ଭୋର ୫ଟାରେ ଉଠିବ ଆଖଣ୍ଡଳମଣିଙ୍କ ମହାଦୀପ, ଏକବାର ନୀତିରେ ମନ୍ଦିର ଚୂଡାରେ ଲାଗି ହେବ ନେତ

ଆରଡି : ଆସନ୍ତା ଶୁକ୍ରବାର ଅର୍ଥାତ ଫେବୃଆରୀ ୨୧ରେ ଆରଡିଧାମର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପବିତ୍ର ମହାଶିବରାତ୍ରି(ଜାଗରଯାତ୍ରା)। ଏଥିପାଇଁ ପୀଠ ହୋଇ ଉଠିଛି ଚଳଚଞ୍ଚଳ। ବିଶେଷକରି ଗୁରୁବାର ଏକବାର ନୀତି ନିମନ୍ତେ ମନ୍ଦିର ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ୟ୍ୟ ଚୂଡାନ୍ତ ପର୍ୟ୍ୟାୟରେ ପହଁଚିଥିବା ବେଳେ ଅପରାହ୍ଣରେ ମନ୍ଦିର ଚୂଡାରେ ନୂଆ ନେତ ଲାଗି କରାଯିବା ସହିତ ଗମ୍ଭୀରା ଘରେ ନୂଆ ଚାନ୍ଦୁଆ ଲଗାଯିବାର ପରମ୍ପରା ରହିଛି। ତାହାସହ ଶତାଧିକ ବର୍ଷର ପରମ୍ପରା ଅନୁଯାୟୀ ମଣିବାବାଙ୍କର ସଂଧ୍ୟା ଧୂପ ପରେ ଏକବାର ଅନ୍ନନୀତି ଭୋଗ ଲାଗି କରାଯିବା ପରେ ସମସ୍ତ ସେବାୟତମାନଙ୍କୁ ବିତରଣ କରାଯିବ। ଅନ୍ୟପଟେ ମନ୍ଦିର ପଶ୍ରାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କାଯାଇଛି। ଏକବାର ନୀତିକାନ୍ତୀ ନିମନ୍ତେ ଦୈନଦିନ ନୀତିକାନ୍ତିର ସାମନ୍ୟ ପରିବର୍ତ୍ତନ କରାଯାଇ ଗୁରୁବାର ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ନୀତିକାନ୍ତି ଅପରାହ୍ଣ ସୁଧା ସରିବା ପରେ ଗମ୍ଭୀରା ଘରକୁ ସଫେଇ କରାଯାଇ ବିଭିନ୍ନ ଅଳଙ୍କାର, ଫୁଲ, ଚନ୍ଦନ ଆଦିରେ ମଣିବାବଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ। ପରେ ସଂଧ୍ୟା ରେ ଷୋଡଶ ଉପଚାର ନୀତି ଓ ଆଳତୀ ହେବା ସହିତ ରାତ୍ରରେ ଦହିପଖାଳ ଭୋଗ ଲାଗି କରାଯିବ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି।

Comments are closed.