମଠଡିହ ଫେରିବ। ସେହିପରି ଜଳପଥ ଦେଇ ଆସୁଥିବା ପର୍ଯ୍ୟଟକମାନେ ଯେପରି କୈାଣସି ଅସୁବିଧାରେ ସମ୍ମୁଖିନ୍ନ ନହେବେ ସେଥିପାଇଁ ପୀଠରେ ଥିବା ସମସ୍ତ ନଦୀଘାଟରେ ଅଧିକ ଡଙ୍ଗା ନିୟୋଜିତ ରହିବା ସହିତ ଆବଶ୍ୟକତା ଠାରୁ ଯେପରି ଅଧିକ ସଂଖ୍ୟ ପର୍ଯ୍ୟଟକ ପାରି ନହେବେ ସେଥିପାଇଁ ବିଶେଷ ଭାବେ ଧ୍ୟାନ ଦିଆଯିବ ବୋଲି ଉଭୟ ପ୍ରଶାସନ ଓ ପୁଲିସଙ୍କ ପକ୍ଷରୁ ପ୍ରକାଶ ପାଇଛି।

Comments are closed.