ଆଖଣ୍ଡଳମଣି ପୀଠରେ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ଆରମ୍ଭ ; ମନ୍ଦିର ବେଢା ପରିସରରୁ ୧୯ ଦୋକାନ ଗୃହ ଉଚ୍ଛେଦ

.- ଦୀର୍ଘ ୪ଶହ ବର୍ଷ ପରେ ବଦଳିବ ଆଖଣ୍ଡଳମଣି ପୀଠର ରୂପରେଖ

.- ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୬କୋଟି ଟଙ୍କା ମଞ୍ଜୁର

.- ଉଚ୍ଛେଦ ପାଇଁ ପୀଠରେ ୩ଜଣ ମ୍ୟାଜିଷ୍ଟ୍ରେଟଙ୍କ ସହ ବ୍ୟାପକ ପୁଲିସ ମୃତୟନ

ଆରଡି : ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ଦୀର୍ଘ ୫୦ବର୍ଷ ପରେ ଆରମ୍ଭ ହେଲା ମାଷ୍ଟରପ୍ଲାନ କାର୍ଯ୍ୟକାରୀ। ଏପରିକି ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ପରାମର୍ଶ କ୍ରମେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକ ପ୍ରର୍ଯ୍ୟାୟରେ ମନ୍ଦିର ବେଢା ଭିତର ଓ ବାହାରେ ଥିବା ୧୫ଭୋଗ ଦୋକାନ ସମେତ ୧୯ଟି ଦୋକାନ ଗୃହ ସୋମବାର ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ କାର୍ଯ୍ୟରେ ଚାନ୍ଦବାଲି ବିଡିଓ ଜ୍ୟୋତିପ୍ରକାଶ ଦାସ, ତହସିଲିଦାର ଶୁଶାନ୍ତ ସୁତାର, ଧାମନଗର ଅତିରିକ୍ତ ତହସିଲିଦାର ଅଭିପ୍‌ସା ପଟ୍ଟନାୟକ,ଜଣେ  ଏଏସପି, ୩ଜଣ ଏସଡିପିଓଙ୍କ ସହ ବ୍ୟାପକ ପୋଲିସ ମୃତ୍ୟୟନ କରାଯାଇଥିଲା। ଉଚ୍ଛେଦ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ମଣିବାବାଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ସକାଳ ୯ଟାରେ ଇଲେକ୍ଟ୍ରି ମ୍ୟାସିନ ଦ୍ୱାରା ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିରର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲଙ୍କ କହିବା ଅନୁଯାୟୀ  ଉଚ୍ଛେଦ ହେବାକୁ ଥିବା ଦୋକାନୀମାନଙ୍କୁ ଦୀର୍ଘମାସ ହେବ ନଟକା ଜାରି କରାଯାଇଥିବା ବେଳେ ରବିବାର ସୁଧା ଖାଲି କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଗତକାଲି ରାତି ସୁଦ୍ଧା ଦୋକାନୀମାନେ ତାଙ୍କର ଦୋକାନ ଗୃହ ଖାଲି କରିବା ପରେ ସୋମବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା  କରାଯାଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ସୂଚନା ଅନୁଯାୟୀ, ଦୀର୍ଘ ୫୦ବଷ ହେବ ପୀଠରେ ମାଷ୍ଟରପ୍ଲାନ ପାଇଁ ବ୍ଲୁ ପ୍ରଣ୍ଟି  ପ୍ରସ୍ତୁତ ହୋଇଥିଲେ ମଧ୍ୟ କେତେବେଳେ ଅର୍ଥ ବାଧକ ସାଜିଥିଲା ତ ଆଉ କେତେବେଳେ ସ୍ଥାନୀୟ କିଛି ଲୋକଙ୍କ ବିରୋଧ ଯୋଗୁ ଉକ୍ତ ମାଷ୍ଟରପ୍ଲାନ କାର୍ଯ୍ୟ ଫାଇଲ ମଧ୍ୟରେ ଅଟକି ଯାଇଥିଲା। ହେଲେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଠର ବିକାଶ ମୂଳକ କାର୍ଯ୍ୟ  ଓ ସୌନ୍ଦର୍ଯ୍ୟକରଣ ପାଇଁ ୬କୋଟି ଟଙ୍କା ମଞ୍ଜୁର କରାଯିବା ସହ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜିଲାପ୍ରଶାସନକୁ ଦାୟୀତ୍ୱ ଭାର ଦିଆଯାଇଥିଲା। ଏପରିକି ଗତ କିଛିଦିନ ତଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାଜ୍ୟ ଦେବୋତ୍ତର ବିଭାଗ ଓ ପ୍ରତ୍ନତ୍ତ୍ୱତ ବିଭାଗର ଅଧିକାରୀମାନେ ଆରଡିପୀଠକୁ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଜିଲାପ୍ରଶାସନ ସହ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। କିଛିମାସ ପୂର୍ବେ ଜିଲା ପ୍ରଶାସନ ପକ୍ଷରୁ ପୀଠର ମାଷ୍ଟରପ୍ଲାନ କାର୍ଯ୍ୟକାରୀ କରିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ଆରକିଟେକର ଓ ଜିଲା ଟାଉନପ୍ଲାନିଂ ପକ୍ଷରୁ ଏକ ବ୍ଲୁ ପ୍ରଣ୍ଟି ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନାରେ ମନ୍ଦିର ଗର୍ଭଗୃହର ମରାମତି ସହ ମନ୍ଦିର ବେଢା ଚଟାଣ ଓ ପ୍ରାଚେରୀର ସୌନ୍ଦର୍ଯ୍ୟକରଣ, ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହ ଚନ୍ଦନ ମନ୍ଦିର ନିର୍ମାଣ, ଭକ୍ତମାନଙ୍କ ସୁଗମ ଦର୍ଶନ ନିମନ୍ତେ ଏକ ପାଦଚଲା ରାସ୍ତା, ଭକ୍ତମାନଙ୍କ ଉପାସନା ପାଇଁ  ୩ମହଲା ବିଶିଷ୍ଟ କୋଠା, ଶ୍ରାବଣୀ ମନ୍ଦିର, ଯଜ୍ଞ ମଣ୍ଡପ ନିର୍ମାଣ ଆଦି ପ୍ରକଳ୍ପ ପାଇଁ ପାଖାପାଖି ୪୮କୋଟି ଟଙ୍କାର ଏକ ଚିଠା ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା। ହେଲେ ଏପଟେ ପ୍ରଶାସନ ପକ୍ଷରୁ ଜବରଦଖଲ ସହ କିଛି ଦୋକନ ଗୃହ ଉଚ୍ଛେଦ କରାଯିବା ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ଦୀର୍ଘ ୪ଶହ ବର୍ଷ ହେବ ମନ୍ଦିର  ଓ ପୀଠର କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇନଥିବା ବେଳେ ଏବେ ବଦଳିବ ପୀଠ ଓ ମନ୍ଦିରର ରୂପରେଖ।

Comments are closed.